Home Judiciary ସରକାରଙ୍କ ସ୍ପଷ୍ଟୀକରଣ ହାଇକୋର୍ଟରେ ନାକଚ

ସରକାରଙ୍କ ସ୍ପଷ୍ଟୀକରଣ ହାଇକୋର୍ଟରେ ନାକଚ

ଭୁବନେଶ୍ୱର : ଆଇନ୍‍ ବିଭାଗର ପରାମର୍ଶ ଆଧାରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଜାରି କରିଥିବା ଦୁଇଟି ସ୍ପଷ୍ଟୀକରଣକୁ ଆଜି ଓଡ଼ିଶା ହାଇକୋର୍ଟ ନାକଚ କରିଦେଇଛନ୍ତି । ଏହି ସ୍ପଷ୍ଟୀକରଣ ଆଧାରରେ କର୍ମଚାରୀଙ୍କ ପଦୋନ୍ନତି ସଂକ୍ରାନ୍ତରେ ଯାହାସବୁ ପଦକ୍ଷେପ ନିଆଯାଇଛି ତାହା ବି ଆଇନ୍‍ତଃ ଅସିଦ୍ଧ ଘୋଷଣା ହୋଇଛି । ତେବେ ଏ ପ୍ରସଂଗରେ ସରକାରଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ଅଣସଂରକ୍ଷିତ ଆସନରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ପଦୋନ୍ନତି ଦିଆଯିବା ପ୍ରସଂଗରେ ପୂର୍ତ୍ତ ବିଭାଗର ୫ଜଣ ମହିଳା ସହକାରୀ ଯନ୍ତ୍ରୀ ହାଇକୋର୍ଟରେ ଏକ ମାମଲା ରୁଜୁ କରି ଏହି ସ୍ପଷ୍ଟୀକରଣ ଦୁଇଟିର ବିରୋଧ କରିଥିଲେ । ଏଥିସହ ହାଇକୋର୍ଟରେ ପଦୋନ୍ନତି ସଂକ୍ରାନ୍ତରେ ଆଉ ୬୦ରୁ ଅଧିକ ମାମଲା ବିଭିନ୍ନ ବିଭାଗର ପଦୋନ୍ନତି ପ୍ରତ୍ୟାଶୀମାନେ ରୁଜୁ କରିଥିଲେ ।

ମାମଲାଗୁଡ଼ିକର ମିଳିତ ଶୁଣାଣି କରି ହାଇକୋର୍ଟର ଅନ୍ୟତମ ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଆଜି ଦେଇଥିବା ଗୁରୁତ୍ୱପୂର୍ଣ୍ଣ ରାୟରେ ଏସ୍‍ଟି ଓ ଏସ୍‍ସି ବିଭାଗର ସ୍ପଷ୍ଟୀକରଣ ଦୁଇଟିକୁ ରଦ୍ଦ କରିଦେଇଛନ୍ତି । ତେବେ ମାନ୍ୟବର ବିଚାରପତି ତାଙ୍କ ରାୟରେ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ କ୍ରାଇଟିରିଆ ଫର୍‍ ପ୍ରମୋଶନ ରୁଲ୍‍ର ୨୦୨୨ ମସିହାରେ ସଂଶୋଧନ ଅଣାଯାଇ ଯେଉଁ ୩(କ) ଧାରା ଯୋଗ କରାଯାଇଛି ତାହାରି ଆଧାରରେ ପଦୋନ୍ନତି ଦିଆଯିବା ଆବଶ୍ୟକ । ଏଭଳି ପଦୋନ୍ନତି ଦିଆଯିବା ବେଳେ ସମ୍ବିଧାନର ୧୬(୪) ଧାରା ଏବଂ ଏମ୍‍.ନାଗରାଜ ଓ ଜର୍ଣ୍ଣେଲ୍‍ ସିଂହ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ମଧ୍ୟ ଠିକଣା ଅନୁସରଣ କରିବାକୁ ହାଇକୋର୍ଟ କହିଛନ୍ତି ।

ମୂଳ ମାମଲାରେ ଆବେଦନକାରୀ ଓ ପ୍ରତିପକ୍ଷମାନଙ୍କ ପକ୍ଷରୁ ସୁବୀର ପାଲିତ, ବିଶ୍ୱବିହାରୀ ମହାନ୍ତି, ପ୍ରହଲାଦ ସିଂହ, ଅମୀୟ ଛାଟୋଇ, ପମି ରଥ ପ୍ରମୁଖ ଯୁକ୍ତି ବାଢ଼ିଥିବାବେଳେ ଅନ୍ୟ ମାମଲାଗୁଡ଼ିକ ପୂର୍ବତନ ଆଡଭୋକେଟ୍‍ ଜେନେରାଲ ଅଶୋକ ମହାନ୍ତି, ମନୋଜ ମିଶ୍ର, ଜୟନ୍ତ ରଥ, କାଳୀପ୍ରସାଦ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।

ସଂରକ୍ଷିତ ବର୍ଗର ବରିଷ୍ଠ କର୍ମଚାରୀମାନଙ୍କୁ ଅଣ ସଂରକ୍ଷିତ ପଦବୀରେ ପଦୋନ୍ନତି ଦିଆଯାଇପାରିବ କି ନାହିଁ ସେଥିଘେନି ପୂର୍ତ୍ତ ବିଭାଗର ମୂଳ ମାମଲାରେ ଆପତ୍ତି ଉଠାଯାଇଥିଲା । ଅନ୍ୟ ମାମଲାଗୁଡ଼ିକରେ ବିଭିନ୍ନ ବିଭାଗର ଅନେକ ପଦବୀର ପଦୋନ୍ନତି ପ୍ରସଂଗ ମଧ୍ୟ ରହିଥିଲା । ଏଥିଯୋଗୁ ପୂର୍ତ୍ତ ବିଭାଗର ୩୦୦ରୁ ଅଧିକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦବୀ ପୂରଣ ହୋଇପାରୁନଥିବାବେଳେ ଅନ୍ୟ ବିଭାଗଗୁଡ଼ିକରେ ବି ସହସ୍ରାଧିକ ପଦବୀ ଖାଲି ପଡିଛି । ତେବେ କେତେକ କ୍ଷେତ୍ରରେ ଅଦାଲତରୁ ଅନ୍ତରୀଣ ଆଦେଶ ବଳରେ ଅବଶ୍ୟ କିଛି ପଦବୀରେ ପଦୋନ୍ନତି ଦିଆଯାଇଛି ।

ପଦୋନ୍ନତି ସଂକ୍ରାନ୍ତୀୟ ମୂଳ ଆଇନ୍‍କୁ ରାଜ୍ୟ ସରକାର ୨୦୨୨ ମସିହାରେ ସଂଶୋଧନ କରି ସେଥିରେ ୩(କ) ଧାରା ଯୋଡ଼ିଥିଲେ । ପଦବୀଭିତ୍ତିକ ସଂରକ୍ଷଣ ବ୍ୟବସ୍ଥାରେ ଏସ୍‍ସି ଓ ଏସ୍‍ଟି ବର୍ଗର ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ଯୋଗ୍ୟତା ଓ ମେଧା ତାଲିକାରେ ବରିଷ୍ଠତା ଭିତ୍ତିରେ ଦିଆଯାଇପାରିବ ବୋଲି ଏହି ଆଇନ୍‍ରେ ଉଲ୍ଳେଖ ରହିଛି । ଏଥିସହିତ ସୁପ୍ରିମକୋର୍ଟ ମଧ୍ୟ ଜର୍ଣ୍ଣେଲ ସିଂହ ସମେତ ବହୁ ମାମଲାରେ ସଂରକ୍ଷଣ ସଂକ୍ରାନ୍ତରେ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ରାୟମାନ ଦେଇଛନ୍ତି । ଏ ସବୁ ସତ୍ତ୍ୱେ ସାଧାରଣ ନିର୍ବାଚନ ସମୟରେ ଆଇନ୍‍ ବିଭାଗ କିଭଳି ପରାମର୍ଶ ଦେଲେ ଓ ତାହା ଉପରେ ଏସ୍‍ଟି/ଏସସି ଉନ୍ନୟନ ବିଭାଗ କିପରି ସ୍ପଷ୍ଟୀକରଣ ଜାରି କଲେ ସେଥିଘେନି ବିଭିନ୍ନ ମହଲରୁ ଆପତ୍ତି ଉଠିଥିଲା । ଏବେ ହାଇକୋର୍ଟଙ୍କ ରାୟ ପରେ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଉପରେ ପଦୋନ୍ନତି ପ୍ରତ୍ୟାଶୀଙ୍କ ନଜର । (ତଥ୍ୟ)