Home Administration ସମନ୍ୱୟ ନଥିବାରୁ କାଠଗଡାରେ ସରକାର

ସମନ୍ୱୟ ନଥିବାରୁ କାଠଗଡାରେ ସରକାର

ଭୁବନେଶ୍ୱର : ଓଡିଶା ଲୋକସେବା ଆୟୋଗ ସମେତ ଅନୁରୂପ ଅନ୍ୟାନ୍ୟ ସରକାରୀ ପ୍ରାର୍ଥୀ ଚୟନକାରୀ ସଂସ୍ଥାଙ୍କ ସହିତ ସରକାରୀକଳର ଠିକଣା ସମନ୍ୱୟ ରହୁନଥିବାରୁ ବହୁ କ୍ଷେତ୍ରରେ ସରକାରଙ୍କୁ ଆଇନ୍‍ ଅଦାଲତର କାଗଠଗଡାରେ ଛିଡାହେବାକୁ ପଡୁଥିବାବେଳେ ପ୍ରାର୍ଥୀ ଚୟନ ଓ ନିଯୁକ୍ତି ଜନିତ ତ୍ରୁଟି ବିଚ୍ୟୁତି ଯୋଗୁଁ ଅନେକ କୃତୀ ପ୍ରାର୍ଥୀ ଏବଂ ସେମାନଙ୍କ ପରିବାର ବର୍ଷ ବର୍ଷ ଧରି ଗଭୀର ମାନସିକ ଯନ୍ତ୍ରଣାରେ ରହୁଛନ୍ତି ।

ଦନ୍ତ ଚିକିତ୍ସକ ନିଯୁକ୍ତି କ୍ଷେତ୍ରରେ ସୃଷ୍ଟି ହୋଇଥିବା ଅନୁରୂପ ବିଭ୍ରାଟ ଯୋଗୁଁ ଏବେ ଏଭଳି ଏକ ପରିସ୍ଥିତି ଉପୁଜିଛି । ଅଭିଯୋଗ ହେଉଛି ଯେ ପ୍ରତିଯୋଗିତା ପରୀକ୍ଷାରେ ଅଧିକ ନମ୍ବର ରଖିଥିବା କିଛି ପ୍ରାର୍ଥୀଙ୍କୁ ବାଦ୍‍ ଦେଇ ସେମାନଙ୍କ ସ୍ଥାନରେ ଢେର କମ୍‍ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ଫଳରେ ଅଡୁଆ ବଢିବାରେ ଲାଗିଛି । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଓଡିଶା ଲୋକସେବା ଆୟୋଗ ଏବେ ଯେଉଁ ତଥ୍ୟ ଅଦାଲତରେ ଉପସ୍ଥାପନ କରିଛନ୍ତି ସେଥିରୁ ନିଯୁକ୍ତି ପାଇଥିବା ଅନ୍ୟୁନ ୧୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଓ ଭବିଷ୍ୟତ ଘେନି ଅନିଶ୍ଚିତତା ସୃଷ୍ଟି ହୋଇଛି । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଯେଉଁ ପ୍ରାର୍ଥୀମାନେ ଅଧିକ ନମ୍ବର ରଖିଥିଲେ ମଧ୍ୟ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇଛନ୍ତି ସେମାନେ ନିଯୁକ୍ତି ପାଇବା ଯୁକ୍ତିସଂଗତ ବୋଲି କୁହାଯାଉଛି । ଅନ୍ୟ ପକ୍ଷରେ ଅନ୍ୟ ଯେଉଁମାନେ ନିଯୁକ୍ତି ପାଇ କାମ କରୁଛନ୍ତି ସେମାନଙ୍କୁ ଚାକିରିରୁ ବିଦା କରାଗଲେ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇପାରେ । ତେବେ ଏ ପ୍ରସଙ୍ଗରେ ଅଦାଲତଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।

୨୦୧୭ ବ୍ୟାଚ୍‍ର ଓଏଏସ୍‍ ନିଯୁକ୍ତି କ୍ଷେତ୍ରରେ ଅଧିକ ନମ୍ବର ରଖିଥିବା ଜଣେ କୃତୀ ପ୍ରାର୍ଥୀଙ୍କୁ ଆୟୋଗ ତାହାର ମେଧା ତାଲିକାରେ ସାମିଲ ନକରି ତାଙ୍କ ପ୍ରାର୍ଥୀତ୍ୱ ନାକଚ କରିବା ସହ ଢେର କମ୍‍ ନମ୍ବର ରଖିଥିବା ଅନ୍ୟ ବହୁ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିଶ୍‍ କରିଥିଲା ଓ ସେହି ଆଧାରରେ କମ୍‍ ମେଧା ସମ୍ପନ୍ନ ପ୍ରାର୍ଥୀମାନେ ୫ବର୍ଷ ଧରି ଓଏଏସ୍‍ ଚାକିରିରେ କାମ କରିଥିବାବେଳେ ମାମଲା ଲଢି ଲଢି ଏବେ ବଞ୍ଚିତ ପ୍ରାର୍ଥୀ ଜଣଙ୍କ ନିଯୁକ୍ତି ପାଇଛନ୍ତି । ତେବେ ଦୀର୍ଘ ପାଞ୍ଚବର୍ଷ ଧରି ଏହି ବଞ୍ଚିତ ପ୍ରାର୍ଥୀ ଓ ତାଙ୍କ ପରିବାରବର୍ଗ ଯେଭଳି ମାନସିକ ଚାପର ଶିକାର ହୋଇଥିଲେ ତାହାର କ୍ଷତିପୂରଣ ଦେବ କିଏ ?

ଅଭିଜ୍ଞ ଆଇନ୍‍ ବିଶାରଦମାନେ କହୁଛନ୍ତି ଯେ ରାଜ୍ୟ ସରକାର ଓ ଆୟୋଗ ମଧ୍ୟରେ ଏଭଳି ପ୍ରସଙ୍ଗକୁ ନେଇ ବୈଠକଟିଏ ହୋଇଥିଲେ କେଇ ମିନିଟ୍‍ ମଧ୍ୟରେ ୫ବର୍ଷ ତଳୁ ସମସ୍ୟାର ସମାଧାନ ହୋଇପାରିଥାନ୍ତା । ଏହି ବଞ୍ଚିତ ପ୍ରାର୍ଥୀଙ୍କୁ ଗତ ଫେବୃୟାରୀ ସୁଦ୍ଧା ନିଯୁକ୍ତି ଦେଇ ମାର୍ଚ୍ଚମାସ ସୁଦ୍ଧା ହାଇକୋର୍ଟଙ୍କୁ ଜଣାଇବା ଲାଗି ରାୟରେ ସ୍ପଷ୍ଟ ଉଲ୍ଲେଖ ଥିଲେ ମଧ୍ୟ ଏଯାବତ୍‍ ଏହି ଘଟଣାରେ ସରକାର ସତ୍ୟପାଠଦାଖଲ କରିନଥିବାବେଳେ ରାୟ ପ୍ରକାଶର ଆଠମାସ ପରେ ପୁଣି ହାଇକୋର୍ଟରୁ ସରକାରଙ୍କ ନିକଟକୁ ରାୟର ପ୍ରତିଲିପି ଆସିଛି । ରାୟ ମୁତାବକ ବଞ୍ଚିତ ପ୍ରାର୍ଥୀଙ୍କୁ ରାଜ୍ୟ ସରକର ଲକ୍ଷେ ଟଙ୍କା କ୍ଷତିପୂରଣ ଦେବା ସହ ତାଙ୍କ ବ୍ୟାଚ୍‍ର ଅନ୍ୟ ପ୍ରାର୍ଥୀଙ୍କ ସହିତ ତାଙ୍କର ମେଧା ଆଧାରରେ ବରିଷ୍ଠତା ପ୍ରଦାନ କରିବା ଓ ସେହିଦିନ ଠାରୁ ତାଙ୍କର ଦରମା ଧାର୍ଯ୍ୟ ସହ ଯଦି କୌଣସି କନିଷ୍ଠ ପଦୋନ୍ନତି ପାଇଥାନ୍ତି ତେବେ ତାଙ୍କୁ ପଦୋନ୍ନତି ଦେବାକୁ ମଧ୍ୟ ହାଇକୋର୍ଟ କହିଥିବା ପରିପ୍ରେକ୍ଷୀରେ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ସଂକ୍ରାନ୍ତରେ ସରକାରୀ ସତ୍ୟପାଠରୁ ହିଁ ଜଣାପଡିବ ।

ସେହିଭଳି ଅନ୍ୟଜଣେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାପାଇଁ ୧୦ବର୍ଷ ତଳୁ ସଚିବାଳୟରେ ଏଏସଓ ଭାବେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ବିଦା କରିବାପାଇଁ ଦିଆଯାଇଥିବା ନୋଟିସ୍‍ ବି ସରକାରଙ୍କୁ କାଠଗଡାରେ ପୂରାଇଛି । ଅଭିଯୋଗ ଶୁଣାଣି ବ୍ୟବସ୍ଥା ସକରାତ୍ମକ ଭାବେ ଚାଲିବା ସହ ବିଭିନ୍ନ ସଂସ୍ଥା ସଂଗେ ସମନ୍ୱୟ ରହିପାରିଲେ ଏଭଳି ଅନେକ ସମସ୍ୟା ଦୂରହୋଇ ପାରନ୍ତା ବୋଲି କୁହାଯାଉଛି । (ତଥ୍ୟ)