Home Judiciary ସବୁ ସୁବିଧା ପାଇବେ ବିରଞ୍ଚି ସାହୁ

ସବୁ ସୁବିଧା ପାଇବେ ବିରଞ୍ଚି ସାହୁ

ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ହାତରେ ଧରାପଡିଥିବା ଓଡିଶା ଷ୍ଟାଫ ସିଲେକ୍ସନ କମିଶନର କର୍ମଚରୀ ବିରଞ୍ଚି ନାରାୟଣ ସାହୁଙ୍କୁ ସରକାର ଚାକିରିରୁ ବିଦା କରିଥିଲେ ମଧ୍ୟ ଆଇନ୍‍ତଃ ସେ ପେନ୍‍ସନ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପାଇବାକୁ ହକଦାର ବୋଲି ଆଇନ୍‍ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି ।

ଓଡିଶା ସିଭିଲ ସର୍ଭିସେସ୍‍ କ୍ଲାସିଫିକେସନ କଣ୍ଟ୍ରୋଲ ଆଣ୍ଡ ଆପିଲ ରୁଲ୍ସର ୧୩ଧାରାରେ ଥିବା ଦଣ୍ଡଗୁଡିକ ମଧ୍ୟରେ ବାଧ୍ୟତାମୂଳକ ଅବସର ରହିଛି । ଏହି ଆଇନ୍‍ର ୧୫ଧାରା ଅନୁଯାୟୀ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଧାରରେ ବାଧ୍ୟତାମୂଳକ ଅବସର ଦିଆଯାଇ ପାରିବ । ଏହାଛଡା ପ୍ରଶାସନକଳକୁ ଦକ୍ଷ, ସ୍ୱଚ୍ଛ ଓ ଗତିଶୀଳ କରିବାପାଇଁ ସରକାର ମଧ୍ୟ ସମୀକ୍ଷାକରି ବିଧିବିଧାନ ଆଧାରରେ କୌଣସି କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇପାରିବେ । ଓଡିଶା ସର୍ଭିସ କୋଡ୍‍ରେ ମଧ୍ୟ ଏ ସଂକ୍ରାନ୍ତୀୟ ବ୍ୟବସ୍ଥା ରହିଛି ।

ଯେଉଁ କର୍ମଚାରୀମାନଙ୍କୁ ଚାକିରିରୁ ବରଖାସ୍ତ କରାଯିବ ସେମାନେ ପେନସନ ଆଦି ପାଇପାରିବେ ନାହିଁ । ତେବେ ବାଧ୍ୟତାମୂଳକ ଅବସର ଓ ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀମାନେ ପେନସନ ରୁଲ୍‍ର ବ୍ୟବସ୍ଥା ଅନୁଯାୟୀ ଅବସରକାଳୀନ ପ୍ରାପ୍ୟ ପାଇପାରିବେ ।

ଏଠାରେ ଉଲ୍ଲେଖନୀୟ ଯେ ଭିଜିଲାନ୍ସ ହାତରେ ଧରାପଡିଥିବା କମିଶନର କର୍ମଚାରୀ ଶ୍ରୀ ସାହୁ ଗିରଫ ହେବାପରେ ତାଙ୍କୁ ପ୍ରଥମେ ନିଲମ୍ବନ ଓ ପରେ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଆଇନର ପରିଧି ମଧ୍ୟରେ ନିଲମ୍ବନ ଓ ବାଧ୍ୟତାମୂଳକ ଅବସର ପ୍ରସଙ୍ଗରେ ସେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଗୁହାରି କରିପାରିବେ ଓ ନ୍ୟାୟାଳୟରେ ବି ଆଶ୍ରୟ ନେଇପାରିବେ ।

ଯଦି ନ୍ୟାୟାଳୟ ବାଧ୍ୟତାମୂଳକ ଅବସର ଆଦେଶକୁ ଖାରଜ କରିଦିଅନ୍ତି ତେବେ ସେ ପୁଣି ଚାକିରିକୁ ଫେରିପାରିବେ । ନହେଲେ ପେନ୍‍ସନ ରୁଲ୍‍ ଆଧାରରେ ତାଙ୍କୁ କର୍ତ୍ତୃପକ୍ଷ ଅବସରକାଳୀନ ପ୍ରାପ୍ୟ ପଇଠ କରିବେ । ତେବେ ଅପରାଧିକ ମାମଲା ଏ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟିକଲେ ସମ୍ପୃକ୍ତ କର୍ମଚାରୀଙ୍କୁ ପ୍ରୋଭିଜନାଲ ପେନସନ ଓ ଗ୍ରାଚ୍ୟୁଟି ଆଦି ପ୍ରଦାନ କରାଯାଇ ପାରିବ ।

ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କମିଶନର ଏହି କର୍ମଚାରୀଙ୍କ ଚାକିରିକାଳ ଆଉ ଅଳ୍ପ କେଇମାସ ରହିଥିଲା ଓ ସେ ୨୫ବର୍ଷରୁ ଅଧିକ ସମୟ ସରକାରୀ ଚାକିରିରେ ଥିବା ଦୃଷ୍ଟିରୁ ପୂରା ପେନ୍‍ସନ ପାଇବାକୁ ହକଦାର ବୋଲି ପ୍ରଶାସନିକ ଆଇନ୍‍ ବିଶାରଦମାନେ ମତବ୍ୟକ୍ତ କରୁଛନ୍ତି । ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଧାରରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲେ ସେ କିନ୍ତୁ ପେନସନ ଆଦି ପାଇପାରି ନଥାନ୍ତେ । (ତଥ୍ୟ)