ଭୁବନେଶ୍ୱର : ପାରଳାଖେମୁଣ୍ଡି ଆଜି ରାଜ୍ୟର ସବୁଠାର ଅଧିକ ତତଲା ଅଞ୍ଚଳ । ଏଠାରେ ତାପମାତ୍ରା ଆଜି ସର୍ବାଧିକ ୪୦.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ରାଜଧାନୀର ତାପମାତ୍ରା ଆଜି ୩୯.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଅନ୍ୟ ଯେଉଁସବୁ ସ୍ଥାନରେ ତାପମାତ୍ରା ୩୯ଡିଗ୍ରୀ କିମ୍ବା ତାହାଠାରୁ ଅଧିକ ରହିଛି ସେଗୁଡିକ ହେଲା ମାଲକାନଗିରି, ଜଗତ୍ସିଂହପୁର, ନୟାଗଡ, ଭବାନୀପାଟଣା, ଚାନ୍ଦବାଲି, ବାରିପଦା, କେନ୍ଦ୍ରାପଡା, ଭଦ୍ରକ । ସେହିଭଳି ୩୮ ଡିଗ୍ରୀ କିମ୍ବା ତାହାଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ଅଞ୍ଚଳ ମଧ୍ୟରେ ରହିଛି ଅନୁଗୁଳ, ଝାରସୁଗୁଡା, ତାଳଚେର, ଟିଟିଲାଗଡ, ଖୋରଧା, ଯାଜପୁର, କଟକ, ନୂଆପଡା, ରାଉରକେଲା, ସୁନ୍ଦରଗଡ ଓ ବାଲେଶ୍ୱର ।
ତେବେ ଆଜି ଉପକୂଳ ଅଞ୍ଚଳ ବିଶେଷକରି ଚାନ୍ଦବାଲି ଓ ଜଗତ୍ସିଂହପୁର ଭଳି ସ୍ଥାନର ତାପମାତ୍ରା ଝାରସୁଗୁଡା ଓ ଅନୁଗୁଳ ଠାରୁ ଅଧିକ ରହିବା ଫଳରେ ସେହିସବୁ ଅଞ୍ଚଳରେ ଲୋକେ ଗରମରେ ଛଟପଟ ହୋଇଛନ୍ତି ।
ଆଜି ସବୁଠାରୁ କମ୍ ତାପମାତ୍ରା ଦାରିଙ୍ଗବାଡିରେ ରେକର୍ଡ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଆଜି ଏଠାରେ ତାପମାତ୍ରା ୩୩.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଗୋପାଳପୁରରେ ୩୪.୫ ରହିଛି । ପୁରୀରେ ଆଜି ତାପମାତ୍ରା ସ୍ୱାଭାବିକ ଠାରୁ ୨.୪ ଡିଗ୍ରୀ ଅଧିକ ଅର୍ଥାତ୍ ୩୪.୬ ଡିଗ୍ରୀ ରେକର୍ଡ ହୋଇଛି ।
ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଏହି ସମୟରେ ତାପମାତ୍ରା ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ ପୂର୍ବାନୁମାନ କରାଯାଇଛି ।