Home General ସବୁଜ ବର୍ଜ୍ୟ ଉଠାଇବ କିଏ ?

ସବୁଜ ବର୍ଜ୍ୟ ଉଠାଇବ କିଏ ?

ଭୁବନେଶ୍ୱର : ଲୋକଙ୍କ ବାଡି ବଗିଚାରୁ ବାହାରୁଥିବା ଗଛ, ଡାଳପତ୍ର ଆଦି ସବୁଜ ବର୍ଜ୍ୟକୁ ରାସ୍ତାକଡରୁ କିଏ ଉଠାଇବ ତାହାକୁ ନେଇ ଏବେ ଟଣାଓଟରା । ଖୋଦ୍‍ ବିଏମ୍‍ସି ଅଧିକାରୀମାନେ ବି ଏ ସଂକ୍ରାନ୍ତରେ ଅନ୍ଧାରରେ । ଫଳରେ ରାସ୍ତାକଡରେ ମାସ ମାସ ଧରି ଡାଳପତ୍ର ଆଦି ଗଦାହୋଇ ରହୁଛି ।

ରାଜଧାନୀରେ ସଫେଇ ଦାୟିତ୍ୱରେ ସଂସ୍ଥାଗୁଡିକ ଏବେ ଘରକୁ ଘର ବୁଲି ଅଳିଆ ସଂଗ୍ରହ ସହିତ ରାସ୍ତାରେ ଝାଡୁ ମାରି ସଫା କରୁଛନ୍ତି । ଗୋଟିଏ ଦଳ ଗାଡିରେ ଆସି ଘରୁ ଅଳିଆ ସଂଗ୍ରହ କରୁଥିବାବେଳେ ଆଉ ଗୋଟିଏ ଦଳ ରାସ୍ତାରେ ପଡୁଥିବା ଛୋଟ ଛୋଟ ପତ୍ର, କାଠି, କୁଟା ଆଦିକୁ ଓଳେଇ ଗଦା କରିବାପରେ ଉଠାଇ ନେଉଛନ୍ତି । ହେଲେ ଲୋକଙ୍କ ବାଡି ବଗିଚାରୁ କଟାହୋଇ ବାହାରୁଥିବା ଗଛ ଡାଳ, କଦଳୀଗଛ, ପତ୍ର ଆଦିକୁ କେହି ଉଠାଉ ନାହାନ୍ତି ।

ପୂର୍ବରୁ ସଫେଇ ଦାୟିତ୍ୱରେ ଥିବା ସଂସ୍ଥାମାନେ ନିୟମିତ ଭାବେ ଟ୍ରାକ୍ଟର ଯୋଗେଇ ଏହାକୁ ଉଠାଇ ନେଉଥିଲେ । ହେଲେ ସେମାନେ ଏହିକାର୍ଯ୍ୟରୁ ଏବେ ଦୂରେଇ ଯାଇଛନ୍ତି । ରାସ୍ତାପାଶ୍ୱର୍ରେ ପଡିଥିବା ବିଭିନ୍ନ ଗଛ ଓ ଡାଳପତ୍ର ସେମାନେ ଆଉ ଉଠାଇବେ ନାହିଁ ବୋଲି କହିବା ସହିତ ସେଭଳି ଛାଡି ଦେଉଛନ୍ତି । ଖୋଦ ସାନିଟାରୀ ଇନ୍ସପେକ୍ଟରମାନେ ମଧ୍ୟ ଏହାକୁ ନେଇ ଦ୍ୱନ୍ଦରେ ପଡିଛନ୍ତି ।

ସେହିଭଳି ରାଜଧାନୀରେ ସଫେଇ କାର୍ଯ୍ୟରେ ନୂଆକରି ପ୍ରବେଶ କରିଥିବା ସଂସ୍ଥାମାନେ ପୂର୍ବ ତୁଳନାରେ କମ୍‍ ସଂଖ୍ୟକ କର୍ମଚାରୀ ମୁତୟନ କରିବା ସହିତ ପାଉଣା କମ୍‍ ପ୍ରଦାନ କରୁଥିବାରୁ ଅଧିକାଂଶ ସମୟରେ ସଫେଇ କର୍ମଚାରୀମାନେ ହରତାଳରେ ମାତୁଛନ୍ତି । ବର୍ତ୍ତମାନ ସହରରେ ପ୍ରବଳ ତାତି ପରିଲକ୍ଷିତ ହେଉଥିବାବେଳେ ସଫେଇ କର୍ମଚାରୀମାନେ ଅଧିକ ଚାପରେ କାମ କରିପାରୁ ନାହାନ୍ତି । ଜଣେ ସଫେଇ କର୍ମଚାରୀ ଦିନକୁ କେତେ ରାସ୍ତା ଓଳେଇବ ଓ ଜଣେ କେତେ ସ୍ଥାନରୁ ଅଳିଆ ଉଠାଇବ ସେ ନେଇ କୌଣସି ସ୍ପଷ୍ଟ ନିୟମ ନଥିବାରୁ ସଫେଇ ଦାୟିତ୍ୱରେ ସଂସ୍ଥା ଶ୍ରମିକଙ୍କ ମୁଣ୍ଡରେ ଅଧିକ କାମ ଥୋଇ ଦେଉଥିବା ଅଭିଯୋଗ ହେଉଛି ।

ଏହାବାଦ୍‍ ସରକାରୀ କ୍ୱାଟର୍ସରୁ ବାହାରୁଥିବା ନିର୍ମାଣ ବର୍ଜ୍ୟ ଏବେ ବିଏମ୍‍ସି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ବର୍ଜ୍ୟକୁ ଉଠାଇ ନେବାପାଇଁ ଯଦିଓ ନିର୍ମାଣ ବିଭାଗ ଠିକାଦାରମାନଙ୍କୁ ଅର୍ଥ ପ୍ରଦାନ କରୁଛି, ହେଲେ ସେମାନେ ଅଧିକାଂଶ ସ୍ଥାନରେ ଏହି ବର୍ଜ୍ୟଗୁଡିକୁ ରାସ୍ତାକଡରେ ନଚେତ କନଜରଭେନ୍ସିରେ ଫିଙ୍ଗି ପଳାଉଛନ୍ତି । ବର୍ତ୍ତମାନ ବିଏମ୍‍ସି ପକ୍ଷରୁ କନଜରଭେନ୍ସିଗୁଡିକୁ ସଫାସୁତୁରା ରଖିବାପାଇଁ ସେଠାରେ ଟାଇଲ ବିଛାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏହି ବର୍ଜ୍ୟଗୁଡିକ ଆଗାମୀ ଦିନ ବଡ ସମସ୍ୟା ସୃଷ୍ଟି କରିବ ।

ବର୍ତ୍ତମାନ ରାସ୍ତାକଡରେ ଗଛ ପତ୍ର ଆଦି ଯେଭଳି ଗଦାହୋଇ ରହିଛି ତାହାକୁ ଯଦି ଶୀଘ୍ର ଉଠାନଯିବ ତେବେ କୌଣସି ଠାରେ ଅଗ୍ନିକାଣ୍ଡ ଜନିତ ବିପତ୍ତି ଦେଖାଦେବ ବୋଲି ସ୍ଥାନୀୟ ଲୋକେ ଆଶଙ୍କାପ୍ରକଟ କଲେଣି । ତେଣୁ ବିଏମ୍‍ସି କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ଲାଗି ଦାବି ହେବାରେ ଲାଗିଛି । (ତଥ୍ୟ)