ଭୁବନେଶ୍ୱର : ୨୦୧୮ ମସିହା ପର୍ଯ୍ୟନ୍ତ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ଓ କେନ୍ଦ୍ର ସମବାୟ ବ୍ୟାଙ୍କଗୁଡିକରେ ଋଣ ଓ ଅନ୍ୟାନ୍ୟ ଅନିୟମିତତାର ପରିମାଣ ୪୨.୨୫ କୋଟି ଟଙ୍କାରୁ ଅଧିକ ଥିଲା । ୨୦୧୮ଠାରୁ ଅଦ୍ୟାବଧି ଏହିସବୁ ବ୍ୟାଙ୍କ୍ଗୁଡିକରେ ଅନିୟମିତତାର ପରିମାଣ ପ୍ରାୟ ୧୭.୩୪ କୋଟି ଟଙ୍କା ରହିଛି ।
ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୮ରୁ ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳ ସମବାୟ ବ୍ୟାଙ୍କ୍ଗୁଡିକରେ ଋଣ ଓ ଅନ୍ୟାନ୍ୟ ଅନିୟମିତତାର ପରିମାଣ ୧୮.୪୫ କୋଟି ୫ହଜାର ଟଙ୍କା ପରିଲକ୍ଷିତ ହୋଇଛି ।
ତେବେ ଓଡିଶା ସମବାୟ ସମିତି ଅଧିନିୟମ, ୧୯୬୨ ରେ ଥିବା ବ୍ୟବସ୍ଥା ଅନୁଯାୟୀ ସମବାୟ ସମିତି ଓ ବ୍ୟାଙ୍କଗୁଡିକର ବାର୍ଷିକ ସମୀକ୍ଷା ହୋଇଥାଏ । ଏହି ସମୟରେ କୌଣସି ଆର୍ଥିକ ଅନିୟମିତତା ଦୃଷ୍ଟିକୁ ଆସିଲେ ସେଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ଆବଶ୍ୟକ ସ୍ଥଳେ ଫୌଜଦାରୀ ମାମଲା ରୁଜୁ ହେଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)