Home Cooperation ସମବାୟ ବ୍ୟାଙ୍କ୍‍ ରେ ପଦବୀ ଖାଲି

ସମବାୟ ବ୍ୟାଙ୍କ୍‍ ରେ ପଦବୀ ଖାଲି

ଭୁବନେଶ୍ୱର : ସମବାୟ ବ୍ୟାଙ୍କ୍‍ ରାଜ୍ୟର ଗାଁ ଗହଳ ବିଶେଷକରି କୃଷକମାନଙ୍କର ଆର୍ଥିକ କାରବାରର ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ଏହିସବୁ ବ୍ୟାଙ୍କ୍‍ପାଇଁ ଥିବା ମଞ୍ଜୁରୀପ୍ରାପ୍ତ ପଦବୀଗୁଡିକ କିନ୍ତୁ ପୂରଣ ହେଉନାହିଁ । ପ୍ରାୟତଃ ବ୍ୟାଙ୍କ୍‍ଗୁଡିକରେ ଅଧାରୁ ଅଧିକ ପଦବୀ ଖାଲି ପଡିଛି ।

ରାଜ୍ୟରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ ସହ ଅନୁବନ୍ଧିତ ହୋଇ ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କ୍‍ କାର୍ଯ୍ୟ କରୁଛନ୍ତି । ଏହିସବୁ ବ୍ୟାଙ୍କ୍‍ର ପରିଚାଳନା ପାଇଁ ତଳୁ ଉପର ପର୍ଯ୍ୟନ୍ତ ୨୪ ପ୍ରକାରର ପଦ ପଦବୀ ରହିଛି । ହେଲେ ଅଧିକାଂଶ ପଦବୀ ପୂରଣ ହୋଇପାରୁ ନାହିଁ ।

ଖୋଦ୍‍ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ରେ ୩୩୧ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୧୮୭ଟି ପଦବୀ ଖାଲି ପଡିଛି । ଏହି ବ୍ୟାଙ୍କ୍‍ରେ ଥିବା ଦୁଇଟି ଚିଫ୍‍ ଜେନେରାଲ ମ୍ୟାନେଜର ପଦବୀ ଖାଲି ପଡିଛି । ୭ଟି ଜେନେରାଲ ପଦବୀରେ କାର୍ଯ୍ୟ କରୁଛନ୍ତି ମାତ୍ର ୨ଜଣ । ୨୮ଟି ଡେପୁଟୀ ଜେନେରାଲ ପଦବୀ ମଧ୍ୟରୁ ୧୬ଟି ଖାଲି ପଡିଥିବାବେଳେ ୩୬ଟି ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ପଦବୀରେ କେହି ନାହାନ୍ତି । ସେହିଭଳି ୧୦ ଡେପୁଟୀ ଜେନେରାଲ ମ୍ୟାନେଜର (ଆଇଟି) ପଦବୀରେ ବି ଜଣେ ହେଲେ ନାହାନ୍ତି । ୧୨ଟି ଆସିଷ୍ଟାଣ୍ଟ ମ୍ୟାନେଜର (ଆଇଟି) ପଦବୀରେ ବି ସମାନ ଅବସ୍ଥା ।

ଏହି ବ୍ୟାଙ୍କ୍‍ରେ ଷ୍ଟେନୋଗ୍ରାଫର, ବରିଷ୍ଠ ଟାଇପିଷ୍ଟ, ଇଲେକ୍ଟ୍ରିସିଆନ ପଦବୀ ବି ଖାଲି ପଡିଛି । ୬ଜଣ ଗାଡି ଚାଳକଙ୍କ ସ୍ଥାନରେ ୨ଜଣ ଥିବାବେଳେ ପରିଚାଳନା ନିର୍ଦ୍ଦେଶକଙ୍କ ପିଏ ପଦବୀଟି ବି ଖାଲି ପଡିଛି ।

ସେହିଭଳି ଅନୁଗୁଳ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‍ରେ ୨୬୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୧୩୫ଟି ଖାଲି ପଡିଥିବାବେଳେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ୍‍ରେ ୧୮୪ଟି ପଦବୀରୁ ୧୩୩ଟି ଖାଲି ପଡିଛି । ବାଙ୍କି କେନ୍ଦ୍ର ସମବାୟ ବ୍ୟାଙ୍କ୍‍ରେ ୧୫୬ଟି ପଦବୀରୁ ୮୭ ଟି ଖାଲି ପଡିଥିବାବେଳେ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ୍‍ରେ ୪୧୩ ପଦବୀରୁ ୧୭୨ଟି ଖାଲି ରହିଛି । ବୌଦ୍ଦ କେନ୍ଦ୍ର ସମବାୟ ବ୍ୟାଙ୍କ୍‍ରେ ୧୫୬ ପଦବୀରୁ ୯୮ଟି ଖାଲି ପଡିଥିବାବେଳେ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‍ରେ ଥିବା ୨୭୫ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୧୭୪ଟି ଖାଲି ପଡିଛି । ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ୍‍ର ୧୯୮ ପଦବୀରୁ ୧୩୬ଟି ଖାଲି ପଡିଛି ।

ଅଧିକାଂଶ କେନ୍ଦ୍ର ସମବାୟ ବ୍ୟାଙ୍କ୍‍ରେ ଅଧାରୁ ଅଧିକ ପଦବୀ ଖାଲି ପଡିଥିବା ଯୋଗୁଁ କାର୍ଯ୍ୟ ବ୍ୟାହତ ହେବାରେ ଲାଗିଛି । ବିଶେଷକରି ଅର୍ଥ ଲଗାଣ ଓ ତାହାକୁ ଆଦାୟ କରିବା କଷ୍ଟକର ହୋଇପଡୁଛି । ରାଜ୍ୟ ସରକାର ଏହା ଜାଣୁଥିଲେ ମଧ୍ୟ କ୍ଷତିର ଆଳ ସହିତ ଅନ୍ୟାନ୍ୟ କାରଣ ଦର୍ଶାଇ ତାହାକୁ ପୂରଣ କରୁନାହାନ୍ତି । କିନ୍ତୁ ଏହି ବ୍ୟାଙ୍କ୍‍ଗୁଡିକ ହିଁ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ୍‍ ତୁଳନାରେ ଅଧିକ ପରିମାଣରେ କୃଷିଋଣ ଯୋଗାଇ ଦେଉଛନ୍ତି । ସରକାରୀ ବିଭାଗଗୁଡିକ ଠାରୁ ଜମା ପାଇବାରେ ଏମାନେ ଢେର ପଛରେ ପଡିଥିଲେ ବି କୃଷି କ୍ଷେତ୍ରରେ ଅର୍ଥ ଲଗାଇବାରେ ଏମାନେ ସବୁଠାରୁ ଆଗରେ ରହିଛନ୍ତି । ତେଣୁ ଏଭଳି ସ୍ଥଳେ ସମବାୟ ବ୍ୟାଙ୍କ୍‍ରେ ପଦବୀ ପୂରଣକୁ ଅଣଦେଖା କରାଯିବା ଆଦୌ ଶୁଭଙ୍କର ନୁହେଁ ବୋଲି ସମବାୟବିତ୍‍ମାନେ ମତ ପ୍ରକାଶ କରୁଛନ୍ତି । (ତଥ୍ୟ)