ଭୁବନେଶ୍ୱର : ସମବାୟ ଏକ ଚେତନା, ଯାହା ଆମ ସଂସ୍କୃତି ଓ ପରମ୍ପରାର ଆଧାର । ଆମ ଚିନ୍ତନ ଓ ମନନ ସକଳ କଲ୍ୟାଣ ପାଇଁ ଅଭିପ୍ରେତ । ସମବାୟ ଭାବନା ପିଣ୍ଡଠୁ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ପରିବ୍ୟାପ୍ତ । ସ୍ଥିତିକୁ ପ୍ରଭାବିତ କରେ ସାମୂହିକ ଭାବନା ଏବଂ ଏଥିରେ ଥାଏ ବ୍ୟକ୍ତି ଓ ଗୋଷ୍ଠୀର ଉତ୍ତରଣ । ପାରସ୍ପରିକ ଅନୁକୂଳତା ମାଧ୍ୟମରେ ପ୍ରଗତି ସମ୍ଭବ ଏବଂ ସମବାୟ ଏହାର ବାସ୍ତବାୟନ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।
ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପ୍ଲାଟିନମ୍ ଜୁବୁଲି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଉତ୍କଳଗୌରବ ମଧୁସୂଦନ ସମବାୟ ଦର୍ଶନର ପ୍ରୟୋଗରେ ଅଗ୍ରଣୀ । ପରେ ଅନ୍ୟମାନେ ଏହାର ଅନୁକରଣ କରିଛନ୍ତି । ସମବାୟ ଆନ୍ଦୋଳନ ପ୍ରଗତିର ପ୍ରମୁଖ ସୂତ୍ର ଏବଂ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଫଳତାର ଏକ ପ୍ରତୀକ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଛନ୍ତି ।
ସମବାୟ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ୧୯୪୮ ମସିହା ଅପ୍ରେଲ ୨ ତାରିଖରେ ଓଡ଼ିଶା ପ୍ରଭିନ୍ସିଆଲ୍ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ଭାବେ ଜନ୍ମ ନେଇଥିଲା । କାଠଯୋଡ଼ି ନଦୀକୂଳରେ ଦୁଇଟି ପ୍ରକୋଷ୍ଠ ଥିବା ଏକ ଭଙ୍ଗା ଭଡ଼ାଘରେ ଚାଲୁଥିବା ଏହି ବ୍ୟାଙ୍କ ମାତ୍ର ୧୦ ହଜାର ଟଙ୍କା ମୂଳ ଅଂଶଧନ ନେଇ ଆରମ୍ଭ ହୋଇଥିଲା । ୧୯୫୧ ମସିହାରେ ଏହାର ନାମକୁ ପରିବର୍ତ୍ତନ କରାଯାଇ ଓଡ଼ିଶା ରାଜ୍ୟ କୋଅପରେଟିଭ୍ ବ୍ୟାଙ୍କ ରଖାଯାଇଥିଲା ।
ବିଗତ ୭୫ ବର୍ଷ ମଧ୍ୟରେ ଏହି କ୍ଷୁଦ୍ର କିଶଳୟଟି ବୋଧିଦ୍ରୁମରେ ପରିଣତ ହୋଇଛି । ସମସ୍ତ ଆର୍ଥିକ ମାନଦଣ୍ଡରେ ଏହା କେବଳ ଆମ ରାଜ୍ୟ ନୁହେଁ ଜାତୀୟ ସ୍ତରରେ ମଧ୍ୟ ସର୍ବୋତ୍କୃଷ୍ଟ ରାଜ୍ୟ ସମବାୟ ବ୍ୟାଙ୍କର ମାନ୍ୟତା ପାଇଛି । ରାଜ୍ୟର କୃଷି ଅର୍ଥନୀତିକୁ ରୂପାନ୍ତରିତ କରିବାରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ଭୂମିକା ବେଶ୍ ମହତ୍ୱପୂର୍ଣ୍ଣ ।
ତୃଣମୂଳସ୍ତରରେ ୨୭୧୦ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ଜିଲ୍ଲାସ୍ତରରେ ୧୬ଟି କେନ୍ଦ୍ର ଜିଲ୍ଲା ସମବାୟ ବ୍ୟାଙ୍କ ଜରିଆରେ ରାଜ୍ୟର ଚାଷୀ ଭାଇଭଉଣୀମାନଙ୍କୁ କୃଷି ଋଣ ଯୋଗାଇବାରେ ଓ କୃଷିକୁ ଏକ ବଳିଷ୍ଠ ଜୀବନଜୀବିକାରେ ପରିଣତ କରିବାର ପ୍ରୟାସରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ ବୋଲି ମନ୍ତ୍ରୀ ଶ୍ରୀ ନାୟକ ମତପ୍ରକାଶ କରିଛନ୍ତି ।
ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢା କହିଲେ ଯେ ରାଜ୍ୟ ସମବାୟ ବ୍ୟାଙ୍କ ଚାଷୀ ପରିବାରଗୁଡ଼ିକୁ ମହାନ ସେବା ଯୋଗାଇଦେଇଛି । ଆମ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ସମବାୟ ଆନ୍ଦୋଳନରେ ସାମିଲ ହେବା କ୍ଷେତ୍ରରେ ରାଜ୍ୟ ସମବାୟ ବ୍ୟାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଚାଷ କ୍ଷେତ୍ରରେ ଋଣ ଯୋଗାଇବା ସବୁଠାରୁ ଜରୁରୀ ।
ରାଜ୍ୟର ଫସଲ ଋଣର ସିଂହଭାଗ ରାଜ୍ୟ ସମବାୟ ବ୍ୟାଙ୍କ ଓ ଏହାର ଜିଲ୍ଲାସ୍ତରୀୟ ଶାଖାଗୁଡ଼ିକ ଯୋଗାଇ ଦେଇଥାନ୍ତି । ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେଉଛନ୍ତି । ରାଜ୍ୟର ଚାଷୀଭାଇମାନେ ରାଜ୍ୟ ସମବାୟ ବ୍ୟାଙ୍କରୁ ଏହି ସୁଧ ବିହୀନ ଋଣର ସୁଯୋଗ ନିଅନ୍ତୁ ଓ କୃଷିର ବିକାଶକୁ ତ୍ୱରାନ୍ୱିତ କରନ୍ତୁ ବୋଲି ଶ୍ରୀ ଚଢା କହିଥିଲେ । ରାଜ୍ୟ ସମବାୟ ବ୍ୟାଙ୍କ୍ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଉଦ୍ଧବ ଚରଣ ମାଝି ବ୍ୟାଙ୍କ୍ର ସଫଳତା ସମେତ ଭବିଷ୍ୟତର କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ ।
ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ଟି.ପି. ରାଓଦୋରା ତାଙ୍କ ସ୍ୱାଗତ ଭାଷଣରେ କହିଲେ ଯେ ଏହି ୭୫ ବର୍ଷର ଯାତ୍ରା ମଧ୍ୟରେ ରାଜ୍ୟ ସମବାୟ ବ୍ୟାଙ୍କ ବହୁ ଘାତପ୍ରତିଘାତ ଦେଇ ଗତି କରିଛି । ରାଜ୍ୟର କୃଷିଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହାର ଅବଦାନ ପ୍ରଣୀଧାନଯୋଗ୍ୟ । ବିଭିନ୍ନ ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ବ୍ୟାଙ୍କିଂସେବା ଓ ଫସଲ ଋଣ ପ୍ରଦାନ କରିବା କ୍ଷେତ୍ରରେ ଏହି ବ୍ୟାଙ୍କ ଆଜି ରାଜ୍ୟର ଏକ ଅଗ୍ରଣୀ ବ୍ୟାଙ୍କର ଭୂମିକା ନେଇପାରିଛି ବୋଲି ଶ୍ରୀ ଦୋରା କହିଥିଲେ ।
ପ୍ରାରମ୍ଭରୁ ସମବାୟର ଜନକ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଅତିଥି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ କଫିଟେବୁଲ୍ ପୁସ୍ତକ ‘୭୫ ବର୍ଷର ଯାତ୍ରା’ ଲୋକାର୍ପିତ ହୋଇଥିଲା । ବ୍ୟାଙ୍କର ସଭାପତି ଶ୍ରୀ ରାଓଦୋରା ଅତିଥିମାନଙ୍କୁ ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରିଥିଲେ ।
ପରେ ଏକ ଆଲୋଚନା ଚକ୍ରରେ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ପବ୍ଲିକ୍ ଆଡ୍ମିନିଷ୍ଟ୍ରେସନ୍ର ମହାନିର୍ଦ୍ଦେଶକ ଶ୍ରୀ ଏସ୍.ଏନ୍. ତି୍ରପାଠୀ ‘ସ୍ୱାଧୀନତା ପରେ କୋଅପରେଟିଭ୍ ବ୍ୟାଙ୍କ ବା କୋଅପରେଟିଭ୍ ଋଣ ଦେଉଥିବା ଅନୁଷ୍ଠାନର ଯାତ୍ରା’ ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ନ୍ୟାସନାଲ୍ ପ୍ରଡକଫିଭିଟି କାଉନ୍ସିଲ୍ର ମହାନିର୍ଦ୍ଦେଶକ ଶ୍ରୀ ସଂଦୀପ କୁମାର ନାୟକ ‘ଓଡ଼ିଶାର ସମବାୟ ବ୍ୟାଙ୍କଗୁଡ଼ିକର ପୁନର୍ବିନ୍ୟାସ ଓ ପୁନର୍ଗଠନ’ ଉପରେ ନିଜର ମତବ୍ୟକ୍ତ କରିଥିଲେ ।
ସେହିପରି ଆଇଆର୍ଏମ୍ଏର ନିର୍ଦ୍ଦେଶକ ଡ. ଉମାକାନ୍ତ ଦାଶ ‘କୋଅପରେଟିଭ୍ ବ୍ୟାଙ୍କର ଅବଦାନ ଓ କାର୍ଯ୍ୟପ୍ରଣାଳୀ’ ଏବଂ ମୁମ୍ବାଇସ୍ଥିତ ଏନ୍ଏଏଫଏସ୍ସିଓବିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବି. ସୁବ୍ରମଣ୍ୟମ୍ ସମବାୟ ବ୍ୟାଙ୍କ ପରିଚାଳନା କ୍ଷେତ୍ରରେ ଥିବା ଆଇନଗୁଡ଼ିକର ପୁଙ୍ଖାନୁପୁଙ୍ଖ ତର୍ଜମା କରିଥିଲେ । ଏହି ଆଲୋଚନା ଚକ୍ରକୁ ଉତ୍କଳ ବିଶ୍ୱବିଦ୍ୟାଳୟର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଚେୟାରର ପ୍ରଫେସର ଡ. ବରେନ୍ଦ୍ର କୁମାର ଭୋଇ ସଂଚାଳନ କରିଥିଲେ ।