Home Energy ସବୁଜ ଶକ୍ତି ପାଇଁ ପ୍ରତିବଦ୍ଧ

ସବୁଜ ଶକ୍ତି ପାଇଁ ପ୍ରତିବଦ୍ଧ

ଭୁବନେଶ୍ୱର : ରାଜ୍ୟ ଶକ୍ତି ବିଭାଗର ତତ୍ତ୍ୱାବଧାନରେ ଗ୍ରୀଡକୋ ପକ୍ଷରୁ ଓଡ଼ିଶା ଏନର୍ଜି ଟ୍ରାଞ୍ଜିସନ୍ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ଆଇ-ଫରେଷ୍ଟ ଓ ଶକ୍ତି ଫାଉଣ୍ଡେସନର ମିଳିତ ସହୋଯୋଗରେ ଅନୁଷ୍ଠିତ ଏହି କର୍ମଶାଳାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଉଦଘାଟନ କରିଥିଲେ ।

ଏହି କର୍ମଶାଳାରେ ମୁଖ୍ୟତଃ ରାଜ୍ୟର ଏନର୍ଜି ଟ୍ରାଞ୍ଜିସନ୍ ନିମନ୍ତେ ପ୍ରସ୍ତୁତ ଯୋଜନା ସଂପର୍କରେ ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା । କର୍ମଶାଳାକୁ  ଉଦଘାଟନ କରି  ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଓଡିଶା ଅକ୍ଷୟ ଶକ୍ତି ନୀତି – ୨୦୨୨  ଆଧାରରେ ସବୁଜ ଶକ୍ତି ବିକାଶ ପାଇଁ ରାଜ୍ୟର ପ୍ରତିବଦ୍ଧତା ସଂପର୍କରେ  ଆଲୋକପାତ କରିଥିଲେ । ଜାତୀୟ ତଥା ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ସହଯୋଗରେ  ରାଜ୍ୟର ଏନର୍ଜି ଟ୍ରାଞ୍ଜିସନ୍ ଯୋଜନା ସଫଳ ଭାବେ କାର୍ଯ୍ୟକାରୀ ହୋଇପାରିବ ଏବଂ ଏହି କର୍ମଶାଳା ଏ ଦିଗରେ ଅନେକ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ଉଦ୍‌ଘାଟନୀ ଅଧିବେଶନରେ  ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ରାଜ୍ୟ ଶକ୍ତି ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗ୍ରୀଡକୋ ଅଧ୍ୟକ୍ଷ ଶ୍ରୀ ନିକୁଞ୍ଜ ବିହାରୀ  ଧଳ କହିଥିଲେ ଯେ, ଏକ ବଳିଷ୍ଠ ତଥା ସମୟୋପଯୋଗୀ ଶକ୍ତି କାର୍ଯ୍ୟ ଯୋଜନା ତଥା ଶକ୍ତି ଦକ୍ଷତା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାରେ ରାଜ୍ୟ ସରକାର ପ୍ରଚେଷ୍ଟା କରିବା ସହ ସବୁଜ ଶକ୍ତି ଉତ୍ପାଦନ ଦିଗରେ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ।

ଏହି କର୍ମଶାଳାରେ ସବୁଜ ଶକ୍ତି, ପରିବହନ, ଶିଳ୍ପ, ଖଣି, କୃଷି ଓ ମତ୍ସ୍ୟଚାଷ ଆଦି ବିଭିନ୍ନ ବିଷୟ ଉପରେ ଭିନ୍ନ ଭିନ୍ନ ଅଧିବେଶନ  ଆୟୋଜନ କରାଯାଇ ବିଷଦ ଆଲୋଚନା କରାଯାଇଥିଲା । ଏହି ଅଧିବେଶନରେ ଯୋଗଦେଇଥିବା ଜାତୀୟ ତଥା ଆନ୍ତର୍ଜାତୀୟ ବିଶେଷଜ୍ଞ ମାନେ ଅକ୍ଷୟ ଶକ୍ତି ଉତ୍ପାଦନ ଓ ଉପଯୋଗ ସଂପର୍କରେ ସେମାନଙ୍କ ଅଭିଜ୍ଞତା ବାଣ୍ଟିଥିଲେ । ପାରମ୍ପରିକ ଶକ୍ତିରୁ ଅଣପାରମ୍ପରିକ ଶକ୍ତି ଦିଗରେ ଅଗ୍ରସର ହେବା ପାଇଁ ଆବଶ୍ୟକ ବିଭିନ୍ନ ବିଷୟ ଉପରେ ଏହି କର୍ମଶାଳାରେ ବିଶଦ ଭାବେ  ଆଲୋଚନା କରାଯାଇଥିଲା ।

ବିଭିନ୍ନ କ୍ଷେତ୍ରରୁ ଯୋଗଦେଇଥିବା ବିଶେଷଜ୍ଞମାନେ ନିଜ ନିଜ ବକ୍ତବ୍ୟରେ ୨୦୩୦ ମସିହା  ସୁଦ୍ଧା ୫୦୦  ଗିଗାୱାଟ ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନ କ୍ଷମତା ହାସଲ କରିବା ପାଇଁ ଭାରତର ଲକ୍ଷ୍ୟ ପରିପ୍ରେକ୍ଷୀରେ ଏହି କର୍ମଶାଳା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ବୋଲି ମତବ୍ୟକ୍ତ କରିଥିଲେ ଏବଂ ଏ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । କର୍ମଶାଳାରେ ହୋଇଥିବା ଆଲୋଚନା ଓ ବିଚାର ବିମର୍ଶ  ଆଧାରରେ  ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଗୁଡ଼ିକ ନିଜ ନିଜ ବିଭାଗ ସଂପର୍କିତ ଏନର୍ଜି ଟ୍ରାଞ୍ଜିସନ୍ ଲକ୍ଷ୍ୟକୁ ଆହୁରି ବ୍ୟବସ୍ଥିତ କରିପାରିବେ ବୋଲି କର୍ମଶାଳାରେ ଆଶା ପ୍ରକାଶ କରାଯାଇଛି ।

ଏହି କର୍ମଶାଳାରେ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ସମେତ ଅବସରପ୍ରାପ୍ତ କେନ୍ଦ୍ର ଶକ୍ତି ସଚିବ ଶ୍ରୀ ପି.କେ. ପୂଜାରୀ, କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ଦିନେଶ ଜଗଦଲେ, ରାଜ୍ୟ ଶିଳ୍ପ ସଚିବ ଶ୍ରୀ ହେମନ୍ତ ଶର୍ମା, ଇପିକଲ୍ ର ସିଏମଡି ଶ୍ରୀ ଭୁପେନ୍ଦ୍ର ସିଂ ପୂନିଆ ପ୍ରମୁଖ ବିଭିନ୍ନ ଅଧିବେଶନରେ ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ ।

ଉଦଘାଟନୀ ଅଧିବେଶନରେ ଶକ୍ତି ଫାଉଣ୍ଡେସନର ମୁଖ୍ୟ ଶ୍ରୀ କେ.କେ. ମଣ୍ଡଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତ୍ରିଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ମୁଖ୍ୟ, ଜିଆଇଜେଡ୍ ଇଣ୍ଡିଆ, ନିଧି ସରିନ୍, ପିଡବ୍ଲୁସି ପାର୍ଟିନର ସମ୍ବିତୋଷ ମହାପାତ୍ର,ଆଇଏଫସିର କଣ୍ଟ୍ରି ହେଡ୍(ଇଣ୍ଡିଆ) ଓ୍ୱେଣ୍ଡି ଜୋ ଓ୍ୱେରର୍ଣ୍ଣର ପ୍ରମୁଖ ଯୋଗଦେଇ ବକ୍ତବ୍ୟ  ରଖିଥିଲେ ।

କର୍ମଶାଳାର ଉଦଯାପନୀ ଅଧିବେଶନରେ ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗ୍ରୀଡକୋ ଅଧ୍ୟକ୍ଷ ଶ୍ରୀଯୁକ୍ତ  ଧଳ ଆଲୋଚିତ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ଆଇ-ଫରେଷ୍ଟ ର ପ୍ରକଳ୍ପ ନିର୍ଦ୍ଦେଶିକା ମାଣ୍ଡଭି ସିଂହ ଏହି ଅଧିବେଶନକୁ ପରିଚାଳନା କରିଥିଲେ । ଗ୍ରୀଡକୋର ବିତ୍ତ ତଥା କର୍ପୋରେଟ ବ୍ୟାପାର ନିର୍ଦ୍ଦେଶକ ଶ୍ରୀ ଗଗନ ବିହାରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅକ୍ଷୟ ଶକ୍ତି ସଂପର୍କିତ ପଲିସି ଆଡଭୋକାସି ଆଣ୍ଡ୍ ଭିଜନ୍ ଗ୍ରୁପ୍ (ପି.ଏ.ଭି.ଜି) ର ପ୍ରଥମ ବୈଠକ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ସଦସ୍ୟମାନେ ଯୋଗଦେଇ ରାଜ୍ୟରେ ସବୁଜ ଶକ୍ତି ଉତ୍ପାଦନ ଦିଗରେ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ ।