Home General ସବୁ ମନ୍ଦିରରେ ଓମ୍‌ଫେଡ୍ ଘିଅ ବ୍ୟବହାର ହେଉ

ସବୁ ମନ୍ଦିରରେ ଓମ୍‌ଫେଡ୍ ଘିଅ ବ୍ୟବହାର ହେଉ

ଭୁବନେଶ୍ୱର : ଆନ୍ଧ୍ରର ପ୍ରସିଦ୍ଧ ତିରୁପତିଙ୍କର ପ୍ରସାଦରେ ଘିଅ ବଦଳରେ ଗାଇ ଓ ଘୁଷୁରୀ ଚର୍ବି ଓ ମାଛ ତେଲର ଅପମିଶ୍ରଣ ଖବର ପ୍ରକାଶ ପାଇଲା ପରେ କେବଳ ଆନ୍ଧ୍ରର ନୁହେଁ, ସାରା ବିଶ୍ୱରେ ଥିବା ଭେଙ୍କଟେଶ୍ୱରଙ୍କର କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ୱାସ ଦୋହଲି ଯାଇଛି ।

ଭେଙ୍କଟେଶ୍ୱରଙ୍କ ପ୍ରସାଦରେ ଘିଅର ଅପମିଶ୍ରଣ ଭକ୍ତମାନଙ୍କୁ ଶକ୍ତ ଆଘାତ ଦେଇଛି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ସରକାର ଏକ ଆଦେଶ ଜାରି କରି ତାଙ୍କ ରାଜ୍ୟର ସବୁ ମନ୍ଦିରରେ କେବଳ କର୍ଣ୍ଣାଟକ ଦୁଗ୍ଧ ମହାସଂଗ ପକ୍ଷରୁ ଉତ୍ପାଦିତ “ନନ୍ଦିନୀ ଡାଏରୀ”ର ଘିଅ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଫଳରେ ଅପମିଶ୍ରଣକୁ ରୋକାଯିବା ସହିତ ସୁସ୍ୱାଦୁ ପ୍ରସାଦ ତିଆରି କରାଯାଇପାରିବ ବୋଲି କର୍ଣ୍ଣାଟକ ସରକାର ଏହି ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସବୁ ମନ୍ଦିରରେ ଓମ୍‌ଫେଡ୍ ଦ୍ୱାରା ପ୍ରସ୍ତୁତ ବିଶୁଦ୍ଧ ଘିଅ ଓ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର କରିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଦାବି କରାଯାଇଛି ।

ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ଓମ୍‌ଫେଡ୍ ଘିଅ ମନ୍ଦିରରେ ବ୍ୟବହାର କରାଗଲେ ଅପମିଶ୍ରଣକୁ ରୋକାଯିବା ସଂଗେ ସଂଗେ ଭକ୍ତମାନଙ୍କର ଅତୁଟ ଆସ୍ଥା ଓ ବିଶ୍ୱାସକୁ ସମ୍ମାନ ଦିଆଯାଇପାରିବ । ଏହା ବ୍ୟତୀତ ରାଜ୍ୟରେ ଗ୍ରାମାଞ୍ଚଳରେ ଦୁଗ୍ଦ ଉତ୍ପାଦନ ଓ ଘିଅ ଉତ୍ପାଦନ ବୃଦ୍ଧି ପାଇବ ଓ ଅଧିକରୁ ଅଧିକ ଲୋକ ରୋଜଗାର ପାଇପାରିବେ ।

ତେଣୁ ଗୋଟିଏ ଦିଗରେ ରାଜ୍ୟର କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ୱାସ ଓ ଅନ୍ୟ ଦିଗରେ ଗ୍ରାମାଞ୍ଚଳରେ ସାଧାରଣ ଗରିବ ଅର୍ଦ୍ଧଶିକ୍ଷିତ, ବେକାର ଯୁବକ ଯୁବତୀ ଓ ଅସହାୟ ମହିଳାଙ୍କୁ ରୋଜଗାର ଯୋଗାଇବାର ବୃହତ୍ତର ଲକ୍ଷ୍ୟ ନେଇ ସବୁ ମନ୍ଦିରରେ ଓମ୍‌ଫେଡ୍ ଘିଅ ବ୍ୟବହାର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।