Home Agriculture ସମସ୍ତ ଦୁଗ୍ଧ ଚାଷୀଙ୍କୁ ସହାୟତା ଦିଅ

ସମସ୍ତ ଦୁଗ୍ଧ ଚାଷୀଙ୍କୁ ସହାୟତା ଦିଅ

ଭୁବନେଶ୍ୱର : ରାଜ୍ୟ ସରକାର ଓମଫେଡ ଚାଷୀମାନଙ୍କ ଲାଗି କୋଭିଡ ସହାୟତା ବାବଦରେ ୧୧କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଓମଫେଡ ସହିତ ଅନ୍ୟାନ୍ୟ ସଂସ୍ଥାଙ୍କୁ ଦୁଗ୍ଧ ଯୋଗାଣ କରୁଥିବା ରାଜ୍ୟର ଚାଷୀଙ୍କୁ ସହାୟତା ପାଇଁ ଦାବି ଉଠିଲାଣି । ଏପରିକି ରାଜ୍ୟ ସରକାର ଯଦି ଅର୍ଥ ଦେବେନାହିଁ ତେବେ ସମ୍ପୃକ୍ତ କମ୍ପାନୀର ସିଏସଆର ପାଣ୍ଠିରୁ ସହାୟତା ଦେବାକୁ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି ।

ରାଜ୍ୟର ଦୁଗ୍ଧଚାଷୀଙ୍କୁ ସହାୟତା ସଂକ୍ରାନ୍ତରେ ଦୁଗ୍ଧଚାଷୀ ମହାସଂଘର ସଭାପତି ରବି ବେହେରା କହିଛନ୍ତି ଯେ ଓମଫେଡ ନିକଟରେ ୨ଲକ୍ଷ ୮୦ହଜାର ଦୁଗ୍ଧଚାଷୀ ରହିଥିବେଳେ କେବଳ ସକ୍ରିୟ ଚାଷୀଙ୍କ ପାଇଁ ସରକାର ୧୧କୋଟି ଟଙ୍କା ମଞ୍ଜୁର କରିଛନ୍ତି । ତେବେ ରାଜ୍ୟର ଅନେକ ଦୁଗ୍ଧ ଚାଷୀ ଘରୋଇ ସଂସ୍ଥା ପ୍ରଗତି, ମିଲ୍କ ମୁ, ଓଡିଶା ଡାଏରୀ ଓ ଅମୁଲ ଭଳି ସଂସ୍ଥାକୁ କ୍ଷୀର ଯୋଗାଉଥିବାବେଳେ ଦକ୍ଷିଣ ଓଡିଶାରେ ଆନ୍ଧ୍ରର ହେରିଟେଜ ଡାଏରୀ ଓ ପଶ୍ଚିମଓଡିଶାରେ ଝାଡଖଣ୍ଡର ସୁଧା ଡାଏରୀ ବି ରାଜ୍ୟର ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ କରୁଛନ୍ତି ।

ଏହାବାଦ୍‍ ଗାଁ ଗହଳର ଅନେକ ଦୁଗ୍ଧଚାଷୀ ଅଛନ୍ତି ଯେଉଁମାନେ ବି ନିକଟସ୍ଥ ବଜାର ଓ ସହରକୁ କ୍ଷୀର ସହିତ ଛେନା, ଖୁଆ, ପନିର ଆଦି ଯୋଗାଇଥାନ୍ତି । ଏମାନେ ପ୍ରାୟତଃ ଅସଂଗଠିତ କ୍ଷେତ୍ରର । କରୋନା କଟକଣା ଯୋଗୁଁ ମାସ ମାସ ଧରି ଦୋକାନ ବଜାର ବନ୍ଦ ଫଳରେ ଏମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ଏମାନଙ୍କୁ ପଞ୍ଚାୟତ ଜରିଆରେ ଚିହ୍ନଟ କରି ସହାୟତା ଯୋଗାଇଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।

ସେହିଭଳି ଘରୋଇ ସଂସ୍ଥାକୁ ଦୁଗ୍ଧ ଯୋଗାଣ କରୁଥିବା ଚାଷୀମାନେ ବି ଲକଡାଉନ ଓ ସଟ୍‍ଡାଉନର ଶିକାର ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି । କେତେକ ଘରୋଇ କମ୍ପାନୀଙ୍କ ଲଗାତାର ଦୁଗ୍ଧ ସଂଗ୍ରହ ବନ୍ଦ ଯୋଗୁଁ ଚାଷୀମାନଙ୍କର ବିପୁଳ କ୍ଷତି ହୋଇଛି । ତେଣୁ ଏମାନଙ୍କୁ ନିୟମ ମୁତାବକ କ୍ଷତିପୂରଣ କମ୍ପାନୀମାନେ ସେମାନଙ୍କ ସିଏସ୍‍ଆର ପାଣ୍ଠିରୁ ଯୋଗାଇବାକୁ ମହାସଂଘ ପକ୍ଷରୁ ଦାବି ହୋଇଛି । ଏଥିପାଇଁ ରାଜ୍ୟ ସରକାର, ଚାଷୀ ପ୍ରତିନିଧି ଓ କମ୍ପାନୀ ପ୍ରତିନିଧିଙ୍କ ମଧ୍ୟରେ ତୁରନ୍ତ ତ୍ରିପାକ୍ଷିକ ଆଲୋଚନା ଡାକିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।

ସେହିଭଳି ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଚଳାଇଥିବାବେଳେ ସେହି ସମୟରେ ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧଚାଷୀ ଯେଭଳି ଅଭାବି ବିକ୍ରିର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଏବେ ଠାରୁ ସରକାର ପ୍ରସ୍ତୁତି ଚଳାଇବାକୁ ମତପ୍ରକାଶ ପାଉଛି । ବିଶେଷକରି ଓମଫେଡ ଓ ଅନ୍ୟ ଘରୋଇ ସଂସ୍ଥାଗୁଡିକ ସେମାନଙ୍କ ଦୁଗ୍ଧ ସଂଗ୍ରହ ଜାରି ରଖିବା ସହିତ ଦୁଗ୍ଧଜାତ ସାମଗ୍ରୀ ଯେଭଳି କଟକଣା ସମୟରେ ଲୋକଙ୍କ ନିକଟରେ ବିନା ବାଧାରେ ପହଞ୍ଚିପାରିବ ସରକାର ତାହାର ବ୍ୟବସ୍ଥା କରିବାକୁ ଦାବି ହେଉଛି । (ତଥ୍ୟ)