ଭୁବନେଶ୍ୱର : ସରକାରୀ ତହବିଲରୁ ଚୋରି ଓ ଆତ୍ମସାତ୍ ହୋଇଥିବା ଅର୍ଥ ସଂକ୍ରାନ୍ତୀୟ ୭୧୧ଟି ମାମଲାର ସମାଧାନ ପାଇଁ ବିଚାରାଧିନ ରହିଥିବାବେଳେ ୨୦୨୩-୨୪ ବର୍ଷରେ ଏଥିରୁ ଗୋଟିଏ ହେଲେ ମାମଲାର ସମାଧାନ ହୋଇପାରି ନାହିଁ । ଏଭଳି ଅନିୟମିତତାକୁ ସିଏଜି ଧରିଛନ୍ତି ।
ବିଧାନସଭାରେ ସଦ୍ୟ ଉପସ୍ଥାପିତ ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୧ଟି ବିଭାଗରେ ସରକାରୀ ସାମଗ୍ରୀର ଆତ୍ମସାତ୍, କ୍ଷତି, ଚୋରି ନେଇ ୭୧୧ଟି ମାମଲା ହୋଇଛି । ଏଥି ମଧ୍ୟରେ ଜଳସମ୍ପଦ ବିଭାଗର ସର୍ବାଧିକ ୨୨୦ଟି ମାମଲା ଥିବାବେଳେ ପୂର୍ତ୍ତ ବିଭାଗର ଦ୍ୱିତୀୟ ସର୍ବାଧିକ ୮୧ଟି ମାମଲା, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ରହିଛି ୬୪ଟି ମାମଲା । ସୂଚନା ଓ ଲୋକସମ୍ପର୍କ ବିଭାଗରେ ୫୯ଟି ମାମଲା ଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ୫୩, ଜଙ୍ଗଲ ଓ ପରିବେଶ ବିଭାଗରେ ୪୫, ଗୃହ ଓ ନଗର ଉନ୍ନୟନ ବିଭାଗରେ ୪୭ଟି ମାମଲା ରହିଛି ।
ସିଏଜି ଦର୍ଶାଇଛନ୍ତି ଯେ ଜଳସମ୍ପଦ ବିଭାଗରେ ବିଭାଗୀୟ ଏବଂ ଅପରାଧିକ ତଦନ୍ତ ଅପେକ୍ଷାରେ ୧୦୯ଟି ମାମଲା ରହିଥିବାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର ୪୯ଟି ମାମଲା ରହିଛି । ସେହିଭଳି ଅନ୍ୟାନ୍ୟ ବିଭାଗରେ ବି ଅନେକ ମାମଲା ତଦନ୍ତ ଅପେକ୍ଷାରେ ରହିଛି ।
ସିଏଜି ଉଲ୍ଲେଖ କରିଛନ୍ତି ଯେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ଚୂଡାନ୍ତ ହୋଇପାରିନଥିବା ମାମଲା ମଧ୍ୟ ରହିଛି । ଏହା ମଧ୍ୟରେ ଜଳସମ୍ପଦ ବିଭାଗର ୧୦୩ଟି ମାମଲା ରହିଛି । ପୂର୍ତ୍ତ ବିଭାଗର ୪୫ଟି, ଜଙ୍ଗଲ ଓ ପରିବେଶ ବିଭାଗର ୨୯ଟି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ୨୧ଟି ମାମଲା ରହିଛି । ଏଭଳି ଚୂଡାନ୍ତ ହୋଇପାରିନଥିବା ମାମଲାର ଅର୍ଥ ପରିମାଣ ପାଖାପାଖି ୧୦ କୋଟି ଟଙ୍କା ରହିଛି ।
ତେବେ ଅପରାଧିକ ମାମଲା ତଦନ୍ତ ଚୂଡାନ୍ତ ହୋଇଥିବାବେଳେ ଅର୍ଥ ଆଦାୟ ପ୍ରକ୍ରିୟା ବିଚାରାଧିନ ଥିବା ମାମଲା ସଂଖ୍ୟା ୫୬ ଥିବାବେଳେ ଏଥିପାଇଁ ୭୦ଲକ୍ଷରୁ ଅଧିକ ଟଙ୍କା ଆଦାୟ ନହୋଇ ପଡି ରହିଛି । ଏହି ତାଲିକାରେ ସର୍ବାଧିକ ୧୪ଟି ମାମଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଥିବାବେଳେ ୧୩ଟି ମାମଲା କୃଷି ଓ କୃଷକ କଲ୍ୟାଣ ବିଭାଗର ଅଛି । ଜଳସମ୍ପଦ ବିଭାଗର ୪ଟି ମାମଲା ଥିବାବେଳେ ଜଙ୍ଗଲ ଓ ପରିବେଶ ବିଭାଗର ୩ଟି ମାମଲା ରହିଛି ।
ତେବେ ମୋଟ୍ ୭୧୧ଟି ମାମଳା ମଧ୍ୟରୁ ୪କୋଟି ଟଙ୍କାର ୩୮୯ଟି ମାମଲା ସରକାରୀ ଟଙ୍କା/ଷ୍ଟୋରରୁ ଚୋରି ଏବଂ ଅବଶିଷ୍ଟ ମାମଲା ସରକାରୀ ଅର୍ଥର ଆତ୍ମସାତ୍ ସହ ଜଡିତ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)