ଭୁବନେଶ୍ୱର : ଦୁର୍ଗାପୂଜା ଛୁଟି କିନ୍ତୁ ଉପଭୋଗ କରିପାରୁ ନାହାନ୍ତି ଭୁବନେଶ୍ୱର, ଖୋରଧା ଓ ପୁରୀର ବହୁ ସରକାରୀ କର୍ମଚାରୀ । ଛୁଟି ସତ୍ୱେ ବି ସେମାନଙ୍କୁ ଦପ୍ତରରେ ଉପସ୍ଥିତ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଲଘୁଚାପ ଜନିତ ବର୍ଷା ପାଇଁ ନୁହେଁ, ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ଜାତୀୟ ମଧ୍ୟସ୍ଥତା (ମେଡିଏସନ) ସମ୍ମିଳନୀ ପାଇଁ ଅନେକ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବିଶେଷକରି ପୁରୀ, ଚିଲିକା, କୋଣାର୍କ ଆଦି ଅଞ୍ଚଳରେ କାମ କରୁଥିବା ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କ ଲାଗି ଏଭଳି ଆଦେଶନାମା ଦିଆଯାଇଛି ।
ଏହି ସମ୍ମିଳନୀରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟୁନ ୧୦ଜଣ ବିଚାରପତି, ୧୭ଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଆଉ ଅନେକ ବିଚାରପତି, କେନ୍ଦ୍ର ଆଇନ୍ମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ଭିତରୁ ଓ ବାହାରୁ ଅନେକ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେବେ । ଏହି ସମ୍ମିଳନୀ ସେପ୍ଟେମ୍ବର ୨୭ରୁ ୨୯ ପର୍ଯ୍ୟନ୍ତ ଲୋକସେବା ଭବନର କନଭେନସନ୍ ହଲରେ ଅନୁଷ୍ଠିତ ହେବ ।
ସମ୍ମିଳନୀରେ ଯୋଗଦେବାପାଇଁ ଆସୁଥିବା ବିଶିଷ୍ଟ ବ୍ୟକ୍ତି ଓ ସେମାନଙ୍କ ସହ ଆସୁଥିବା ଅନ୍ୟମାନେ ଏହି ଅବସରରେ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଯିବାର ସମ୍ଭାବନା ରହିଛି । ଏଥିଲାଗି ଶ୍ରୀକ୍ଷେତ୍ର ପୁରୀରେ ଥିବା ସର୍କିଟହାଉସ୍, ହାଇକୋର୍ଟ ଅତିଥିଭବନ ସମେତ ଅନ୍ୟାନ୍ୟ ସରକାରୀ ସଂସ୍ଥା ଏବଂ ନାମୀ ଦାମୀ ହୋଟେଲଗୁଡିକରେ ପ୍ରକୋଷ୍ଠମାନ ସଂରକ୍ଷଣ କରି ରଖାଯାଇଛି ।
ଭିଭିଆଇପିମାନେ ଯେଉଁସବୁ ସ୍ଥାନରେ ଶ୍ରୀକ୍ଷେତ୍ର ପୁରୀରେ ରହିବାର ବ୍ୟବସ୍ଥା ହୋଇଛି ସେସବୁ ସ୍ଥାନ ପାଇଁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବା ସଂଗେ ସଂଗେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ତତ୍ୱାବଧାନ ଦାୟିତ୍ୱରେ ରଖାଯାଇଛି । ଭଲମନ୍ଦ ବୁଝିବାପାଇଁ ସେମାନଙ୍କ ସହ ଆଉ କେତେକ କର୍ମଚାରୀ ଓ ପୁଲିସ୍ ମଧ୍ୟ ହୋଟେଲ ଓ ଅତିଥିଶାଳାମାନଙ୍କରେ ନିୟୋଜିତ ହୋଇଛନ୍ତି ।
ଶ୍ରୀମନ୍ଦିରରେ ଯେଭଳି ଦର୍ଶନ ପାଇଁ କିଛି ଅସୁବିଧା ନଉପୁଜେ ତାହାକୁ ଆଖିଆଗରେ ରଖି ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହାଛଡା ସମୁଦ୍ରକୂଳରେ ବି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଭିଭିଆଇପିମାନଙ୍କ ଗସ୍ତକୁ ଆଖିଆଗରେ ରଖି ନିରାପତ୍ତା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ବିଶେଷକରି ଭୁବନେଶ୍ୱରରୁ ପୁରୀ, କୋଣାର୍କ, ବରକୂଳ, ସାତପଡା ଆଦି ବିଭିନ୍ନ ରାସ୍ତାରେ ଯେଭଳି ଟ୍ରାଫିକ ସମସ୍ୟା ନଉପୁଜେ ତାହାକୁ ଆଖିଆଗରେ ରଖି ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।
ଗୋଟିଏ ପଟେ ୨୭ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ଥିବାବେଳେ ଅନ୍ୟ ପଟେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସମେତ ବହୁ ବିଚାରପତି ଓଡିଶା ଗସ୍ତରେ ଆସୁଥିବା ଦୃଷ୍ଟିରୁ ପ୍ରଶାସନକଳ ବେଶ୍ ଜାଗତିଆର ହୋଇପଡିଛି । ଏହାଛଡା ଲଘୁଚାପଜନିତ ବର୍ଷାକୁ ଆଖିଆଗରେ ରଖି ଅନ୍ୟ ଜିଲ୍ଲାମାନଙ୍କରେ ବି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।
ହାଇକୋର୍ଟ ଓ ଅନ୍ୟ ଅଦାଲତଗୁଡିକପାଇଁ ପୂଜାଛୁଟି ଘୋଷଣା କରାଯାଇଥିଲେ ମଧ୍ୟ ଯେଉଁ ଅଧିକାରୀ ଓ କର୍ମଚାରୀମାନେ ମେଡିଏସନ କନଫରେନ୍ସ ଦୃଷ୍ଟିରୁ ବିଭିନ୍ନ ଦାୟିତ୍ୱରେ ରହିବେ ସେମାନଙ୍କ ଛୁଟି ବି ବାତିଲ କରାଯାଇଛି । ଲୋକସେବାଭବନ ସମେତ ରାଜଧାନୀର ଯେଉଁସବୁମ ସ୍ଥାନରେ ମେଡିଏସନ କନଫରେନ୍ସରେ ଯୋଗଦେବାକୁ ଆସୁଥିବା ବିଚାରପତି ଓ ଅନ୍ୟ ଭିଆଇପିମାନେ ଅବସ୍ଥାନ କରିବେ ସେଠାରେ ବି ବ୍ୟାପକ ବନ୍ଦୋବସ୍ତ ହୋଇଛି । ଏହାଛଡା ପର୍ଯ୍ୟଟନ ବିଭାଗର କ୍ଷେତ୍ର କର୍ମଚାରୀମାନେ ଏହି ସମ୍ମିଳନୀ ଦୃଷ୍ଟିରୁ ବେଶ୍ ତତ୍ପର ହୋଇ ଉଠିଛନ୍ତି ।(ତଥ୍ୟ)