ଭୁବନେଶ୍ୱର : ଆଜି ମହାନଦୀ ବଞ୍ଚାଓ ଆନ୍ଦୋଳନ, ଦୟା ସୁରକ୍ଷା ଅଭିଯାନ, ଚିଲିକା ବଂଚାଅ ଅଭିଯାନ, ନିର୍ମଳ ଦୟା, ଓଡିଶା ନଦୀ ସୁରକ୍ଷା ସମିତି, ଓଡିଶା ପରିବେଶ ସମିତି ଇତ୍ୟାଦି ସଂଗଠନର ଆବାହକ ମଣ୍ଡଳୀର ପ୍ରତିନିଧି ଦଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମଝିଙ୍କୁ ତାଙ୍କ ବାସଭବନ ରେ ସାକ୍ଷାତ କରି ଦୟା,ଗଙ୍ଗୁଆ,ମହାନଦୀ ଓ ଚିଲିକା ସୁରକ୍ଷା ବିଷୟରେ ଆଲୋଚନା କରିବା ସହିତ ଏକ ୮ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ଶ୍ରୀ କୃଷ୍ଣଚନ୍ଦ୍ର ଜଗଦେବ , ସୁଦର୍ଶନ ଦାସ , ସଚିକାନ୍ତ ପ୍ରଧାନ , ଅଶୋକ ପ୍ରଧାନ, ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ , ବିଜୟ କୁମାର ପ୍ରଧାନ, ପ୍ରସନ୍ନ ବିଷୋଇ , ଆଦିକନ୍ଦ ଶ୍ରୀଚନ୍ଦନ ପ୍ରମୁଖ ସାମିଲ ହୋଇଥିଲେ । ମହାନଦୀ ବଞ୍ଚାଓ ଆନ୍ଦୋଳନ ର ଆବାହକ, ସୁଦର୍ଶନ ଦାସ- ଦୟା , ଗଙ୍ଗୁଆ, ଚିଲିକା ଓ ମହାନଦୀ ସମେତ ଓଡ଼ିଶା ସମସ୍ତ ନଦୀ ର ସ୍ଥିତି ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସଂକ୍ଷିପ୍ତରେ ଅବଗତ କରାଇବା ସହିତ ନିମ୍ନ ଲିଖିତ ଦାବି ଗୁଡ଼ିକୁ ତାଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ଯାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଦୟା ନଦୀ ପାଣିର ପ୍ରଦୂଷିତ ମାତ୍ରା ଅତ୍ୟନ୍ତ ଗମ୍ଭୀର l ଏଥି ପାଇଁ ପୁରୀ ଜିଲ୍ଲାର କଣାସ ଅଂଚଳରେ ହଇଜା ବ୍ୟାପିବା ରୋଗରେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି ଏବଂ ୭ ଜଣଙ୍କର ମୃତ୍ଯୁ ଅତ୍ୟନ୍ତ ଉଦବେଗର ବିଷୟ, ଏହି ପ୍ରଦୂଷଣର ମୁଖ୍ୟକାରଣ ହେଉଛି ଗଙ୍ଗୁଆ ନାଳ ଯାହା ଦ୍ବାରା ଭୁବନେଶ୍ୱରର ନାଳ ଓ ନର୍ଦମା ପାଣି ଦୟା ନଦୀକୁ ପ୍ରଦୂଷିତ କରୁଛି । ଦୟା ନଦୀର ପ୍ରଦୂଷିତ ପାଣି ମଧ୍ୟ ଚିଲିକାକୁ ପ୍ରଦୂଷିତ କରୁଛି । ତେଣୁ ଗଙ୍ଗୁଆ ଓ ଦୟାକୁ ପ୍ରଦୂଷଣ ମୁକ୍ତ କରିବା ସହିତ ଦୟା ନଦୀ ଓ ଏହାର ଶାଖା ନଦୀ ଯଥା-ମକରା, ରାଜୁଆ, ଲୁଣା ଇତ୍ୟାଦି ନଦୀର ପୁନଃରୁଦ୍ଧାର, ବେଆଇନ ଜବର ଦଖଲ ମୁକ୍ତ, ରାଜ ଦଳ ନିଷ୍କାସନ ଏବଂ ମାଛ ଧରିବା ପାଇଁ ବେଆଇନ ବସା/ଘେରି ଉଛେଦ । ଦୟା ଓ ଚିଲିକା ମୁହଁ।ଣ ଖନନ ଓ ବଡଗୋଠ ଠାରେ ଥିବା ତ୍ରିବେଣୀ ସଙ୍ଗମର ପୁନରୁଦ୍ଧାର ଦୟା ନଦୀ କୂଳରେ ଥିବା ୨୦୦ରୁ ଉର୍ଦ୍ଧ ଗ୍ରାମ ବର୍ତ୍ତମାନ ପାନୀୟ ଜଳ ସଙ୍କଟରେ ଷଢୁଛନ୍ତି । ସେମାନଙ୍କ ପାଇଁ ଯଥା ଶୀଘ୍ର ବିକଳ୍ପ ପାନୀୟ ଜଳ ବ୍ୟବସ୍ଥା କରାଯିବା ପାଇଁ ନିବେଦନ କରିଥିଲେ ।
ସହର, ଜନ ବସତି, ଡାକ୍ତରଖାନା ଓ କଳକାରଖାନା ଗୁଡିକର ବର୍ଯ୍ୟବସ୍ତୁ ଓ ପାଣି, ନଦୀକୁ ସିଧାସଳଖ ଭାବରେ ଛାଡି ଦିଆଯିବା ଫଳରେ ନଦୀଗୁଡିକ ପ୍ରଦୂଷିତ ହେଉଛି । ଏହାକୁ ବନ୍ଦ କରାଯିବା ସହିତ ଯେଉଁମାନେ ଏହାର ଖିଲାପ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ପୌରାଣିକ, ଐତିହାସିକ ତଥ୍ୟ ଓ ପ୍ରଶାସନିକ ଦସ୍ତାବିଜରେ ଏହା ‘ଏକାମ୍ର ଗଙ୍ଗା’ ବା ଗନ୍ଧବତୀ / ଗଙ୍ଗବତୀ ନଦୀ ଭାବରେ ଉଲ୍ଲେଖ ରହିଛି । ଏହା ଦୁର୍ଭାଗ୍ୟ ଜନକ ଯେ ଏବେ ସରକାରୀ ଦସ୍ତାବିଜରେ ଏହାକୁ ଗଙ୍ଗୁଆ ନାଳ ଭାବରେ ଆଖ୍ୟାୟିତ କରାଯାଇଛି । ଗଙ୍ଗୁଆ କୁ ପୁନଃରୁଦ୍ଧାର ପାଇଁ ବିହିତ ପଦକ୍ଷେପ ନେବା ସହିତ ତୁରନ୍ତ ଏହାକୁ ନଦୀର ମାନ୍ୟତା ଦିଆଯାଉ ବୋଲି ସେମାନେ ଦାବି ରଖିଥିଲେ ।
ଚିଲିକା ହ୍ରଦ ହେଉଛି ସମଗ୍ର ଏସିଆର ଦ୍ୱତୀୟ ବୃହତମ ହ୍ରଦ ତଥା ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସାମାଜିକ, ଆର୍ଥିକ ତଥା ସାଂସ୍କୃତିକ ଜୀବନ ର ଏକ ବିଶେଷ ଉପାଦାନ । ଏହି ହ୍ରଦ କ୍ରମଶଃ ପ୍ରଦୂଷିତ ଓ ସଙ୍କୁଚିତ ହେବାରେ ଲାଗିଛି। ପ୍ରାୟ୧୧୦୦ ବର୍ଗ କିଲୋମିଟରରୁ ସଂକୋଚିତ ହୋଇ ୭୫୦ବର୍ଗ କିଲୋ ମିଟରରେ ସୀମିତ ରହିଛି । ରାମସାର କ୍ଷେତ୍ର ହିସାବରେ ଆନ୍ତର୍ଜାତିକ ମାନ୍ୟତା ପାଇଥିବା ଏହି ହ୍ରଦର ସୁରକ୍ଷା ଆଜି ଅତି ଜରୁରୀ। ଏହି ହ୍ରଦ ଉପରେ ସଂପ୍ରତି ସାଗରମାଳା ପ୍ରକଳ୍ପ ଅଧୀନରେ ହେଊଥିବା ଉପକୂଳ ଜାତୀୟ ରାଜପଥ ନିର୍ମାଣ ପାଇଁ ଯୋଜନା ହୋଇଛି । ଚିଲିକା ଉପରେ ଯଦି ପୋଲନିର୍ମାଣ ହୁଏ ତେବେ ଚିଲିକାର ଜୈବ ବିବିଧତା ଓ ପର୍ଯ୍ୟାବରଣ ଉପରେ ଗଭୀର କୁପ୍ରଭାବ ପଡିବ। ଏଥିପାଇଁ ପରିବେଶବିତ ମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଉ। ଚିଲିକା ଉପରେ ଏହି ଜାତୀୟ ରାଜପଥକୁ ନନେଇ ଏକ ବିକଳ୍ପ ଭାବରେ ଗୋପାଳପୁର ରୁ ରମ୍ଭା, ବାଲୁଗାଁ, ଭୂଷଣ୍ଡପୁର ଦେଇ ଜାଗୁଳେଇପଦର ରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ନିଆଗଲେ ଚିଲିକାରେ କ୍ଷତି ହେବ ନାହିଁ ଏବଂ ଲୋକଙ୍କର ଯାତାୟାତ ସମସ୍ୟା ସମାଧାନ ହୋଇପାରିବ।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଯଦି ଆମେ ଟ୍ରିବୁନାଲ ଉପରେ ନିର୍ଭର କରିବା ତେବେ ତାହା ଆମ ପାଇଁ ଆତ୍ମଘାତି ହେବ। ଦେଶରେ ଯେତେ ନଦୀ ଜଳ ବିବାଦ ଟ୍ରିବୁନାଲ ବସିଛି କୌଣସି ଗୋଟିଏ ଜଳ ବିବାଦ ସମାଧାନ ଦିଗରେ ଏହା ସଫଳ ହୋଇଛି ବୋଲି କୁହାଯାଇ ପାରିବ ନାହିଁ । ତେଣୁ ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିକଳ୍ପ ସମାଧାନ ର ରାସ୍ତା ସରକାର ନେବା ଦରକାର । ବିଶ୍ୱରେ ନ୍ୟାୟିକ ପ୍ରକ୍ରିୟା ବାହାରେ ନଦୀ ଜଳ ବିବାଦ ସମାଧାନ ର ବିକଳ୍ପ ପନ୍ଥାର ଅନେକ ଉଦାହରଣ ରହିଛି । କେନ୍ଦ୍ରରେ ଓ ଉଭୟ ଛତିଶଗଡ ଓ ଓ଼ଡିଶାରେ ଏବେ ଗୋଟିଏ ଦଳର ସରକାର ରହିଛି l ଏହା ଏକ ସୁଯୋଗ ଭାବରେ ଗ୍ରହଣ କରି ଏହି ବିକଳ୍ପ ସମାଧାନର ପନ୍ଥାକୁ ଆପଣେଇ ମହାନଦୀ ଜଳ ବିବାଦର ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି ।
ଓଡିଶାର ପ୍ରାୟ ସମସ୍ତ ନଦୀଗୁଡିକ ମାତ୍ରାଧିକ ଶୋଷଣ, ପ୍ରଦୂଷଣ ଓ ଜବରଦଖଲ ଶିକାର ହୋଇ ମୃତବତ ଅବସ୍ଥାକୁ ଚାଲିଗଲେଣି। ରାଜ୍ୟର ଜଳ ସମ୍ପଦର ମୁଖ୍ୟ ଉତ୍ସ ହେଉଛି ଆମର ନଦ ନଦୀ । ଏଗୁଡିକର ସୁରକ୍ଷା ପାଇଁ ଏବେଠୁ ପଦକ୍ଷେପ ନ ନେଲେ ଭବିଷ୍ୟତରେ ଓଡିଶା ଗଭୀର ଜଳ ସଙ୍କଟର ସମୁଖୀନ ହେବ । ସେଥିପାଇଁ ଏକ ‘ନଦୀ ନୀତି’ ପ୍ରଣୟନ କରିବା ସହିତ ସରକାର ନଦୀ ଗୁଡିକର ପୁନଃରୁଦ୍ଧାର ପାଇଁ ଏକ ‘ନଦୀ ମିଶନ’ ଗଢି ତୁରନ୍ତ ପଦକ୍ଷେପ ନେବାପାଇଁ ପ୍ରସ୍ତାବ ଦିଆଯାଇଥିଲା ।
ଓଡ଼ିଶାରେ କେତେ ନଦନଦୀ ରହିଛି ତା’ର ସବିଶେଷ ତାଲିକା ସରକାରଙ୍କ ପାଖରେ ନାହିଁ । ଓଡ଼ିଶାର ନଦ ନଦୀ ଗୁଡିକର ସାରଣୀ ପ୍ରକାଶ କରିବା ସହିତ ଓଡ଼ିଶାର ବିଭିନ୍ନ ନଦୀର ଶଯ୍ୟା ଓ ପଠାଜମି ଜବର ଦଖଲ ଯୋଗୁଁ ନଦୀ ଗୁଡିକ ସଂକୁଚିତ ହୋଇ ଯାଉଛି ତାହା ସହିତ ବର୍ଷା ଦିନେ ଜଳ ନିଷ୍କାସନ ନହେବା ଯୋଗୁଁ ପ୍ରବଳ ବନ୍ୟା ସୃଷ୍ଟି କରୁଛି । ନଦୀ ସୁରକ୍ଷା ପାଇଁ ଓଡିଶା ର ପ୍ରତ୍ୟକଟି ନଦୀର ଜମିକୁ ଚିହ୍ନଟ କରିବା ତଥା ନଦୀ ର ଜମି ନଦୀକୁ ଫେରେଇବା କୁ ଦାବି କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାୟ ଏକ ଘଣ୍ଟା ଧରି ଉପରୋକ୍ତ ବିଷୟକୁ ଶୁଣିଲେ ଏବଂ ସକାରାତ୍ମକ ଭାବେ ଗ୍ରହଣ କରି ଆଗାମୀ ଦିନରେ ପଦକ୍ଷପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।