ଭୁବନେଶ୍ୱର : ଓଡିଶାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଖାପାଖି ଅଧା ଶିକ୍ଷକ ପଦବୀ ଖାଲିପଡିଛି । ଶିକ୍ଷକ ଅଭାବରୁ ଶିକ୍ଷାଦାନ ଗୁରୁତର ଭାବେ ବର୍ଷ ବର୍ଷ ଧରି ବ୍ୟାହତ ହେଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ୱ ଗ୍ରହଣ କରିବାପରେ ଏହି ସମସ୍ୟା ଶୀଘ୍ର ସମାଧାନ ହୋଇପାରିବ ବୋଲି ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ମହଲ ଆଶା ପ୍ରକାଶ କରୁଛନ୍ତି ।
ଓଡିଶାରେ ଏବେ ଭୁବନେଶ୍ୱର ନିକଟରେ ଆଇଆଇଟି, ନାଇଜର, ଜୀବ ବିଜ୍ଞାନ ପ୍ରତିଷ୍ଠାନ, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଆରଏମ୍ଆରସି, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଡିଏମ ସ୍କୁଲ, ସୈନିକ ସ୍କୁଲ ଆଦି ଥିବାବେଳେ ବ୍ରହ୍ମପୁରରେ ଆଇଜର, ସମ୍ବଲପୁରରେ ଆଆଇଏମ୍, କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କଟକରେ ହିନ୍ଦୀ ଶିକ୍ଷଣ ସଂସ୍ଥାନ, ଢେଙ୍କାନାଳରେ ଆଇଆଇଏମସି ଭଳି କେନ୍ଦ୍ରୀୟ ଶିକ୍ଷା ସଂସ୍ଥାନମାନ ରହିଛି । ଏହାଛଡା ରାଜ୍ୟରେ ପ୍ରାୟ ୪୦ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ୩୦ରୁ ଅଧିକ ନବୋଦୟ ବିଦ୍ୟାଳୟ ବିଭିନ୍ନ ଜିଲ୍ଲାରେ ଅଛି । ଏମସ ଭଳି ଜାତୀୟ ସଂସ୍ଥାନ ବି ଭୁବନେଶ୍ୱରରେ ପ୍ରତିଷ୍ଠିତ ହୋଇଛି ।
ଏଥିରୁ କେତେକ କେନ୍ଦ୍ରୀୟ ସଂସ୍ଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିୟନ୍ତ୍ରଣରେ ଥିବାବେଳେ ଅଧିକାଂଶ ଶିକ୍ଷା ବିଭାଗରେ ଅଧିନରେ ଅଛି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭକରି କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ସବୁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ବ୍ୟାପକ ସଂଖ୍ୟକ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ଖାଲିପଡିଛି । କାମ ଚଳାଇବାପାଇଁ କେତେକ ସ୍ଥାନରେ ଠିକା ଶିକ୍ଷକ ନିଯୁକ୍ତ ହେଉଛନ୍ତି ।
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଲାଗି ୫୪ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ଏଠି ୨୬ଜଣ ଶିକ୍ଷକରେ କାମ ଚଳାଯାଉଛି । ଫଳରେ ଶିକ୍ଷକ ତାଲିମ ପାଇଁ ଗଢାଯାଇଥିବା ଏହି ପ୍ରତିଷ୍ଠାନ ଗୁରୁତର ସଙ୍କଟ ମଧ୍ୟରେ ଗତି କରୁଛି । ଡିଏମ୍ ସ୍କୁଲରେ ବି ପ୍ରାୟ ଅଧା ଶିକ୍ଷକ ପଦବୀ ଖାଲିପଡିଛି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭକରି ଆଇଆଇଏମ୍, ଆଇଜର, ନାଇଜର, ଆଇଆଇଟି, ଆଇଆଇଏମସି ଆଦିରେ ଅନୁରୂପ ସମସ୍ୟା ଲାଗି ରହିଛି ।
ବିଶେଷକରି ଓଡିଶାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ଗୁଡିକ ଏକଦା ଶିକ୍ଷାଦାନର ମାନ ଦୃଷ୍ଟିରୁ ବେଶ୍ ଉଚ୍ଚସ୍ଥାନରେ ଥିବାବେଳେ ଏବେ କିନ୍ତୁ ଏଠି ଶିକ୍ଷକ ମରୁଡି ସମସ୍ୟା ଶିକ୍ଷାଦାନକୁ ବିଶେଷ ଭାବେ ପ୍ରଭାବିତ କରୁଛି । ଠିକା ଶିକ୍ଷକ ନିଯୁକ୍ତ ହେଉନଥିଲେ ଏଭଳି ଅନେକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ କେବେ ଠାରୁ ତାଲା ଝୁଲନ୍ତାଣି । ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଗବେଷଣା ପାଇଁ ପ୍ରସିଦ୍ଧିଲାଭ କରିଥିବା ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନରେ ବି ବ୍ୟାପକ ସଂଖ୍ୟକ ପଦବୀ ଖାଲି ।
ଭୁବନେଶ୍ୱର ଏମସ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ବେଶ୍ ସୁନାମ ରଖିଥିବାରୁ ଓଡିଶା ବାହାରୁ ଏଠାକୁ ଅନେକ ରୋଗୀ ଆସୁଛନ୍ତି । କିନ୍ତୁ ଏଠି ବି ବିଭିନ୍ନ ବିଭାଗରେ ପ୍ରଫେସର ଠାରୁ ଆରମ୍ଭକରି ସହକାରୀ ଅଧ୍ୟାପକ ପର୍ଯ୍ୟନ୍ତ ଅନେକ ପଦବୀ ଖାଲି । କାର୍ଡିଓଲୋଜି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏମ୍ସରେ ବର୍ଷ ବର୍ଷ ଧରି ପ୍ରଫେସର ନାହାନ୍ତି । ଏବେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଧର୍ମେନ୍ଦ୍ର ଓ ଅଶ୍ୱିନୀ ବୈଷ୍ଣବଙ୍କର ବେଶ୍ ପ୍ରଭାବ ଥିବାରୁ ଏହି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡିକରେ ଖାଲି ପଡିଥିବା ପଦବୀ ଗୁଡିକ ଶୀଘ୍ର ପୂରଣ ହେବବୋଲି ଆଶା ରଖିବା ସ୍ୱାଭାବିକ । (ତଥ୍ୟ)