Home General ସରକାରଙ୍କ ଦ୍ୱାରସ୍ଥ ହେଲା କୁକୁଡାଚାଷୀ ମହାସଂଘ

ସରକାରଙ୍କ ଦ୍ୱାରସ୍ଥ ହେଲା କୁକୁଡାଚାଷୀ ମହାସଂଘ

ଭୁବନେଶ୍ୱର : ରାଜ୍ୟରେ ଆଉ ବାର୍ଡ ଫ୍ଲୁ ଭୟ ନଥିବାରୁ ଖୁବ ଶୀଘ୍ର ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟରେ ଅଣ୍ଡା ଓ କୁକୁଡାମାଂସ ବ୍ୟବହାର ପାଇଁ ଅନୁମତି ଦେବାକୁ ଓଡିଶା କୁକୁଡାଚାଷୀ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଏଥି ସହିତ ଯେଉଁସବୁ ଅଞ୍ଚଳରେ ବାର୍ଡଫ୍ଲୁ ଆଦୌ ନଥିଲା ସେଠାରେ କୁକୁଡାଚାଷୀମାନଙ୍କୁ ସେମାନଙ୍କ ଫାର୍ମରେ କୁକୁଡା ଚିଆଁ ପକାଇବା ଉପରେ ଥିବା କଟକଣା ହଟାଇବାକୁ କୁହାଯାଇଛି ।

କୁକୁଡାଚାଷୀ ମହାସଂଘ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଆଉ କୌଣସି ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇନାହିଁ । ଓଡିଶାରେ ସାଧାରଣତଃ କୁକୁଡା ମାଂସ ଓ ଅଣ୍ଡାକୁ ଲୋକେ ରାନ୍ଧିକରି ଖାଇଥାନ୍ତି । ଏହି ଖାଦ୍ୟ ପ୍ରାୟ ୭୦ଡିଗ୍ରୀ କିମ୍ବା ତାହାଠାରୁ ଅଧିକ ତାପମାତ୍ରାରେ ପ୍ରସ୍ତୁତ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟସଂଘର ମାର୍ଗଦର୍ଶିକା ଅନୁଯାୟୀ ୭୦ଡିଗ୍ରୀ ସେଲସିୟସରେ ରନ୍ଧା ଯାଉଥିବା ଖାଦ୍ୟରେ କୌଣସି ପ୍ରକାର ଫ୍ଲୁ ତିଷ୍ଠିପାରିବେ ନାହିଁ । ତେଣୁ କୁକୁଡା ମାଂସ ଓ ଅଣ୍ଡା ଖାଇବା ଏବେ ସମ୍ପୂର୍ଣ୍ଣ ନିରାପଦ । ଲୋକେ ମଧ୍ୟ ବିଭିନ୍ନ ସ୍ଥାନରେ ବିନା ଭୟରେ ଏହାକୁ ଖାଇବା ଆରମ୍ଭ କଲେଣି ।

ତେଣୁ ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟ ଗୁଡିକରେ ଏହାର ବ୍ୟବହାର ଉପରେ କଟକଣା ରହିବା ଉଚିତ୍‍ ନୁହେଁ । ମହାସଂଘ ପକ୍ଷରୁ ଦର୍ଶାଯାଇଛି ଯେ ରାଜଧାନୀରେ ଯେତିକି ପରିମାଣରେ କୁକୁଡାମାଂସ ଓ ଅଣ୍ଡା ବ୍ୟବହାର ହୋଇଥାଏ ତାହାର ୬୦ ପ୍ରତିଶତ ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟକୁ ଯାଇଥାଏ । ହେଲେ ବାର୍ଡ ଫ୍ଲୁ ଚିହ୍ନଟ ପରଠାରୁ ଏମାନେ କୁକୁଡା ମାଂସ କିମ୍ବା ଅଣ୍ଡା ବ୍ୟବହାର କରୁନାହାନ୍ତି । ଏହାଦ୍ୱାରା ବାର୍ଡ ଫ୍ଲୁ ଇଲାକା ବାହାରର ଚାଷୀମାନେ କେବଳ କ୍ଷତିଗ୍ରସ୍ତ ହେଉନାହାନ୍ତି, ରୋଗୀଙ୍କ ଠାରୁ ସାଧାରଣ ଲୋକେ ଯେଉଁ ପ୍ରକାର ପୁଷ୍ଟିକର ଖାଦ୍ୟ ପାଉଥିଲେ ସେଥିରୁ ମଧ୍ୟ ବଞ୍ଚିତ ହେଉଛନ୍ତି ।

ଉଲ୍ଲେଖନୀୟ ଯେ ରାଜଧାନୀରେ ଥିବା ବଡ ବଡ ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟଗୁଡିକରେ ଦୈନିକ ଶହ ଶହ କୁଇଣ୍ଟାଲ କୁକୁଡାମାଂସ ବ୍ୟବହାର ହୋଇଥାଏ । ଏଥି ସହିତ ପୁଲିସ ଓ ସେନା ବାରାକକୁ ମଧ୍ୟ କୁକୁଡାମାଂସ ଯାଇଥାଏ । ସେହିଭଳି ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡିକେନ୍ଦ୍ର ଗୁଡିକରେ ପିଲାଙ୍କୁ ଅଣ୍ଡା ଦିଆଯାଇଥାଏ । ହେଲେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଏହା ଉପରେ କଟକଣା ଲାଗି ରହିଛି ।

ସେହିଭଳି ଯେଉଁସବୁ ଇଲାକାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା ସେହି ଅଞ୍ଚଳର ୧୦ କିଲୋମିଟର ପରିଧିକୁ ସର୍ଭିଲାନ୍ସ କ୍ଷେତ୍ର ଭାବେ ଘୋଷଣା କରାଯାଇଛି । ତେବେ ଏହା ବାହାରେ ଥିବା ଫାର୍ମ ଗୁଡିକରେ କୁକୁଡା ଚିଆଁ ପକାଇବା ପାଇଁ ଚାଷୀଙ୍କୁ ଅନୁମତି ଦେବାକୁ କୁହାଯାଇଛି । ଏହା ନହେଲେ ଆଗାମୀ ଦିନରେ ରାଜଧାନୀବାସୀ କୁକୁଡା ମାଂସ କିମ୍ବା ଅଣ୍ଡା ପାଇବେ ନାହିଁ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯିବା ସହିତ ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ଗ୍ରହଣ ଲାଗି ଅନୁରୋଧ କରାଯାଇଛି ।

ଉଲ୍ଲେଖନୀୟ ଯେ ବାର୍ଡ ଫ୍ଲୁ ଭୟ ଯିବା ପରେ ଏବେ କୁକୁଡା ଚାଷୀ ମହାସଂଘ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଅନ୍ୟ କେତେକ ସ୍ଥାନରେ କୁକୁଡାମାଂସରୁ ପ୍ରସ୍ତୁତ ପକୋଡା ଲୋକଙ୍କୁ ମାଗଣାରେ ବଣ୍ଟନ କରାଯାଇଛି । ଲୋକେ ମଧ୍ୟ ବିନା ଭୟରେ ଏହାକୁ ସେବନ କରୁଛନ୍ତି । ତେବେ କଟକଣା ଭୟ ଯୋଗୁଁ ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ ଆଦିରେ ଏବେ ବି କୁକୁଡାମାଂସ ଓ ଅଣ୍ଡାକୁ ବାରଣ କରାଯାଇଛି । ଯାହାର ପ୍ରତିକୂଳ ପ୍ରଭାବ ରାଜ୍ୟର କୁକୁଡା ଶିଳ୍ପ ଉପରେ ପଡିବା ସହିତ ଏହାର ମେରୁଦଣ୍ଡ ଭାଙ୍ଗିଦେବାକୁ ବସିଲାଣି । (ତଥ୍ୟ)