ଭୁବନେଶ୍ୱର : ସାମୁଦ୍ରିକ ପ୍ରଯୁକ୍ତି ବିଦ୍ୟାର ଉପଯୁକ୍ତ ବିନିଯୋଗ କରାଯାଇପାରିଲେ ତାହା ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରିବ ବୋଲି ଦେଶ ବିଦେଶରେ ଗବେଷଣା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବୈଜ୍ଞାନିକମାନେ ମତବ୍ୟକ୍ତ କରୁଛନ୍ତି । ନିକଟରେ ରାଜ୍ୟ ସରକାର ଓଡ଼ିଶା ସାମୁଦ୍ରିକ ପ୍ରଯୁକ୍ତି ବିଦ୍ୟା ଗବେଷଣା ଓ ନବସୃଜନ କରିଡର୍ (ଓମ୍ବ୍ରିକ୍) ଆରମ୍ଭ କରିଛନ୍ତି । ଏଥିଲାଗି ୭ଟି ଗବେଷଣା ସଂସ୍ଥା ସହିତ ମଧ୍ୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଓମ୍ବ୍ରିକ୍ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହଯୋଗୀ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଡ. ସ୍ୱୟଂ ପ୍ରକାଶ କହିଛନ୍ତି ଯେ ଠିକଣା ଭାବେ କାର୍ଯ୍ୟ କରାଗଲେ ଏହି ସଂସ୍ଥା ଏକ ଆକର୍ଷଣୀୟ ଷ୍ଟାର୍ଟଅପ୍ ଭାବେ କାମ କରିବ । ଏହା ମାଧ୍ୟମରେ ପରିବେଶ ସୁରକ୍ଷା, ବିଜ୍ଞାନ ଭିତ୍ତିକ ପର୍ଯ୍ୟଟନ, ଲୁଣ ଶିଳ୍ପ, ସାମୁଦ୍ରିକ ସଂପଦର ଉପଯୁକ୍ତ ବିନିଯୋଗ ମାଧ୍ୟମରେ ବ୍ୟାପକ ରୋଜଗାର ସୃଷ୍ଟି କରାଯାଇପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।
ଗଣମାଧ୍ୟମକୁ ସାକ୍ଷାତକାରରେ ଏହି ବାୟୋଟେକ୍ ବୈଜ୍ଞାନିକ କହିଛନ୍ତି ଯେ ରାଜ୍ୟର ୪୮୦ କିଲୋମିଟର ଦୈର୍ଘ୍ୟର ସାମୁଦ୍ରିକ ବେଳାଭୂମି ଓ ୧୧୦୦ ବର୍ଗ କିଲୋମିଟର ପରିମିତ ଚିଲିକା ହ୍ରଦର ସଂରକ୍ଷଣ ଓ ବିକାଶ ମାଧ୍ୟମରେ ରାଜ୍ୟ ଅର୍ଥନୀତିକୁ ସମୃଦ୍ଧ କରିବା ଲାଗି ଏଥିରେ ବ୍ୟାପକ ସୁଯୋଗ ରହିଛି । ଗୁଜରାଟ ସମେତ ବିଶ୍ୱର ଅନେକ ସ୍ଥାନରେ ପବନ ଚାଳିତ କଳ ମାଧ୍ୟମରେ ଜଳସେଚନ ସମେତ ଶକ୍ତି ଉତ୍ପାଦନ ଆଦି କରାଯାଇପାରୁଛି । ଓଡ଼ିଶାରେ ମଧ୍ୟ ଏ କ୍ଷେତ୍ରରେ କାମ କରିବାର ପ୍ରଚୁର ସମ୍ଭାବନା ରହିଛି । ସମୁଦ୍ର, ଚିଲିକା ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଜୈବ ବିବିଧତା ଓଡ଼ିଶାର ବିକାଶ ପାଇଁ ପ୍ରକୃତିର ଆଶୀର୍ବାଦ ଭାବେ କାମ କରିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ଚିଲିକା ଓ ବଙ୍ଗୋପ ସାଗରରେ ଥିବା ଅନେକ ଦ୍ରୁମରୁ ଔଷଧ ପ୍ରସ୍ତୁତି ସହିିତ ସାର ଏବଂ ଗୋଖାଦ୍ୟ ଆଦି ମଧ୍ୟ ପ୍ରସ୍ତୁତ କରାଯାଇପାରିବ । ବିଶେଷକରି ଚିଲିକାର ନଳବଣ ଘାସ ସେ ଅଞ୍ଚଳର ମଇଁଷି ଓ ଗାଈଗୋରୁଙ୍କ ପାଇଁ ବରଦାନ ହୋଇଥିବାରୁ ଏହାର ବିଜ୍ଞାନ ସମ୍ମତ ଉପଯୋଗ କରାଗଲେ ରାଜ୍ୟର ପଶୁ ସଂପଦ ବିକାଶ କ୍ଷେତ୍ରରେ ବି ଅନେକ କିଛି କରିହେବ । ଏହାଛଡ଼ା ହେନ୍ତାଳ ବଣଠାରୁୂ ଆରମ୍ଭ କରି ଅନ୍ୟ ଜୈବ ବିବିଧତାର ପୂର୍ଣ୍ଣ ଉପଯୋଗ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।
ଉପଯୁକ୍ତ ଗବେଷଣା ମାଧ୍ୟମରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁଉଚ୍ଚ ଦୀର୍ଘସ୍ଥୟୀ ଗ୍ରୀନ୍ କରିଡର୍ ସୃଷ୍ଟି କରାଗଲେ ତାହା ଝଡ଼ବାତ୍ୟା କବଳରୁ ଉପକୂଳବର୍ତ୍ତୀ ଅଞ୍ଚଳକୁ ସୁରକ୍ଷାଦେବା ସହିତ କୃଷିର ବିକାଶରେ ମଧ୍ୟ ସହଯୋଗ କରିବ ବୋଲି ଡ. ସ୍ୱୟଂ ପ୍ରକାଶ ଉଲ୍ଲେଖ କରିଛନ୍ତି । ଏହାଛଡ଼ା ଚିଲିକା ଓ ବଙ୍ଗୋପ ସାଗରକୁ ସଂଯୋଗ କରୁଥିବା ନଦୀନାଳଗୁଡ଼ିକୁ ପ୍ରଦୂଷଣମୁକ୍ତ କରିବା ସଂଗେ ସଂଗେ ତାହାର ଉପରମୁଣ୍ଡରେ ବ୍ୟାପକ ବୃକ୍ଷରୋପଣ କରି ମୃତ୍ତିକା ଅବକ୍ଷୟ ରୋକିବା ସହିତ ଚିଲିକାରୁ ପଙ୍କ ଉଦ୍ଧାର ଉପରେ ଗୁରୁତ୍ୱ ଦିଆଗଲେ ତାହା ରାଜ୍ୟର ଆର୍ôଥକ ବିକାଶ କ୍ଷେତ୍ରରେ ସହଯୋଗ ଦେଇପାରିବ । ଏହାଛଡ଼ା ସାମୁଦ୍ରିକ ଜୁଆର ଏବଂ ସୌରଶକ୍ତିରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଓମ୍ବ୍ରିକ୍ ଗୁରୁତ୍ୱ ଦେଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ।
ଅତୀତରେ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଚିଲିକା ହ୍ରଦର ଆଖପାଖରେ ବ୍ୟାପକ ଲୁଣ ଉତ୍ପାଦିତ ହେଉଥିଲା । ଏବେ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ଲୁଣ ଲାଗି ଓଡ଼ିଶା ଅନ୍ୟରାଜ୍ୟଗୁଡ଼ିକ ଉପରେ ନିର୍ଭର କରୁଛି । କିନ୍ତୁ ଓଡ଼ିଶା ଉପକୂଳରେ ଲୁଣ ଉତ୍ପାଦନ ସହ ଏଥିରେ ଆୟୋଡିନ୍ ମିଶ୍ରଣ କରାଯାଇପାରିଲେ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ସହିତ ଅନ୍ୟ ରାଜ୍ୟମାନଙ୍କୁ ଓଡ଼ିଶା ବାର୍ଷିକ ଅନ୍ୟୁନ ୩୦ଲକ୍ଷ ମେଟ୍ରିକ୍ ଟନ୍ ଲୁଣ ଯୋଗାଇ ପାରିବ ଏବଂ ଏହା ମାଧ୍ୟମରେ ବି ବ୍ୟାପକ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । (ତଥ୍ୟ)