ଭୁବନେଶ୍ୱର : ତିନି ଜଣଙ୍କ ଜୀଅନ୍ତା ପୋଡି ହତ୍ୟା କରିଥିବା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର କୁମାର ପାଲ୍ ଓରଫ ଦାରା ସିଂହ ଜେଲରୁ ମୁକ୍ତି ପାଇବ କି ନାହିଁ ତାହା ଏବେ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି । ଏ ପ୍ରସଙ୍ଗରେ ପ୍ରାୟ ୨୫ବର୍ଷ ଧରି କାରାରୁଦ୍ଧ ଥିବା ଦାରା ସିଂହ ଆଠମାସ ତଳେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାବତ୍ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ସହ ପ୍ରତିଜବାବ ଦାଖଲ କରାଯାଇ ନାହିଁ ।
୧୯୯୯ ମସିହାରେ ଗ୍ରାହମ ଷ୍ଟେନ ଓ ତାଙ୍କ ଦୁଇ ନାବାଳକ ପୁତ୍ର ଫିଲିପ୍ ଓ ତିମୋଥି ଗାଡିରେ ଶୋଇଥିବାବେଳେ ସେମାନଙ୍କୁ ଗାଡି ସହ ଜୀଅନ୍ତା ପୋଡି ହତ୍ୟା କରାଯାଇଥିଲା । ଏମାନେ ଅଷ୍ଟ୍ରେଲିଆର ନାଗରିକ । ଏହି ପ୍ରସଙ୍ଗ ସେତେବେଳେ କେବଳ ଓଡିଶା କି ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା । ଏହି ମାମଲାରେ ଦାରା ସିଂହକୁ ଗିରଫ କରାଯାଇଥିଲା । ଆଇନ୍ ଅଦାଲତ ସାକ୍ଷ୍ୟପ୍ରମାଣ ଆଧାରରେ ଦାରାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୁପ୍ରିମ୍କୋର୍ଟରେ ଦାରା ଯୁକ୍ତି ବାଢିଛନ୍ତି ଯେ ଯୁବକ ଅବସ୍ଥାରେ ସେ ଏଭଳି ଅପରାଧରେ ସମ୍ପୃକ୍ତ ହୋଇଥିଲେ ଏବଂ ଏବେ ବାର୍ଦ୍ଧକ୍ୟ ଅବସ୍ଥାରେ ଏଥିଘେନି ଅନୁତାପ କରୁଛନ୍ତି । ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀକୁ ଯେଭଳି ଉଦାରତାର ସହ ଛାଡି ଦିଆଯାଇଥିଲା ସେହିଭଳି ତାଙ୍କୁ ମଧ୍ୟ ମୁକ୍ତ କରିବାପାଇଁ ସେ ବାରମ୍ବାର ସୁପ୍ରିମ୍କୋର୍ଟରେ ଗୁହାରି କରୁଛନ୍ତି । ଏହି ସମ୍ବେଦନଶୀଳ ମାମଲାରେ ଉତ୍ତର ଦାଖଲ ପାଇଁ ରାଜ୍ୟ ସରକାର ଓ ସିବିଆଇକୁ ପୂର୍ବରୁ ସୁପ୍ରିମ୍କୋର୍ଟ ନୋଟିସ୍ ଜାରି କରିଥିଲେ ମଧ୍ୟ ଏଯାବତ୍ ତାହା ଦାଖଲ ହୋଇପାରି ନାହିଁ ।
ତେବେ ଓଡିଶା ସରକାରଙ୍କ ପକ୍ଷରୁ ମାମଲା ଚଳାଉଥିବା ଓକିଲ ଏଥିଘେନି ବାରମ୍ବାର ସମୟ ମାଗି ଚାଲିଛନ୍ତି । ୨୦୨୨ରେ ରାଜ୍ୟ ସରକାର ଯେଉଁ ଉଦାର ନୀତି ପ୍ରଣୟନ କରିଛନ୍ତି ସେହି ଆଧାରରେ କାରାମୁକ୍ତ ହେବାପାଇଁ ଦାରା ଚାହୁଁଛନ୍ତି । ରାଜ୍ୟ ସରକାରଙ୍କ ଓକିଲ ତାଙ୍କ ଯୁକ୍ତିରେ କହିଛନ୍ତି ଯେ ଦାରାଙ୍କ ମୁକ୍ତି ଲାଗି ରାଜ୍ୟ ସରକାରଙ୍କ ୫ଟି କ୍ଷମତାପ୍ରାପ୍ତ କମିଟି ବୈଠକ କରି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇପାରିବେ ।
ଦାରାଙ୍କ ଯୁକ୍ତି ହେଉଛି ଯେ ଆଜୀବନ କାରାଦଣ୍ଡ ଭୋଗୁଥିବା ବହୁ ଅପରାଧିଙ୍କୁ ବିଭିନ୍ନ ରାଜ୍ୟ ସରକାର କମିଟିଙ୍କ ସୁପାରିଶ୍ ମୁତାବକ କୋହଳ ମନୋଭାବ ପୋଷଣ କରି କାରାମୁକ୍ତ କରିଛନ୍ତି । ତେବେ ତିନିଜଣ ବିଦେଶୀଙ୍କୁ ଜୀଅନ୍ତା ପୋଡି ମାରିବା ଘଟଣାରେ ଯଦି ଦାରାଙ୍କ ପ୍ରତି ସରକାର କୋହଳ ମନୋଭାବ ପୋଷଣ କରି ଖଲାସ କରନ୍ତି ତେବେ ତାହା ଉପରେ କ’ଣ ପ୍ରତିକ୍ରିୟା ପ୍ରକାଶ ପାଇବ ସେଥିଘେନି ରାଜନୈତିକ ଛକାପଞ୍ଝା ଚାଲିଛି । ଏହାଛଡା ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ଏଡି ପ୍ରସଙ୍ଗ ଉପରେ ନଜର ରଖିଛନ୍ତି ।
ଦାରା ସିଂ ଓଡିଶାର ଲୋକ ନୁହନ୍ତି । ତେବେ ଓଡିଶାରେ ସେ ଏଭଳି ଅପରାଧ ଘଟାଇଥିବା ଆଇନ ଅଦାଲତରେ ପ୍ରମାଣିତ ହୋଇସାରିଛି । ଦାରାଙ୍କୁ ମୁକ୍ତ କରିବା ସପକ୍ଷରେ ରାଜ୍ୟ ସରକାରଙ୍କ କ୍ଷମତାପନ୍ନ କମିଟି ସୁପାରିଶ୍ କରିବ କି ନାହିଁ ଏବଂ ସେହି ଆଧାରରେ ତାଙ୍କୁ ରାଜ୍ୟ ସରକାର କ୍ଷମତା ପ୍ରଦାନ କରି କାରାମୁକ୍ତ କରିବେ କି ନାହିଁ ତାହା ମାସେ ଦୁଇମାସ ଭିତରେ ସ୍ପଷ୍ଟ ହୋଇଯାଇପାରେ । (ତଥ୍ୟ)