Home Health ସରକାରୀ ଔଷଧ ମୁହାଁ ରୋଗୀ

ସରକାରୀ ଔଷଧ ମୁହାଁ ରୋଗୀ

ଭୁବନେଶ୍ୱର : ରାଜ୍ୟରୁ ବିପୁଳ ପରିମାଣରେ ନକଲି ଔଷଧ ଜବତ ହେବା ଓ ଏହି ଘଟଣାରେ ଏକାଧିକ ବ୍ୟକ୍ତି ଜେଲ୍‍ ଯିବାପରେ ରୋଗୀମାନେ ଏବେ ସରକାରୀ ଔଷଧ ମୁହାଁ ହୋଇଛନ୍ତି । ଡାକ୍ତରଙ୍କୁ ମେଡିକାଲରେ ମିଳୁଥିବା ଔଷଧ ଲେଖିବାପାଇଁ ଅନୁରୋଧ କରିବା ସହିତ ଧାଡିରେ ଛିଡାହୋଇ ସରକାରୀ ଔଷଧ ନେଉଥିବା ଲକ୍ଷ୍ୟ କରାଯାଉଛି ।

ଉଚ୍ଚ ରକ୍ତଚାପ ରୋଗୀ ସେବନ କରୁଥିବା ଟେଲମା-୪୦ ଔଷଧର ବ୍ୟାପକ ନକଲି ବଟିବା ଜବତ ହେବା ସହିତ ଏହାର ଚେର ରାଜ୍ୟ ବାହାର ପର୍ଯ୍ୟନ୍ତ ଲମ୍ବିଥିବା ନଜରକୁ ଆସିଛି । ଏହାର କାର୍ପଟଦାରଙ୍କୁ ଓଡିଶା ପୁଲିସ୍‍ ରାଜ୍ୟ ବାହାରୁ ଗିରଫ କରିଛି । ତେବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏକାଧିକ ବାର ଏହି ଔଷଧ ଜବତ ହେବାପରେ ଏବେ ଅନ୍ୟ କେତେକ ନକଲି ଔଷଧ ମଧ୍ୟ ଓଡିଶା ବଜାରରେ ପ୍ରବେଶ କରିଥିବା ଆଶଙ୍କା କରାଯାଉଛି । ବିଶେଷକରି ବହୁଳ ବ୍ୟବହୃତ ଉଚ୍ଚ ରକ୍ତଚାପ, ମଧୁମେଧ, ଜ୍ୱର, ଝାଡା, ଥଣ୍ଡା ଆଦି ପାଇଁ ବ୍ୟବହାର ହେଉଥିବା ଔଷଧର ନକଲି ଆସିଥିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ ସାଧାରଣ ଲୋକେ ଆତଙ୍କିତ ଅଛନ୍ତି ।

ଯେଉଁ ରୋଗୀମାନେ ପୂର୍ବରୁ ବଜାରରେ ମିଳୁଥିବା ଔଷଧ ଲେଖିବାପାଇଁ ଡାକ୍ତରମାନଙ୍କୁ ବାଧ୍ୟ କରୁଥିଲେ ସେମାନେ ଏବେ ଡାକ୍ତରଙ୍କୁ ସରକାରୀ ଔଷଧ ଲେଖିବାପାଇଁ ଅନୁରୋଧ କରୁଛନ୍ତି । ବିଶେଷକରି ରକ୍ତଚାପ ଓ ମଧୁମେହ ଭଳି ଅଣସଂକ୍ରାମକ ରୋଗୀମାନେ ବଜାରରୁ ବିଭିନ୍ନ କମ୍ପାନୀର ଔଷଧ କିଣି ସେବନ କରିବା ବଦଳରେ ସରକାରୀ ଔଷଧ ନେବାକୁ ଅଧିକ ପସନ୍ଦ କରୁଛନ୍ତି ।

ଉଲ୍ଲେଖନୀୟ ରାଜ୍ୟ ସରକାର ତାଙ୍କ ଔଷଧ ବାବଦ ବ୍ୟୟ ବୃଦ୍ଧି କରିବା ସହିତ ଏହା ୬୦୦ କୋଟି ଟଙ୍କାକୁ ଟପିଯାଇଛି । ଡାକ୍ତରଖାନାଗୁଡିକୁ ଯଥେଷ୍ଟ ପରିମାଣର ଔଷଧ ଯୋଗାଣ ସହିତ ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ବଜାରରୁ ଔଷଧ ଖରିଦ କରି ଦେବାପାଇଁ ମଧ୍ୟ ନଗଦ ଅର୍ଥ ଯୋଗାଇ ଦିଆଯାଉଛି । ସରକାରଙ୍କର ସମସ୍ତେ ପ୍ରଚେଷ୍ଟା ସତ୍ୱେ ସରକାରୀ ଡାକ୍ତରଖାନାରେ ଅନେକ ଔଷଧର ଅଭାବ ପରିଲକ୍ଷିତ ହେଉଛି । ଲୋକସଚେତନାର ଅଭାବ ସାଙ୍ଗକୁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଅର୍ଥ ମହଜୁଦ ଥାଇ ମଧ୍ୟ ରୋଗୀଙ୍କୁ ଆବଶ୍ୟକ ସ୍ଥଳେ ବଜାରରୁ ଔଷଧ ଖରିଦ କରି ଯୋଗାଇବା ସମ୍ଭବପର ହେଉନାହିଁ ।

କେବଳ ସରକାରୀ ଡାକ୍ତରଖାନାରୁ ନୁହେଁ, ଜନ ଔଷଧି ଭଳି କେନ୍ଦ୍ର ସରକାରଙ୍କ ଔଷଧ ଦୋକାନରୁ ମଧ୍ୟ ଔଷଧ ନେବାପାଇଁ ଏବେ ଅଧିକ ରୋଗୀ ଆଗ୍ରହ ପ୍ରକାଶ କରୁଛନ୍ତି । ଏଠାରେ ଶସ୍ତାରେ ଔଷଧ ମିଳିବା ସହିତ ଏହାର ନକଲି ହେବାର ସମ୍ଭାବନା କମ୍‍ ରହିଛି । ଏଥି ସହିତ ଏହିଭଳି କେନ୍ଦ୍ରୀୟ ଔଷଧ ଭଣ୍ଡାରରେ ଏବେ ପ୍ରାୟତଃ ସମସ୍ତ ପ୍ରକାରର ଔଷଧ ଉପଲବ୍ଧ ହେଉଛି ଏବଂ ଚିକିତ୍ସକମାନେ ବି ବହୁ କ୍ଷେତ୍ରରେ ସରକାରୀ ଡାକ୍ତରଖାନାରେ ମିଳୁନଥିବା ଔଷଧ ଜନ ଔଷଧି କେନ୍ଦ୍ରରୁ ନେବାପାଇଁ ରୋଗୀମାନଙ୍କୁ ପରାମର୍ଶ ଦେଉଛନ୍ତି ।

ତେବେ ରାଜ୍ୟରୁ ମିଳିଥିବା ନକଲି ରକ୍ତଚାପ ଔଷଧ ଏବେ ରୋଗୀଙ୍କ ରକ୍ତଚାପ ବଢାଇଥିବାବେଳେ ବିଭିନ୍ନ ଔଷଧ କମ୍ପାନୀଙ୍କ ବେପାରକୁ ମାନ୍ଦା କରିଛି । ରୋଗୀ ସରକାରୀ ଔଷଧ ମୁହାଁ ହୋଇଥିବାରୁ ସମସ୍ତ ପ୍ରକାର ରୋଗ ପାଇଁ ସରକାର ଆବଶ୍ୟକ ପରିମାଣର ଔଷଧ ଖରିଦ କରି ଯୋଗାଇବାକୁ ଦାବି ହେବାରେ ଲାଗିଛି । (ତଥ୍ୟ)