ଭୁବନେଶ୍ୱର : ସମବାୟ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଏବଂ ଠିକଣା ସମୟରେ ମନିଟରିଂ ପାଇଁ ମୋବାଇଲ୍ ଓ ୱେବ ଆଧାରିତ ସ୍ୱୟଂକ୍ରିୟ ଆପ୍ଲିକେଶନ ପ୍ରସ୍ତୁତ ଲାଗି ସ୍ଥିର ହୋଇଛି । ଏହି ଦାୟିତ୍ୱ ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ)କୁ ଦିଆଯାଇଥିବାବେଳେ ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି ।
ଏ ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥାରେ ଇ-ଗଭର୍ଣ୍ଣାନ୍ସର ବ୍ୟାପକ ବ୍ୟବହାର ହେବା ସହିତ ଏହା କାର୍ଯ୍ୟକୁ ସହଜ କରିଛି । ଏହାକୁ ଦୃଷ୍ଟିରେ ରଖି ସମବାୟ ବିଭାଗ ପକ୍ଷରୁ ଦୈନଦିନ କାର୍ଯ୍ୟର ମନିଟରିଂ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।
ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ କ୍ଷେତ୍ର ସ୍ତରରୁ ବିଭାଗର ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ସମସ୍ତ ସୂଚନା କମ୍ପ୍ୟୁଟର ଜରିଆରେ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହେବ । ତେବେ ବିଭାଗ ପକ୍ଷରୁ ଏକ ଡାସବୋର୍ଡ ଆବଶ୍ୟକ ଥିଲା ଯେଉଁ ପ୍ଲାଟଫର୍ମରେ ସମସ୍ତ ନିର୍ଦ୍ଦେଶାଳୟର ସୂଚନା ଗୋଟିଏ ସ୍ଥାନରେ ରହିପାରିବ । ବର୍ତ୍ତମାନ ବିଭାଗ ଅଧିନରେ ଥିବା ସମସ୍ତ ଦପ୍ତରର ସୂଚନା ଗୋଟିଏ ପ୍ଲାଟଫର୍ମରେ ରହିବ ଏବଂ ଏହା ୨୪ଘଣ୍ଟା ଉପଲବ୍ଧ ହେବ ।
ଏହି ଆପ୍ଲିକେଶନ ଜରିଆରେ ତଥ୍ୟ ସଂଗ୍ରହରେ ସ୍ୱଚ୍ଛତା ରହିବ ଯାହାକି ପ୍ରତି ଜିଲ୍ଲାରୁ ଆସିବ ଏବଂ ଦୈନନ୍ଦିନ କାର୍ଯ୍ୟରେ ଏହା ସମବାୟ ବିଭାଗର ଅଧିକାରୀମାନଙ୍କୁ ବେଶ୍ ସହାୟକ ହେବ । ବିଭାଗ ମଧ୍ୟ ଅନଲାଇନ୍ ବ୍ୟବସ୍ଥାରେ ସ୍ୱୟକ୍ରିୟ ଭାବେ ସମସ୍ତ କାର୍ଯ୍ୟ କରିବାପାଇଁ ଯୋଜନା କରିଛି । ଏହାର ଗୋଟିଏ ଉଦାହରଣ ହେଉଛି କର୍ମଚାରୀମାନଙ୍କ ତାଲିମ ନେଇ ଗୋଟିଏ କ୍ୟାଲେଣ୍ଡର ପ୍ରସ୍ତୁତ ହେବ ଏବଂ ତାହା ପ୍ରଦର୍ଶିତ ହେବା ଯୋଗୁଁ କର୍ମଚାରୀମାନେ ଏ ସଂକ୍ରାନ୍ତରେ ସ୍ୱୟଂକ୍ରିୟ ଭାବେ ଅବଗତ ହୋଇପାରିବେ । ଏଥି ସହିତ ଏହି ବ୍ୟବସ୍ଥା କର୍ମଚାରୀମାନଙ୍କୁ ବିଭିନ୍ନ ଯୋଜନା ଓ ପ୍ରକଳ୍ପର ସମୟସୀମା ବିଷୟରେ ମଧ୍ୟ ନିୟମିତ ଭାବେ ଅବଗତ କରିବ ।
କର୍ମଚାରୀମାନଙ୍କୁ ରିପୋର୍ଟିଂ ସୁପରଭାଇଜରଙ୍କ ଦ୍ୱାରା ଦିଆଯାଇଥିବା କାର୍ଯ୍ୟ ସେମାନେ ଆପ୍ଲିକେଶନ ଜରିଆରେ ଜାଣିପାରିବେ । କ୍ଷେତ୍ରସ୍ତରୀୟ ସମସ୍ତ ପ୍ରକାର ରିପୋର୍ଟ ଅନଲାଇନ୍ ପ୍ଲାଟଫର୍ମରେ ଦାଖଲ ହୋଇପାରିବ । ଅନୁରୂପ ଭାବେ ପ୍ରମୁଖ ସଚିବଙ୍କ ଦପ୍ତର ଠାରୁ ମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ସମସ୍ତେ ଏହି ଆପ୍ଲିକେଶନ ଜରିଆରେ କ୍ଷେତ୍ରସ୍ତରୀୟ ସୂଚନା ତତ୍କାଳ ପାଇପାରିବେ । ଓଏସଏଏମ୍ ବୋର୍ଡ ଓ ମାର୍କଫେଡ ସମେତ ସମସ୍ତ ସମବାୟ ସମିତିକୁ ଏହା ସହିତ ଯୋଡାଯିବ ବୋଲି ସୂଚନା ମିଳିଛି । (ତଥ୍ୟ)