Home Health ସବୁ ଜିଲ୍ଲାରେ ମେଡିକାଲ କଲେଜ୍‍ କେବେ ?

ସବୁ ଜିଲ୍ଲାରେ ମେଡିକାଲ କଲେଜ୍‍ କେବେ ?

ଭୁବନେଶ୍ୱର : ସବୁ ଜିଲ୍ଲାରେ ମେଡିକାଲ୍‍ କଲେଜ୍‍ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ପ୍ରାୟ ୬ବର୍ଷ ତଳେ ନୀତିଗତ ନିଷ୍ପତ୍ତି ନେଇଥିଲେ ମଧ୍ୟ ଏବେ ଓଡ଼ିଶାର ଅନ୍ୟୁନ ୧୬ଟି ଜିଲ୍ଲାରେ ଏହା ହୋଇପାରି ନାହିଁ । ଅନ୍ୟୁନ ୧୧ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ମେଡିକାଲ୍‍ କଲେଜ୍‍ ନଥିବାବେଳେ ସବୁ ଜିଲ୍ଲାରେ କେବେସୁଦ୍ଧା ମେଡିକାଲ୍‍ କଲେଜ୍‍ ହେବ ସେଥିଘେନି ବିଭିନ୍ନ ଜିଲ୍ଲାବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

କଟକ, ସମ୍ବଲପର, ଗଞ୍ଜାମ, ବଲାଙ୍ଗୀର, ବାଲେଶ୍ୱର, ସନ୍ଦରଗଡ଼, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କୋରାପୁଟ, ପୁରୀ, ଅନୁଗୁଳ ଓ କନ୍ଧମାଳ ଜିଲ୍ଳାରେ ରାଜ୍ୟ ସରକାରଙ୍କ ମେଡିକାଲ୍‍ କଲେଜ୍‍ମାନ ରହିଛି । ତେବେ ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ବରଗଡ଼, ଝାରସୁଗୁଡ଼ା, ଗଜପତି, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଏ ପର୍ଯ୍ୟନ୍ତ ଏମ୍‍ବିବିଏସ୍‍ ପାଠ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କର ମେଡିକାଲ୍‍ କଲେଜ୍‍ ନାହିଁ । ତେବେ ଭୁବନେଶ୍ୱରରେ ଭାରତ ସରକାରଙ୍କ ଏମ୍ସ ଓ ରାଜ୍ୟ ସରକାରଙ୍କ ଏକ ସ୍ନାତକୋତ୍ତର ମେଡିକାଲ୍‍ ଶିକ୍ଷାନୁଷ୍ଠାନ ରହିଛି ।

୨୦୨୪ ସାଧାରଣ ନିର୍ବାଚନ ବେଳେ ବିଜେପି ତା’ର ସଂକଳ୍ପ ପତ୍ରରେ ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ୍‍ କଲେଜ୍‍ ଓ ନର୍ସିଂ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଥିଲା । ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ସମେତ ବିଭିନ୍ନ ଜିଲ୍ଲାରେ ମେଡିକାଲ କଲେଜ୍‍ ସ୍ଥାପନ ପାଇଁ ଯେଉସବୁ ଆନ୍ଦୋଳନ ପୂର୍ବରୁ ହେଉଥିଲା ତାହାକୁ ପ୍ରାୟ ସବୁ ରାଜନୈତିକ ଦଳ ସମର୍ଥନ ଦେଉଥିଲେ ।

ରାଜ୍ୟ ସରକାରଙ୍କ ୧୪ଟି ମେଡିକାଲ୍‍ କଲେଜ୍‍ରେ ୧୮୦୦ ଏମ୍‍ବିବିଏସ୍‍ ଛାତ୍ରଛାତ୍ରୀ ନାମାଙ୍କନ କରିବାର ବ୍ୟବସ୍ଥା ରହିଛି । ତେବେ ଏହିସବୁ ମେଡିକାଲ୍‍ କଲେଜ୍‍ରେ ପାଠପଢ଼ା, ଗବେଷଣା ଓ ରୋଗୀ ଚିକିତ୍ସା ପାଇଁ ବିଭିନ୍ନ ବିଭାଗରେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତରୀ ଶିକ୍ଷକ ନାହାନ୍ତି । ଏଥିଯୋଗୁ ବହୁ କ୍ଷେତ୍ରରେ ସ୍ୱାସ୍ଥ୍ୟସେବାରେ ସଂକଟଜନକ ପରିସ୍ଥିତି ଉପଜୁଥିବାରୁ ଅନେକ ସରକାରୀ ମେଡିକାଲ୍‍ କଲେଜ୍‍ ରୋଗୀମାନଙ୍କୁ କଟକ, ବୁର୍ଲା, ବ୍ରହ୍ମପୁର ଏବଂ ଭୁବନେଶ୍ୱରର ଏମ୍ସକୁ ପଠାଇବାକ ବାଧ୍ୟ ହେଉଛନ୍ତି । ଅନେକ କ୍ଷେତ୍ରରେ ରୋଗୀମାନେ ବେସରକାରୀ ମେଡିକାଲ୍‍ କଲେଜ୍‍ ଓ କର୍ପୋରେଟ୍‍ ହସ୍ପିଟାଲମାନଙ୍କୁ ଚାଲିଆସୁଛନ୍ତି । ଖାଲି ଡାକ୍ତର ଓ ଡାକ୍ତରୀ ଶିକ୍ଷକ ନୁହେଁ, ମେଡିକାଲ୍‍ କଲେଜ୍‍ ଓ ସରକାରୀ ଡାକ୍ତରଖାନାଗୁଡ଼ିକରେ ନର୍ସ, ଫାର୍ମାସିଷ୍ଟ, ଟେକ୍‍ନିସିଆନ୍‍ଙ୍କ ଭଳି ବହୁ ପଦବୀ ମଧ୍ୟ ଖାଲି ପଡିଛି ।

ରାଜ୍ୟରେ ୧୭ଟି ନର୍ସିଂ ଡିପ୍ଲୋମା ଓ ତାଲିମ ପ୍ରତିଷ୍ଠାନ ଥିବାବେଳେ ୧୨ଟି ନର୍ସିଂ କଲେଜ୍‍ ରହିଛି । ଏଥିମଧ୍ୟରୁ ମାତ୍ର ୮ଟି ହେଉଛି ସରକାରୀ ସଂସ୍ଥା । ଅନୁୁ୍ୟନ ୨୨ଟି ଜିଲ୍ଲାରେ ସରକାରୀ ନର୍ସିଂ ଡିପ୍ଲୋମା ଓ ଡିଗ୍ରୀ କଲେଜ୍‍ ନାହିଁ । ଏଗୁଡ଼ିକ ଭିତରୁ ଅଧିକାଂଶ ବି ଆଦିବାସୀ ବହୁଳ ଜିଲ୍ଲା । କେନ୍ଦ୍ର ସରକାରଙ୍କ ନୀତିଗତ ନିଷ୍ପତ୍ତି ଓ ରାଜ୍ୟ ବିଜେପିର ନିର୍ବାଚନ ପ୍ରତିଶ୍ରୁତି ଦୃଷ୍ଟିରୁ ଏବେ ମେଡିକାଲ କଲେଜ୍‍ ଓ ନର୍ସିଂ କଲେଜ୍‍ ନଥିବା ଜିଲ୍ଳାଗୁଡ଼ିକର ଉଭୟ ସରକାରୀ ଓ ବିରୋଧୀ ଦଳର ବହୁ ବିଧାୟକ ନିଜ ନିଜ ଜିଲ୍ଲାରେ ଏଭଳି ସରକାରୀ ମେଡିକାଲ୍‍ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ଦାବି କରୁଛନ୍ତି ।

ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ୫୫ ପ୍ରତିଶତରୁ ଅଧିକ ଡାକ୍ତରୀ ପଦବୀ ଖାଲି ପଡିଛି । ସ୍ୱାସ୍ଥ୍ୟ ବିଭାଗରେ ପାଖାପାଖି ୪୦ ହଜାର ବିଭିନ୍ନ ପଦପଦବୀ ଖାଲି ପଡିଛି । ଏସବୁ ପଦବୀ ଅଗ୍ରାଧିକାର ଭିତ୍ତିରେ ପୂରଣ ପାଇଁ ପଦକ୍ଷେପ ନିଆଯାଉଥିବା କଥା ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି । (ତଥ୍ୟ)