ଭୁବନେଶ୍ୱର : ରାଜ୍ୟ ସରକାର ଦେଉଥିବା ଇ-ଯାନ ପ୍ରୋତ୍ସାହନ ସବସିଡି ସମସ୍ତଙ୍କୁ ମିଳିନାହିଁ । ଏଥିପାଇଁ ୫୪୬୬ ଜଣ ଆବେଦନ କରିଥିବାବେଳେ ପାଇଛନ୍ତି ୪୪୮୮ ଜଣ । ଏ ବାବଦରେ ପ୍ରାୟ ୩ କୋଟି ଟଙ୍କା ଦିଆଯାଇଛି ।
ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବିଦ୍ୟୁତ୍ ଚାଳିତ ଯାନ ପାଇଁ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ଗତବର୍ଷ ସେପ୍ଟେମ୍ବର ପହିଲାରୁ ସଂକଳ୍ପ ଜାରି କରିଥିଲେ । ତଦନୁଯାୟୀ ବର୍ତ୍ତମାନ ସୁଦ୍ଧା ୫୪୬୬ଟି ବିଦ୍ୟୁତ୍ଚାଳିତ ଗାଡି କ୍ରେତାଙ୍କୁ ୨,୯୬,୬୫,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ବାବଦକୁ ପ୍ରଦାନ କରାଯାଇଛି ।
ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଆଜି ସୁଦ୍ଧା ରାଜ୍ୟରେ ମୋଟ ୧୬,୭୫୯ଟି ବିଦ୍ୟୁତ୍ଚାଳିତ ଯାନ ବିକ୍ରି ହୋଇଛି । ଏଥିମଧ୍ୟରେ ୧୫,୧୮୫ଟି ଦୁଇଚକିଆ ଥିବାବେଳେ ୧୩୨୧ଟି ତିନିଚକିଆ ଓ ୨୫୩ଟି ଚାରିଚକିଆ ଯାନ ରହିଛି ।
ପ୍ରୋତ୍ସାହନ ରାଶି ପାଇବାକୁ ୫୪୬୬ଟି ଗାଡି ଆବେଦନ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୪୪୮୮ ଗାଡିକୁ ଏହି ରାଶି ମିଳିଛି । ଏଥିମଧ୍ୟରେ ୪୦୫୯ଟି ଦୁଇଚକିଆ ଯାନ ପାଇଁ ୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୩୦୨ଟି ତିନିଚକିଆ ଯାନ ପାଇଁ ୩୦ ଲକ୍ଷ ୨୦ ହଜାର ଟଙ୍କା ଓ ୧୪୮ଟି ଚାରିଚକିଆ ଯାନ ପାଇଁ ୬୩ଲକ୍ଷ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ବାବଦରେ ସବସିଡି ରାଶି ପ୍ରଦାନ କରାଯାଇଛି ।
ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଇଭିମିତି ନିର୍ଦ୍ଧାରିତ ହେଲା ପରେ ବିକ୍ରି ହୋଇଥିବା ବିଦ୍ୟୁତ୍ଚାଳିତ ଯାନର ମାଲିକ ଏହି ପ୍ରୋତ୍ସାହନ ରାଶି ପାଇବାକୁ ଆବେଦନ କରୁଛନ୍ତି । ଯେଉଁମାନେ ଆବେଦନ କରୁଛନ୍ତି ସେମାନଙ୍କୁ ଅର୍ଥ ମିଳୁଛି । ତେବେ ଗତବର୍ଷ ଜାରି ହୋଇଥିବା ଏହି ସଂକଳ୍ପ ବଳବତ୍ତର ଥିବା ପର୍ଯ୍ୟନ୍ତ ଅର୍ଥାତ୍ ୨୦୨୫ ଡିସେମ୍ବର ୩୧ ଯାଏଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । (ତଥ୍ୟ)