ଭୁବନେଶ୍ୱର,: ନ୍ୟାସ୍ନାଲ୍ ଇଂଟେନ୍ସିଭ୍ କେୟାର ସପ୍ତାହ ପାଳନ ଓ କ୍ରିଟିକାଲ୍ କେୟାର କ୍ଷେତ୍ରରେ ଅବିରତ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍) ପକ୍ଷରୁ ଶୁକ୍ରବାର ଏକ ମାରାଥନ୍ ଆୟୋଜିତ ହୋଇଯାଇଛି । ଏହି ମାରାଥନ୍ରେ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇପିଏସ ଅଫିସର ତଥା ଓଡ଼ିଶା ପୋଲିସର ଆଇ.ଜି (ଅପରେସନ୍ସ) ଶ୍ରୀ ଅମିତାଭ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତରମାନଙ୍କୁ ସୁରକ୍ଷା ଦେବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।
କୋଭିଡ ମହାମାରୀ ଆରମ୍ଭ ହେବା ପରେ ବିଗତ ଦୁଇ ବର୍ଷ ଧରି ଡାକ୍ତରମାନେ ଏବଂ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କର ସମାଜ ପ୍ରତି ଅନେକ ଅବଦାନ ଓ ତ୍ୟାଗ ରହିଛି । ନିଜ ଜୀବନକୁ ବାଜି ଲଗାଇ ସେମାନେ ରୋଗୀ ସେବା କରିଛନ୍ତି । ତେଣୁ ସେମାନଙ୍କ ପ୍ରତି ଆମର ଉଦାରତା ଓ ମହାନତା ଦେଖାଇବା ଉଚିତ ବୋଲି ଶ୍ରୀ ଠାକୁର କହିଛନ୍ତି ।
ସମ୍ ଅଲ୍ଟିମେଟ ମେଡିକେୟାର ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍ସିସିଏମ୍)ର ମିଳିତ ସହଯୋଗରେ ଆୟୋଜିତ ଏହି ମାରାଥନ୍ରେ ଫ୍ଲାଗଅଫ୍ କରିବା ଅବସରରେ ଏହା କହିଛନ୍ତି ଶ୍ରୀ ଠାକୁର । କାର୍ଯ୍ୟକ୍ରମରେ ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଏବଂ ଆଇଏସ୍ସିସିଏମ୍ର ଭୁବନେଶ୍ୱର ଶାଖାର ସଦସ୍ୟମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ କ୍ରିଟିକାଲ କେୟାର ମେଡିସିନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ମାରାଥନ ଆୟୋଜନ କରାଯାଇଛି । ନିଜ ସ୍ୱାସ୍ଥ୍ୟ ପାଇଁ, ନିଜ ଜୀବନ ପାଇଁ , ନିଜ ଭବିଷ୍ୟତ ପାଇଁ ଏବଂ ନିଜ ସମାଜ ପାଇଁ ଦୌଡିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ମାରାଥନର ଥିମ୍ ରହିଥିଲା “ସେଭ ଦ ସେଭିୟର୍ସ” । ସମ୍ମମ୍ର ଡେପୁଟି ମେଡିକାଲ ସୁପରିଟେଂଡେଂଟ ଡାକ୍ତର ଆନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଏସ୍ସିସିଏମର ନ୍ୟାସନାଲ ସେକ୍ରେଟାରୀ -ଇଲେକ୍ଟ ଡାକ୍ତର ୱାଇ.ପି. ସିଂହ, ଆମେରିକାର ଫ୍ଲୋରିଡା ସ୍ଥିତ ମାୟୋ କ୍ଲିନିକର ସିନିଅର କନସୁଲଟାଂଟ ତଥା ଇକମୋ ୟୁନିଟ୍ର ମୁଖ୍ୟ ଡାକ୍ତର ପ୍ରମୋଦ କୁମାର ଗୁରୁ, ଆଇଏସସିସିଏମ ଭୁବନେଶ୍ୱର ଶାଖାର ଚେୟାରମ୍ୟାନ ଡାକ୍ତର ପ୍ରଜ୍ଞାନ ରାଉତରାୟ ଓ ସମ୍ମମ୍ର କ୍ରିଟିକାଲ କେୟାର ମେଡିସିନ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
ସମ୍ମମ୍ର ଚିଫ ଅଫ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ହସ୍ପିଟାଲର ଡାକ୍ତର, ନର୍ସ ଓ ପାରାମେଡିକ୍ସ ଏବଂ ଅନ୍ୟାନ୍ୟ କର୍ମକର୍ତାମାନେ ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ମାରାଥନରେ ଦୌଡିଥିଲେ ।