Home Health ସମ୍‌ରେ ଚତୁର୍ଥ ଥର ପାଇଁ ଅଙ୍ଗଦାନ

ସମ୍‌ରେ ଚତୁର୍ଥ ଥର ପାଇଁ ଅଙ୍ଗଦାନ

ଭୁବନେଶ୍ୱର : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ସୋମବାର ଜଣେ ୫୨ ବର୍ଷୀୟ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ ଯକୃତ ବାହାର କରାଯାଇ ଭୁବନେଶ୍ୱରର ଅନ୍ୟ ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପ୍ରେରଣ କରାଯାଇଛି ।

ଗତ ଅଗଷ୍ଟ ୩୧ରେ ଏକ ସଡ଼କ ଦୁର୍ଘଟଣାରେ ଗଭୀର ଆଘାତ ପାଇଥିବା ଜଣେ ସୁରକ୍ଷାକର୍ମୀଙ୍କୁ ଚିକିତ୍ସା ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ରବିବାର ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା ।

ଭୁବନେଶ୍ୱର ଉପକଣ୍ଠ ଛତାବରରେ ଏକ ଅନୁଷ୍ଠାନରେ ସିକ୍ୟୁରିଟି ଗାର୍ଡ ଥିବା ହୁଲାସ ଦିହୁଡି ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଏକ ବାଇକ ଚାଳକ ଧକ୍କା ଦେବା ଫଳରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ସମ ହସ୍ପିଟାଲ୍‌ରେ ଭର୍ତି କରାଯିବା ପରେ ସେ ଭେଂଟିଲେଟର ସାହାଯ୍ୟରେ ଚିକିତ୍ସାଧୀନ ଥିଲେ ।

ସେ ଟ୍ରମାଟିକ୍ ବ୍ରେନ୍ ଇଞ୍ଜୁରିର ଶିକାର ହୋଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନଥିଲା । ଅନେକ ଚିକିତ୍ସା ସତ୍ୱେ ତାଙ୍କୁ ବ୍ରେନ୍ ଡେଡ ବୋଲି ପରିବାର ସଦସ୍ୟଙ୍କୁ ଜଣାଇ ଦିଆଯାଇଥିଲା ବୋଲି ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି ।

ଏହାପରେ ପରିବାର ସଦସ୍ୟମାନେ ଅନ୍ୟର ଜୀବନ ବଂଚାଇବା ପାଇଁ ତାଙ୍କର ଅଙ୍ଗଦାନ କରିବା ନିମନ୍ତେ ନିଷ୍ପତି ନେଇଥିଲେ ।

ହସ୍ପିଟାଲ୍ କର୍ତୃପକ୍ଷ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ) ଏବଂ ନ୍ୟାସନାଲ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ନୋଟୋ) ସହ ଯୋଗାଯୋଗ କରି ଅଙ୍ଗ ବାହାର କରି ପ୍ରତ୍ୟାରୋପଣ ପ୍ରକ୍ରିୟାର ପ୍ରସ୍ତୁତି କରିଥିଲେ ।

ଏହାକୁ ମିଶାଇ ସମ୍ ହସ୍ପିଟାଲରେ ୪ର୍ଥ ଥର ପାଇଁ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ବାହାର କରାଯାଇ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରିବା ପ୍ରକ୍ରିୟା ସମ୍ପନ୍ନ କରାଯାଇଥିବା ପ୍ରଫେସର ସାମନ୍ତସିଂହାର କହିଥିଲେ ।