Home Education ସରକାରୀ କଲେଜରେ ଶିକ୍ଷକ ମରୁଡ଼ି

ସରକାରୀ କଲେଜରେ ଶିକ୍ଷକ ମରୁଡ଼ି

ଭୁବନେଶ୍ୱର : ଓଡ଼ିଶାରେ ଏମିତି ୧୪ଟି ସରକାରୀ ଡିଗ୍ରୀ କଲେଜ୍‍ ରହିଛି ଯେଉଁଠି ମାତ୍ର ଜଣେ ଲେଖାଏଁ ନିୟମିତ ଅଧ୍ୟାପକ ଅଛନ୍ତି । ମୋଟାମୋଟି ଭାବେ +୩ ସ୍ତରରେ ପାଠ ପଢ଼ାଇବାପାଇଁ ଥିବା ୬୨ଟି ସରକାରୀ ଡିଗ୍ରୀ କଲେଜ୍‍ରେ ୭୦୦ରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡିଛି । ଏସବୁ କେବେ ସୁଦ୍ଧା ପୂରଣ ହେବ ସେ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଭାବେ କେହି କିଛି ସମୟସୀମା ଦେଇପାରୁ ନଥିବା ବେଳେ ପ୍ରତି ମାସରେ କିନ୍ତୁ ଅବସର ଗ୍ରହଣ ଚାଲୁଥିବାରୁ ସରକାରୀ କଲେଜ୍‍ଗୁଡ଼ିକରେ ଅଧ୍ୟାପକଙ୍କ ସଂଖ୍ୟା କମିକମି ଚାଲିଛି । କେବଳ ସେତିକି ନୁହେଁ, ସଂଖ୍ୟାଧିକ ସରକାରୀ ଡିଗ୍ରୀ କଲେଜ୍‍ରେ ନିୟମିତ ଅଧ୍ୟକ୍ଷ ନଥିବା ସମସ୍ୟାକୁ ବହୁଗୁଣିତ କରୁଛି ।

୨୦୨୪ ବର୍ଷରେ ଧରାକୋଟ, ଖଜୁରୀପଡ଼ା, କାଶୀପୁର, ରମଣଗୁଡ଼ା, ବନ୍ଧୁଗାଁ, ନାରାୟଣପାଟଣା, ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଝରିଗାଁ, ରାଇଘର, ନୂଆଗାଁ, ଗୁରୁଣ୍ଡିଆ, ଥୁଆମୂଳ ରାମପୁର ଓ ତିରିଂରେ ସରକାର ୧୪ଟି ନୂଆ ଡିଗ୍ରୀ କଲେଜ୍‍ ଖୋଲିଛନ୍ତି । ଏହି ଡିଗ୍ରୀ କଲେଜ୍‍ଗୁଡ଼ିକ ମୟୂରଭଞ୍ଜ, କଳାହାଣ୍ଡି, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଅବସ୍ଥିତ । ଏହି କଲେଜ୍‍ଗୁଡ଼ିକ ପାଇଁ ମାତ୍ର ଜଣେ ଲେଖାଏଁ ନିୟମିତ ଅଧ୍ୟାପକ ଥିବାବେଳେ ପାଠପଢ଼ା କିଭଳି ହେଉଥିବ ତାହା ସହଜରେ ଅନୁମେୟ ।

ପୂର୍ବରୁ ଥିବା ସରକାରୀ ଡିଗ୍ରୀ କଲେଜ୍‍ଗୁଡ଼ିକ ମଧ୍ୟରୁ ରମାଦେବୀ ମହିଳା କଲେଜ୍‍, ଖଲ୍ଲିକୋଟ କଲେଜ୍‍, ଗଙ୍ଗାଧର ମେହେର କଲେଜ୍‍, ରେଭେନ୍ସା କଲେଜ୍‍, ଧରଣୀଧର କଲେଜ୍‍, ବିକ୍ରମଦେବ କଲେଜ୍‍, ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ କଲେଜ୍‍, ରାଜେନ୍ଦ୍ର କଲେଜ୍‍ ଆଦିକୁ ସରକାର ବିଶ୍ୱବିଦ୍ୟାଳୟରେ ପରିଣତ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗର ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରାୟ ୬୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଅନ୍ୟୁନ ୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ବି ନାହାନ୍ତି । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକରେ ୭୦ ପ୍ରତିଶତରୁ ଅଧିକ ଅଣଶିକ୍ଷକ କର୍ମଚାରୀ ପଦବୀ ବି ଖାଲି ପଡିଛି । ଏଥିରୁ ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରର ଦୟନୀୟ ସ୍ଥିତି ବାରି ହୋଇଯାଉଛି ବୋଲି ଶିକ୍ଷାବିତ୍‍ମାନେ କହୁଛନ୍ତି ।

ସରକାରୀ ଡିଗ୍ରୀ କଲେଜ୍‍ଗୁଡ଼ିକ ଭିତରୁ ବାଲେଶ୍ୱରର ଫକୀରମୋହନ କଲେଜ୍‍ରେ ୨୭ଟି ଓ କୁନ୍ତଳା କୁମାରୀ ସାବତ ମହିଳା କଲେଜ୍‍ରେ ୨୦ଟି ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଭଦ୍ରକ ସ୍ୱୟଂ ଶାସିତ କଲେଜ୍‍ରେ ୧୮ଟି, ବୌଦ୍ଧର ମଡେଲ୍‍ ଡିଗ୍ରୀକଲେଜ୍‍ରେ ୧୪ଟି, କଟକର ଶୈଳବାଳା ମହିଳା ସ୍ୱୟଂ ଶାସିତ କଲେଜ୍‍ରେ ୨୮ଟି ଶିକ୍ଷକ ପଦବୀ ଦୀର୍ଘଦିନ ଧରି ଖାଲି ପଡିଛି ।

ପାରଳାଖେମୁଣ୍ଡିର ଏସ୍‍କେସିଜି ସ୍ୱୟଂ ଶାସିତ କଲେଜ୍‍ରେ ୧୭ଟି ଅଧ୍ୟାପକ ପଦବୀ ଖାଲି ପଡିଥିବାବେଳେ ବ୍ରହ୍ମପୁରର ଶଶୀଭୂଷଣ ରଥ ସରକାରୀ ସ୍ୱୟଂ ଶାସିତ କଲେଜ୍‍ରେ ୨୬ଟି ଶିକ୍ଷକ ପଦବୀ ଖାଲି ପଡିଛି । ସେହିପରି ଫୁଲବାଣୀର ସରକାରୀ ସ୍ୱୟଂ ଶାସିତ କଲେଜ୍‍ରେ ୧୭ଟି ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ଭୁବନେଶ୍ୱର ବିଜେବି ସ୍ୱୟଂ ଶାସିତ କଲେଜ୍‍ରେ ୨୮ଟି ଓ ରାଜଧାନୀ କଲେଜ୍‍ରେ ୨୦ଟି ଅଧ୍ୟାପକ ପଦବୀ ମଧ୍ୟ ଖାଲି । ମାଲକାନଗିରିର ମଡେଲ୍‍ ଡିଗ୍ରୀ କଲେଜ୍‍ରେ ୨୧ଟି ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ବାରିପଦାର ଏମ୍‍ପିସି ସ୍ୱୟଂ ଶାସିତ କଲେଜ୍‍ରେ ୩୮ଟି ଅଧ୍ୟାପକ ପଦବୀ ଖାଲି ।

ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ କଲେଜ୍‍ରେ ୩୩ଟି ଅଧ୍ୟାପକ ପଦବୀ ଖାଲି ପଡିଥବା ବେଳେ, ରାୟଗଡ଼ାର ମଡେଲ୍‍ ଡିଗ୍ରୀକଲେଜ୍‍ରେ ୧୯ଟି ଏବଂ ସମ୍ବଲପୁରର ସରକାରୀ ମହିଳା କଲେଜ୍‍ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଡିଗ୍ରୀ କଲେଜ୍‍ରେ ୧୯ଟି କରି ଅଧ୍ୟାପକ ପଦବୀ ଫାଙ୍କା ପଡିଛି । ରାଉରକେଲାର ସରକାରୀ ସ୍ୱୟଂ ଶାସିତ କଲେଜ୍‍ରେ ୧୪ଟି ଓ ସୁନ୍ଦରଗଡ଼ର ସରକାରୀ ମହିଳା କଲେଜ୍‍ରେ ୩୨ଟି ଅଧ୍ୟାପକ ପଦବୀ ମଧ୍ୟ ଖାଲି ରହିଛି । ଗୋଟିଏ ପଟେ ପୁରୁଣା ୪୮ଟି ସରକାରୀ ଡିଗ୍ରୀ କଲେଜ୍‍ରେ ୬୩୪ଟି ଅଧ୍ୟାପକ ପଦ ଖାଲି ପଡିଥିବା ବେଳେ ଏହି କଲେଜ୍‍ଗୁଡ଼ିକର ଅନ୍ୟୁନ ୨୪୯ଜଣ ଅଧ୍ୟାପକଙ୍କୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ +୨ ଶିକ୍ଷାନୁଷ୍ଠାନରେ କାମ କରିବାକୁ ପଠାଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ । (ତଥ୍ୟ)