ଭୁବନେଶ୍ୱର : ଓଡିଶାର ସାମୁଦ୍ରିକ ବେଳାଭୂମିରେ ପ୍ରଚୁର ପରିମାଣର ଥୋରିୟମ ଓ ଟିଟାନିୟମ ଭଳି ବିରଳ ପଦାର୍ଥମାନ ରହିଛି । ସମୁଦ୍ର ବାଲିରୁ ଏହା ମିଳୁଥିବାରୁ ବିଶେଷକରି ପୁରୀ-କୋଣାର୍କ ବେଳାଭୂମିକୁ କବ୍ଜା କରିବାଲାଗି ବହୁ ସଂସ୍ଥା ଉଦ୍ୟମକରି ଆସୁଛନ୍ତି ।
ଓଡିଶା ଉପକୂଳରେ ଉପଲବ୍ଧ ବିରଳ ମୃତ୍ତିକା ସଂଗ୍ରହ କରିବାଲାଗି ଅବଶ୍ୟ ଗୋପାଳପୁର ନିକଟରେ ଭାରତୀୟ ବିରଳ ମୃତ୍ତିକା କେନ୍ଦ୍ର ରହିଛି । ଏହା ଗବେଷକମାନଙ୍କୁ ଅବଶ୍ୟ ବେଶ୍ ସହାୟତା ଯୋଗାଉଛି ।
ଆର୍ନ୍ତଜାତିକ ଖ୍ୟାତି ସମ୍ପନ୍ନ ଜଣେ ପଦାର୍ଥ ବିଜ୍ଞାନବିତ୍ କହିଛନ୍ତି ଯେ ସମୁଦ୍ର ବାଲିରୁ ମିଳୁଥିବା ଥୋରିୟମ ଆଣବିକ ଶକ୍ତି ଉତ୍ପନ୍ନ କରିବାପାଇଁ ଆବଶ୍ୟକ । ବିଶେଷକରି ଏହା ଆଣବିକ ରିଆକ୍ଟରରେ ବ୍ୟବହୃତ ହୋଇଥାଏ । ଥୋରିୟମ ଭଳି ସମୁଦ୍ର ବାଲିରୁ ମିଳୁଥିବା ଟିଟାନିୟମ ମହାକାଶଯାନ ନିର୍ମାଣରେ ମଧ୍ୟ ବ୍ୟବହୃତ ହୋଇଥାଏ । ଦେଶର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଏହା ଏକ ମୂଲ୍ୟବାନ ପଦାର୍ଥ ।
ଉଭୟ ପଦାର୍ଥ ବିଜ୍ଞାନୀ ଓ ଚିକିତ୍ସା ବିଜ୍ଞାନୀମାନେ ସ୍ୱୀକାର କରନ୍ତି ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଏହି ବିରଳ ମୃତ୍ତିକାର ବ୍ୟାପକ ଉନଯୋଗ ହୋଇଥାଏ । ଦନ୍ତ ପୀଡା ଦୂର କରିବାପାଇଁ ଅସଲି ଦାନ୍ତ କାଢି କୃତ୍ରିମ ଦାନ୍ତ ପ୍ରସ୍ତୁତ ଲାଗି ଟିଟାନିୟମ ମଧ୍ୟ ଆବଶ୍ୟକ ପଡେ । ସେହିଭଳି ହୃଦଯନ୍ତ୍ରର ଧମନୀ ଅବରୋଧ ହୋଇଯାଇଥିଲେ ତାହାକୁ ପରିଷ୍କାର କରିବାପାଇଁ ଆଞ୍ଜିଓପ୍ଲାଷ୍ଟ ମାଧ୍ୟରେ ଯେଉଁ ଷ୍ଟେଣ୍ଟ ଲଗାଯାଉଛି ତାହାର ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ଏହି ବିରଳ ମୃତ୍ତିକାର ଆବଶ୍ୟକତା ପଡିଥାଏ । କେବଳ ସେତିକି ନୁହେଁ କିଡ୍ନୀ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଟିଟାନିୟମ ବିଜ୍ଞାନ ସମ୍ମତ ପଦ୍ଧତିରେ ବ୍ୟବହୃତ ହୋଇଥାଏ ।
ପରିବେଶ ବିଜ୍ଞାନୀମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ଯେ ଓଡିଶା ଉପକୂଳରେ ଯେତେ ପରିମାଣର ଟିଟାନିୟମ, ଥୋରିୟମ ଭଳି ବିରଳ ମୃତ୍ତିକାମାନ ରହିଛି ଏଯାବତ୍ ତାହାର ପୂର୍ଣ୍ଣ ଉପଯୋଗ କରାଯାଇନାହିଁ । ଆର୍ନ୍ତଜାତିକ ବଜାରରେ ଏହାର ଚାହିଦା ଓ ମୂଲ୍ୟ ଢେର ଉଚ୍ଚ ରହୁଥିବାରୁ ବହୁ ବ୍ୟବସାୟିକ ସଂସ୍ଥାର ନଜର ମଧ୍ୟ ଏହି ବିରଳ ମୃତ୍ତିକା ଉପରେ ରହିଛି ।
ଅତୀତରେ ବହୁ ବ୍ୟବସାୟିକ ସଂସ୍ଥା ସାମୁଦ୍ରିକ ବେଳାଭୂମିକୁ କବ୍ଜା କରିବାପାଇଁ ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ ଆଦି ନାମରେ ସମୁଦ୍ର ଉପକୂଳରେ ହଜାର ହଜାର ଏକର ସମ୍ପତ୍ତି ନେଇଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଅବଶ୍ୟ ଗୋଟିଏ ବ୍ୟବସାୟିକ ସଂସ୍ଥାର ବିଶ୍ୱବିଦ୍ୟାଳୟ ପରିକଳ୍ପନା ମଉଳି ଯାଇଛି ।
ଏବେ ଜଣାପଡୁଛି ଯେ କେନ୍ଦ୍ରାପଡା ଜିଲ୍ଲାରେ କେତେକ ସଂସ୍ଥା ସମୁଦ୍ର ଭିତରେ ଥିବା ଦ୍ୱୀପ ଓ ବେଳାଭୂମିକୁ ଶାଗମାଛ ଦରରେ କିଣି ନେଇଛନ୍ତି । ଏହା ଜଣାପଡିବା ପରେ ସରକାରୀ ସ୍ତରରେ ଖୋଳତାଡ ଚାଲିଛି । ଏହା ପଛରେ ବି ବିରଳ ମୃତ୍ତିକା ର୍ୟାକେଟ୍ କାମ କରୁଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ବିରଳ ମୃତ୍ତିକା ସହିତ ଓଡିଶାର ସାମୁଦ୍ରିକ ବେଳାଭୂମିର ବିଭିନ୍ନ ସ୍ଥାନରେ ବିରଳ ନାଲି କଙ୍କଡାମାନ ଦୃଶ୍ୟମାନ ହୁଅନ୍ତି । ବିଶେଷକରି ଚିଲିକାର ସାମୁଦ୍ରିକ ଉପକୂଳ ଏବଂ ଗହୀରମଥା, ସାତଭାୟା ଆଦି ଅଞ୍ଚଳରେ ବହୁ ସଂଖ୍ୟକ ନାଲି କଙ୍କଡା ସମୁଦ୍ରବାଲିରେ ଦେଖାଯାଆନ୍ତି । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ରୋଗପାଇଁ ଏହି ନାଲି କଙ୍କଡାଙ୍କୁ ବ୍ୟବହାର କରି ଉନ୍ନତମାନର ଔଷଧ ପ୍ରସ୍ତୁତ କରାଯାଇଥାଏ । ସାମୁଦ୍ରିକ ବେଳାଭୂମି ବ୍ୟବସାୟିକ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କ କବଜାକୁ ଗଲେ ଅଥବା ଏହାର ପରିବେଶଗତ ଦିଗ ପ୍ରତି ଆଖିବୁଜି ଦିଆଗଲେ ରାଜ୍ୟରୁ ବିରଳ ମୃତ୍ତିକା ସମେତ ନାଲି କଙ୍କଡା ଓ ଅଲିଭ ରିଡ୍ଲେ କଇଁଛ ଆଦିଙ୍କ ସତ୍ତା ବିପନ୍ନ ହୋଇପାରେ ବୋଲି ପରିବେଶ ବିଶେଷଜ୍ଞମାନେ ବାରମ୍ବାର ଆଶଙ୍କାବ୍ୟକ୍ତ କରୁଥିବାରୁ ଏହାର ସଂରକ୍ଷଣ ରାଷ୍ଟ୍ରହିତ ଦୃଷ୍ଟିରୁ ଏକାନ୍ତ ଜରୁରୀ ବୋଲି କୁହାଯାଉଛି । (ତଥ୍ୟ)

