ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ୧୧ଟି ନଦୀରେ ୯୫ହଜାର ନିୟୁତ କ୍ୟୁବିକ ମିଟରରୁ ଅଧିକ ଜଳ ପ୍ରବାହିତ ହେଉଥିବାବେଳେ ମୌସୁମୀ ଓ ଅଣମୌସୁମୀ ଋତୁରେ ଏଥିରୁ କେତେ ଜଳ ସମୁଦ୍ରକୁ ବୋହି ଯାଉଛି ତାହାର ସଠିକ ହିସାବ ନାହିଁ । ସରକାର ଏବେ ଏହାର ଅନୁଧ୍ୟାନ କରୁଛନ୍ତି ।
ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ପ୍ରମୁଖ ୧୧ଟି ନଦୀ ଯଥା ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ଋଷିକୂଲ୍ୟା, ବଂଶଧାରା, ନାଗାବଳୀ, ଇନ୍ଦ୍ରାବତୀ, କୋଲାବ, ସୁବର୍ଣ୍ଣରେଖା ଓ ବାହୁଦା ଆଦି ପ୍ରବାହିତ ହେଉଛି । ଏହି ନଦୀଜଳର ଜଳସେଚନ, ପାନୀୟଜଳ, ସାଧାରଣ ବ୍ୟବହାର ଶିଳ୍ପ, ବିଦ୍ୟୁତ୍ ଉତ୍ପାଦନ ଓ ପରିବେଶ ଆଦି ପାଇଁ ବ୍ୟବହାର ହୋଇଥାଏ । ତେବେ ଏହି ବଡ ବଡ ନଦୀରେ ପ୍ରବାହିତ ଜଳ ମଧ୍ୟରେ ଉଭୟ ଋତୁରେ କେତେ ପରିମାଣର ଜଳ ସମୁଦ୍ରକୁ ବୋହି ଯାଉଛି ତାହାର ହିସାବ ଏବେ ବି କରାଯାଇ ପାରିନାହିଁ ।
ତେବେ ନଦୀ ଜଳର ସୁବିନିଯୋଗ ପାଇଁ ରାଜ୍ୟ ସରକାର ୨୦୨୦ ରେ ନଦୀଗର୍ଭ ଜଳାଶୟ ଯୋଜନା ଆରମ୍ଭ କରିଥିଲେ । ତିନି ପର୍ଯ୍ୟାୟରେ ମୋଟ୍ ୬୬ଟି ନଦୀଗର୍ଭ ଜଳାଶୟ ନିର୍ମାଣ ପାଇଁ ଯୋଜନା କରାଯାଇଛି । ଏଥି ସହିତ ବିଭିନ୍ନ ନଦୀରେ ଡ୍ୟାମ ଓ ବ୍ୟାରେଜ ନିର୍ମାଣ ପାଇଁ ମଧ୍ୟ ଯୋଜନା ରହିଛି ।
ଯେଉଁସବୁ ନଦୀରେ ମୋଟ୍ ୩୧ଟି ଡ୍ୟାମ୍ ବା ବନ୍ଧ ତିଆରି ହେବାର ଯୋଜନା ରହିଛି ସେଗୁଡିକ ମଧ୍ୟରେ ରହିଛି ଜୀରା, ନାଗାବଳୀ, ବଂଶଧାରା, ରନଯୋର, ବୃତ୍ତଙ୍ଗ, ଅଙ୍ଗ, ଇବ୍, ତେଲ୍, ମହାନଦୀ ସମେତ ଅନ୍ୟାନ୍ୟ ଛୋଟ ବଡ ନଦୀ ରହିଛି । ମହାନଦୀ ଉପରେ ଇବ୍ ପ୍ରକଳ୍ପ, ଲକ୍ଷ୍ମୀପଥର ଓ ତେଲିଜୋର ଆଦି ପ୍ରକଳ୍ପର ଯୋଜନା କରାଯାଇଛି । ସେହିଭଳି ବଂଶଧାରା ଉପରେ ଅପର ବଂଶଧାରା ଓ ନାଗାବଳୀ ଉପରେ ଲୋୟର ନାଗାବଳୀ ବନ୍ଧ ଯୋଜନା ରହିଛି ।
୨୭ଟି ବ୍ୟାରେଜ ହେବାକୁ ଥିବା ନଦୀ ମଧ୍ୟରେ ବୁଢାବଳଙ୍ଗ, ଇବ୍, ଋଷିକୂଲ୍ୟା, ତେଲ, ଉଦନ୍ତୀ, ସାଲକି, ସୁବର୍ଣ୍ଣରେଖା ଆଦି ନଦୀ ରହିଛି । ଋଷିକୂଲ୍ୟା ଉପରେ ଦୁଇଟି ବ୍ୟାରେଜ ଯଥା ବନ୍ତ ଓ ବଡନଦୀ ନିର୍ମାଣ ହେବାକୁ ଥିବାବେଳେ ତେଲ ନଦୀ ଉପରେ ମାଣିକପୁର ଓ କୁକେଡମାଲ ଠାରେ ଦୁଇଟି ବ୍ୟାରେଜ ପ୍ରସ୍ତାବ ରହିଛି । ସେହିଭଳି ଉଦନ୍ତୀ ନଦୀ ଉପରେ ଅପର ଉଦନ୍ତୀ ଓ ଲୋୟର ଉଦନ୍ତୀ ବ୍ୟାରେଜ ପ୍ରକଳ୍ପର ଯୋଜନା ଅଛି ।
ସେହିଭଳି ରାଜ୍ୟରେ ପ୍ରସ୍ତାବିତ ୪୭ଟି ନଦୀ ଗର୍ଭ ଜଳାଶୟ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ବୁଢାବଳଙ୍ଗ ସମେତ ଏହାର ଶାଖାନଦୀଗୁଡିକରେ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଗ୍ରୀଷ୍ମ ଦିନରେ ଯେଭଳି ନଦୀ ଶଯ୍ୟା ଶୁଷ୍କ ହୋଇଯାଉଛି ଓ ଲୋକେ ପାଣି ଟୋପାଏ ପାଇଁ ଛଟପଟ ହେଉଛନ୍ତି ସେଥିରେ ବିରାମ ଲାଗିବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । (ତଥ୍ୟ)