Home General ସରକାରଙ୍କ ଚିନ୍ତା ବଢ଼ାଉଛନ୍ତି ଛାମୁଆ ସଂଗଠନ

ସରକାରଙ୍କ ଚିନ୍ତା ବଢ଼ାଉଛନ୍ତି ଛାମୁଆ ସଂଗଠନ

ଭୁବନେଶ୍ୱର : ବାଣୀ ବିହାର ଓ ବାଲେଶ୍ୱର ପରିସ୍ଥିତି କ୍ଷମତାରେ ଥିବା ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଏଥିଘେନି ଦଳର ବହୁ ନେତା ବ୍ୟକ୍ତିଗତ ଭାବେ ବିରକ୍ତି ପ୍ରକାଶ କରୁଥିଲେ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରୁ ନାହାନ୍ତି ।

ଭାରତୀୟ ଜନତା ପାର୍ଟିର ଯୁବ ଶାଖା ଭାରତୀୟ ଜନତା ଯୁବ ମୋର୍ଚ୍ଚା । ସେହିଭଳି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହିତ ସମ୍ବନ୍ଧିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଜେପି ସହ ସଂପର୍କ କାହାକୁ ଅଛପା ନୁହେଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର ବହୁ ନେତା ଆରଏସ୍‍ଏସ୍‍ ଓ ଏବିଭିପି ଭିତ୍ତିଭୂମିରୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ନେତା ସୃଷ୍ଟି ହୋଇଛନ୍ତି ଏହି ମୂଳ ସଂଗଠନଗୁଡ଼ିକରୁ ।

ତେବେ ଗୋଟିଏ ଛତା ତଳେ ଏହି ସଂଗଠନଗୁଡ଼ିକ କାମ କରୁଥିବା ଏବଂ ‘ନେତା ଭଲ, ନୀତି ଭଲ’ ଆଦର୍ଶ ସହିତ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ଦାବି କରୁଥିବା ଯୁବମୋର୍ଚ୍ଚା ଓ ଏବିଭିପିର ସଦସ୍ୟମାନେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଯେଭଳି ନିଜ ନିଜ ଭିତରେ ରକ୍ତାକ୍ତ ସଂଘର୍ଷ କରି ପରସ୍ପର ବିରୋଧରେ ବିଭିନ୍ନ ଫୋରମ୍‍ରେ ଆପତ୍ତି ଉଠାଉଛନ୍ତି ତାହା ଦଳୀୟ କର୍ମକର୍ତ୍ତାଙ୍କ ମୁଣ୍ଡବିନ୍ଧା ବଢ଼ାଇ ଦେଇଛି ।

ଆଗକୁ ଛାତ୍ର ସଂସଦ ନିର୍ବାଚନ ଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଗୋଟିଏ ସଂଗଠନର ଦୁଇ ଗୋଷ୍ଠୀ ବିରୋଧୀଙ୍କ ବିରୋଧରେ ଲଢ଼ିବା ପରିବର୍ତ୍ତେ ନିଜ ନିଜ ଭିତରେ ଯେଭଳି ଲଢ଼ୁଛନ୍ତି ସେଥିରୁ ସଂଗଠନର ଛବି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମହଲରେ ମଳିନ ପଡୁଥିବାରୁ ଛାତ୍ର ସଂସଦ ନିର୍ବାଚନରେ ବିରୋଧୀମାନେ ଏଥିରୁ ଫାଇଦା ଉଠାଇବା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତବ୍ୟକ୍ତ କରୁଛନ୍ତି । ଅନ୍ୟପକ୍ଷରେ ଦଳ କି ସଂଗଠନର କର୍ମକର୍ତ୍ତାମାନେ କିନ୍ତୁ ଏ ପ୍ରସଂଗରେ କୌଣସି ଉତ୍ତର ରଖିବାକୁ ରାଜି ହେଉନାହାନ୍ତି ।

ସେହିଭଳି ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ୱୟଂ ଶାସିତ କଲେଜ୍‍ ପରିସରରେ ଏବିଭିପି ଜଣେ ଛାମୁଆ ନେତ୍ରୀ ସୌମ୍ୟାଶ୍ରୀ ବିଶି ନ୍ୟାୟ ନପାଇ ଆତ୍ମାହୂତି ଦେବା ଘଟଣା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଛାତ୍ରୀଙ୍କ ଦୁଃଖଦ ମୃତ୍ୟୁର କିଛିଦିନ ପରେ ଏବିଭିପିର ଦୁଇଜଣଙ୍କୁ କ୍ରାଇମ୍‍ବ୍ରାଞ୍ଚ ପୁଲିସ ଗିରଫ କରି ଜେଲ୍‍ ପଠାଇଛି । ପୂର୍ବରୁ ଏହି ଘଟଣାର ତଦନ୍ତ ବାଲେଶ୍ୱର ପୁଲିସ କରୁଥିଲା । ପରବର୍ତ୍ତୀ ସମୟରେ ତଦନ୍ତ ଦାୟିତ୍ୱ କ୍ରାଇମ୍‍ବ୍ରାଞ୍ଚର ଜଣେ ଡିଏସ୍‍ପିଙ୍କୁ ଦିଆଯାଇଥିଲା । ଛାତ୍ର ନେତା ଦୁଇଜଣଙ୍କ ଗିରଫଦାରୀ ପରେ ତଦନ୍ତ ଦାୟିତ୍ୱ କ୍ରାଇମ୍‍ବ୍ରାଞ୍ଚ ଏସ୍‍ପି ନେଇଛନ୍ତି । କ୍ରାଇମବ୍ରାଞ୍ଚ ଘଟଣାର ନିରପେକ୍ଷ ତଦନ୍ତ କରି ସତ୍ୟ ପଦାକୁ ଆଣିବ ବୋଲି ସମସ୍ତଙ୍କର ଆଶା ରହିଛି । ତେବେ ସୌମ୍ୟାଶ୍ରୀଙ୍କ ଆତ୍ମାହୂତି ବ୍ୟାପାରରେ ଏବିଭିପିର ଦୁଇଜଣ ଛାତ୍ର ନେତା ଗିରଫ ହେବା ଘଟଣାକୁ କେନ୍ଦ୍ର କରି ବିରୋଧୀମାନେ ଯେଉଁ ରାଜନୈତିକ ଖେଳ ଖେଳୁଛନ୍ତି ତାହାର ପ୍ରଭାବ ଛାତ୍ର ସଂସଦ ନିର୍ବାଚନ ଉପରେ କେତେଦୂର ପଡ଼ିବ ତାହା ସମୟ କହିବ ।

ତେବେ ବାଣୀବିହାର ଓ ବାଲେଶ୍ୱରର ଘଟଣା ପଛକୁ ପଟ୍ଟାମୁଣ୍ଡାଇରେ ଜଣେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ପୋଡ଼ି ହୋଇ ଆତ୍ମହତ୍ୟା କରିବା ଘଟଣା ନିଆଁରେ ଘିଅ ଢାଳିବା ଭଳି ହୋଇଛି । କେବଳ ଓଡ଼ିଶା ନୁହେଁ, ଦେଶର ବିଭିନ୍ନ ରାଜ୍ୟରେ ମହିଳା ଓ ବାଳିକାଙ୍କ ପ୍ରତି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାର ମିଳିତ ପ୍ରତିକାର କରିବା ପରିବର୍ତ୍ତେ ଶାସକ ଦଳ ସହ ଜଡ଼ିତ ଏହି ଦୁଇଟି ସଂଗଠନ ପରସ୍ପର ବିରୋଧରେ ଆକ୍ଷେପ ପ୍ରତିଆକ୍ଷେପ କରିବା ସହିତ ଲଢ଼େଇରେ ମାତିବା ଏକ ଅସ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରୁଛି । (ତଥ୍ୟ)