Home Cooperation ସମବାୟ ସପ୍ତାହ ପାଳନ

ସମବାୟ ସପ୍ତାହ ପାଳନ

ଭୁବନେଶ୍ୱର: ନଭେମ୍ବର ୧୪ରେ ଓଡ଼ିଶା ପକ୍ଷରୁ ୭୦ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳିତ ହୋଇଯାଇଛି।

ସକାଳୁ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୱାକାଥନ୍ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ, ଓଏସସିବି ସଭାପତି ଟି ପ୍ରସାଦ ରାଓ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।

ପରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ ଉତ୍କଳ ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବକୁ ଉଦଘାଟନ କରିବା ସହ ଅତିଥିଙ୍କୁ ସମ୍ବୋଧିତ କରିଥିଲେ।

ଭୁବନେଶ୍ୱର (କେନ୍ଦ୍ର) ବିଧାୟକ ଅନନ୍ତ ନାରାୟଣ ଜେନା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ନାବାର୍ଡର ସିଜିଏମ୍ ସୁଧାଂଶୁ କେ.କେ ମିଶ୍ର, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ନିର୍ଦ୍ଦେଶକ ଉମାକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସନ୍ଧ୍ୟାରେ ଭୁବନେଶ୍ବର ଉତ୍କଳ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମବାୟ ସଚିବ ଅରବିନ୍ଦ ଅଗ୍ରଓ୍ଵାଲଙ୍କ ଅଧ୍ୟକ୍ଷତାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମନ୍ତ୍ରୀ ଶ୍ରୀ ନାୟକ ଓ ଅନ୍ୟ ଅତିଥିମାନେ ସମବାୟ ସମିତିର ସଫଳତା ଉପରେ ପ୍ରଦର୍ଶିତ ଷ୍ଟଲ୍ ପରିଦର୍ଶନ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଗ୍ରାମୀଣ ଅର୍ଥନୀତିରେ ସମବାୟ ସମିତିର ଭୂମିକା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ କିପରି ସହଯୋଗ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇ ହେବ ସେ ସମ୍ପର୍କରେ ସେ ଆଲୋକପାତ କରିଥିଲେ।

ବିନା ସୁଧରେ କୃଷି ଋଣ ଯୋଜନା, ମାଗଣା ଫସଲ ବୀମା ପଞ୍ଜୀକରଣ ଓ ସମବାୟ ମାଧ୍ୟମରେ କୃଷି ଜାତ ଦ୍ରବ୍ୟର ସଫଳ ମାର୍କେଟିଂ ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ।


ମୁଖ୍ୟବକ୍ତା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ତାଙ୍କ ଅଭିଭାଷଣରେ କୃଷି ଅର୍ଥନୀତିରେ ସମବାୟ ସମିତିର ସକ୍ରିୟ ଓ ସ୍ୱଚ୍ଛ ସଂପୃକ୍ତି କିପରି ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସମବାୟକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।

ସମବାୟ ସଚିବ ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ, ରାଜ୍ୟର ପ୍ରାୟ ୩୨ ଲକ୍ଷ ଚାଷୀଙ୍କୁ ସମବାୟ ଜରିଆରେ ବିନା ସୁଧରେ କୃଷି ଋଣ ଯୋଗାଇ ଦିଆଯାଉଛି। ଏହି ଅବସରରେ ସେ ସମବାୟ ସମିତିଗୁଡ଼ିକୁ ଅଧିକ ଖୋଲା, ସକ୍ରିୟ ଓ ଲୋକାଭିମୁଖୀ ହେବାକୁ ଆହ୍ୱାନ ଦେଇଥିଲେ।

ପରେ ମୁଖ୍ୟ ଅତିଥି  ବିଭିନ୍ନ ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀ ଏବଂ ସମବାୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ସମବାୟ ଅନୁଷ୍ଠାନଗୁଡ଼ିକୁ ସାର୍ଟିଫିକେଟ୍ ଓ ପୁରସ୍କାର ପ୍ରଦାନ କରିଥିଲେ। ସ୍ବତନ୍ତ୍ର ସଚିବ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।