ଭୁବନେଶ୍ୱର : ରାଜ୍ୟରେ ଥିବା ସମସ୍ତ ଘରୋଇ ବ୍ୟାଙ୍କ୍ ମିଶି ଚାଷୀମାନଙ୍କୁ ଯେତିକି କୃଷି ଋଣ ପ୍ରଦାନ କରୁଛନ୍ତି କେବଳ ଓଡିଶା ସମବାୟ ବ୍ୟାଙ୍କ୍ ତାହାର ପାଖପାଖି ଦୁଇଗୁଣ ଅଧିକ କୃଷି ଋଣ ଦେଉଛି । ହେଲେ ଖୋଦ୍ କୃଷି ବିଭାଗ ଘରୋଇ ବ୍ୟାଙ୍କ୍ରେ ତାହାର ଦେଣ ନେଣ କରୁଛି ।
ଗତବର୍ଷ ରାଜ୍ୟରେ ଥିବା ୧୯ଟି ଘରୋଇ ବ୍ୟାଙ୍କ୍ ଚାଷୀମାନଙ୍କ ମୋଟ୍ ୭୦୭୮ କୋଟି ଟଙ୍କାର କୃଷି ଋଣ ଦେଇଥିଲେ । ଏହା ମଧ୍ୟରେ ଇଣ୍ଡସ ଇଣ୍ଡ୍ ଭଳି ଘରୋଇ ବ୍ୟାଙ୍କ୍ ୨୫୦୧ କୋଟି ଟଙ୍କାର କୃଷି ଋଣ ଦେଇଥିବାବେଳେ ଆକ୍ସିସ ବ୍ୟାଙ୍କ୍ ୧୦୫୨କୋଟି, ଆଇସିଆଇସିଆଇ ବ୍ୟାଙ୍କ୍ ୧୦୧୯ କୋଟି ଟଙ୍କା ଦେଇଛନ୍ତି । ତେବେ ୪ଟି ଘରୋଇବ୍ୟାଙ୍କ୍ ଆଦୌ କୃଷି ଋଣ ଦେଇ ନାହାନ୍ତି ।
ତେବେ ଏହି ସମୟରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍ କେବଳ ୧୨,୬୪୫ କୋଟିରୁ ଅଧିକ ଟଙ୍କାର ଋଣ ପ୍ରଦାନ କରିଛି । ଏଥି ସହିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ୭୦୬ କୋଟି ଟଙ୍କାର କୃଷି ଋଣ ଦେଇଥିବାବେଳେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ପ୍ରାୟ ୧୩୯୪ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରିଛି ।
ରାଜ୍ୟରେ ଥିବା ୧୨ଟି ରାଷ୍ଟ୍ରାୟତ ବ୍ୟାଙ୍କ୍ ଏହି ସମୟରେ ମୋଟ୍ ୧୮,୦୩୦.୬୧ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ଭାରତୀୟ ଷ୍ଟେଟବ୍ୟାଙ୍କ୍ ମୋଟ ଋଣର ଅଧା ଅର୍ଥାତ୍ ୯୦୪୫.୩୧ କୋଟି ଟଙ୍କାର କୃଷି ଋଣ ଦେଇଥିବାବେଳେ ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୧୨୭୧.୫୨ କୋଟି, ପଞ୍ଜାବ ନେସନାଲ ବ୍ୟାଙ୍କ୍ ୧୩୪୬.୮୨ କୋଟି, କାନାରା ବ୍ୟାଙ୍କ୍ ୧୧୨୨.୪୨ କୋଟି ଓ ୟୁକୋ ବ୍ୟାଙ୍କ୍ ୧୧୨୩.୫୪ କୋଟି ଟଙ୍କାର କୃଷି ଋଣ ଦେଇଛି ।
ଘରୋଇ ବ୍ୟାଙ୍କ୍ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରୁ ମୋଟା ଅଙ୍କର ପୁଞ୍ଜି ସଂଗ୍ରହ କରୁଥିବାବେଳେ କୃଷକମାନଙ୍କୁ କିନ୍ତୁ ଋଣ ଦେବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଖୋଦ୍ କୃଷି ବିଭାଗ ଘରୋଇ ବ୍ୟାଙ୍କ୍ ସହ କାରବାରରେ ଲିପ୍ତ । ଯେଉଁ ବିହନ ଚାଷୀମାନେ ସରକାରଙ୍କ ଠାରୁ ପିଣ୍ଡ ବିହନ ଖରିଦ କରୁଛନ୍ତି ସେମାନଙ୍କୁ ବିହନ ବାବଦ ପ୍ରାପ୍ୟ ନିର୍ଦ୍ଦିଷ୍ଟ ଘରୋଇ ବ୍ୟାଙ୍କ୍ରେ ପଇଠ ଲାଗି କୁହାଯାଉଛି । ଏପରିକି ସମ୍ପୃକ୍ତ ଘରୋଇ ବ୍ୟାଙ୍କ୍ର ରସିଦ ମଧ୍ୟ କମ୍ପ୍ୟୁଟରରେ ଉପଲବ୍ଧ ହେଉଛି । କୃଷି ବିଭାଗର ଏଭଳି ଘରୋଇ ବ୍ୟାଙ୍କ୍ ପ୍ରୀତି ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗଗୁଡିକ ସେମାନଙ୍କର ଅର୍ଥ କିନ୍ତୁ ସମବାୟ ବ୍ୟାଙ୍କ୍ରେ ରଖିବାକୁ ମଙ୍ଗୁ ନାହାନ୍ତି । ଘରୋଇ ବ୍ୟାଙ୍କ୍ର ଏଜେଣ୍ଟମାନେ ବିଭିନ୍ନ ବିଭାଗର ବଡବାବୁଙ୍କ ନିକଟରେ ଚକ୍କର କାଟି ମୋଟା ଅଙ୍କର ପୁଞ୍ଜି ହାତେଇବାରେ ସଫଳ ହେଉଥିବାବେଳେ ଖୋଦ୍ ସରକାରୀ ବ୍ୟାଙ୍କ୍ କିନ୍ତୁ ଏ କ୍ଷେତ୍ରରେ ପଛରେ ପଡିଛି । ଓଡିଶାରୁ କୋଟି କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରୁଥିବା ଘରୋଇ ବ୍ୟାଙ୍କ୍ଗୁଡିକ ଘର, ଗାଡି ଓ ବ୍ୟକ୍ତିଗତ ଋଣ ଦେବାପାଇଁ ଯେତିକି ଆଗ୍ରହୀ ସେହି ପରିମାଣରେ କୃଷି ଋଣ ଦେବାପାଇଁ ଅନାଗ୍ରହୀ ଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)