Home Health ସବା ତଳେ ହୋମିଓପାଥିକ କଲେଜର ମାନ୍ୟତା

ସବା ତଳେ ହୋମିଓପାଥିକ କଲେଜର ମାନ୍ୟତା

ଭୁବନେଶ୍ୱର : ରାଜ୍ୟରେ ଥିବା ୪ଟିଯାକ ସରକାରୀ ହୋମିଓପ୍ୟାଥିକ ମେଡିକାଲ୍‍ କଲେଜ୍‍ରେ ଡାକ୍ତରୀ ଶିକ୍ଷକ ମରୁଡ଼ି ଓ ଅନ୍ୟାନ୍ୟ ଭିତ୍ତିଭୂମି ଅଭାବ ଯୋଗୁ ଏଥିରୁ ଗୋଟିଏ ହେଲେ ସରକାରୀ କଲେଜ୍‍ ‘ଏ’ ଗ୍ରେଡ୍‍ ମାନ୍ୟତା ପାଇପାରି ନାହାନ୍ତି । ଚାରୋଟିଯାକ ସରକାରୀ ହୋମିଓପ୍ୟାଥିକ ମେଡିକାଲ୍‍ କଲେଜ୍‍ ‘ସି’ ଗ୍ରେଡ୍‍ ପାଇ ସନ୍ତୁଷ୍ଟ ଅଛନ୍ତି । ଏଥିରୁ ଆମ ରାଜ୍ୟରେ ହୋମିଓପ୍ୟାଥିକ ଚିକିତ୍ସା ଓ ଶିକ୍ଷା ବ୍ୟବସ୍ଥା କେତେ ଦୁର୍ବଳ ତାହା ସହଜରେ ଅନୁମେୟ । କେବଳ ହୋମିଓପ୍ୟାଥିକ ନୁହେଁ, ଆୟୁର୍ବେଦିକ ମେଡିକାଲ୍‍ କଲେଜ୍‍ଗୁଡ଼ିକରେ ମଧ୍ୟ ଅନୁରୂପ ଦୁରାବସ୍ଥା ଲାଗି ରହିଛି ।

ଭୁବନେଶ୍ୱରରେ ଥିବା ଡ. ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ୍‍ କଲେଜ୍‍ ହସ୍ପିଟାଲ ଓ ରାଉରକେଲାର ଉତ୍କଳମଣି ହୋମିଓପ୍ୟାଥିକ ମେଡିକାଲ୍‍ କଲେଜ୍‍ ହସ୍ପିଟାଲର ସ୍ୱାସ୍ଥ୍ୟାବସ୍ଥା ସଂକଟରେ ଥିବାବେଳେ ସମ୍ବଲପୁର ଓ ବ୍ରହ୍ମପୁରରେ ଅନ୍ୟ ଦୁଇଟି ସରକାରୀ ହୋମିଓପ୍ୟାଥିକ ମେଡିକାଲ୍‍ କଲେଜ୍‍ ଏକ ପ୍ରକାର କୋମା ସ୍ଥିତିରେ ଅଛନ୍ତି । ଏଥିଯୋଗୁ ବାରମ୍ବାର ସ୍ନାତକୋତ୍ତର ହୋମିଓପ୍ୟାଥିକ ପାଠ୍ୟକ୍ରମ ଉପରେ କର୍ତ୍ତୃପକ୍ଷ କଟକଣା ଜାରି କରୁଛନ୍ତି । ଫଳରେ ହୋମିଓପ୍ୟାଥିକରେ ସ୍ନାତକୋତ୍ତର ପାଠ ପଢ଼ିବା ଓ ଉଚ୍ଚତର ଗବେଷଣା ପାଇଁ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି ।

ରାଜ୍ୟର ହୋମିଓପ୍ୟାଥିକ ମେଡିକାଲ୍‍ କଲେଜ୍‍ଗୁଡ଼ିକର ଗ୍ରେଡିଂ କରିବା ପାଇଁ କେନ୍ଦ୍ରୀୟ ସଂସ୍ଥା ଓଡ଼ିଶା ଗସ୍ତରେ ଆସି ଏଠାକାର ଅବସ୍ଥା ଦେଖି ହତବାକ୍‍ ହୋଇପଡୁଛନ୍ତି । ସରକାରୀ ହୋମିଓପ୍ୟାଥିକ ମେଡିକାଲ୍‍ କଲେଜ୍‍ଗୁଡ଼ିକ ଲାଗି ପର୍ଯ୍ୟାପ୍ତ ଜମି ଓ କୋଠାବାଡ଼ି ଥିବାବେଳେ ଏଠାରେ ଥିବା ଅନକେ ଯନ୍ତ୍ରପାତି ଖତ ଖାଉଛି । ଏମିତିକି କେତେକ ସ୍ଥଳରେ ଫାର୍ମାସୀରେ ମଧ୍ୟ ଔଷଧ ପ୍ରସ୍ତୁତି ଠିକଣା ଭାବେ ହୋଇପାରୁ ନାହିଁ । ହୋମିଓପ୍ୟାଥିକ ମେଡିକାଲ୍‍ କଲେଜ୍‍ଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ଓ ଶିକ୍ଷକ ନଥିବାରୁ ବିଭିନ୍ନ ଜିଲ୍ଲାରେ ଥିବା ହୋମିଓପ୍ୟାଥିକ ଚିକିତ୍ସାନୁଷ୍ଠାନଗୁଡ଼ିକରେ ନିୟୋଜିତ ଡାକ୍ତରମାନଙ୍କ ଭିତରୁ କେତେକଙ୍କୁ ଡେପୁଟେସନ୍‍ରେ ଅଣାଯାଇ କାମ ଚଳାଯାଉଛି ।

ଏଥିଯୋଗୁ ଗ୍ରାମାଞ୍ଚଳରେ ହୋମିଓପ୍ୟାଥିକ ସରକାରୀ ଡାକ୍ତରଖାନାଗୁଡ଼ିକ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି । ଅବସରପ୍ରାପ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଅଭିଯୋଗ କରୁଛନ୍ତି ଯେ ଚାରୋଟିଯାକ ସରକାରୀ ହୋମିଓପ୍ୟାଥିକ ମେଡିକାଲ୍‍ କଲେଜ୍‍ରେ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ନିଯୁକ୍ତି ପାଇଲେ ଏଠାରେ ପୂର୍ବଭଳି ସ୍ନାତକୋତ୍ତର ପାଠ୍ୟକ୍ରମ ଅଧିକ ବିଷୟରେ ପଢ଼ାଯାଇପାରିବ । ତେବେ ଖାଲି ପଡିଥିବା ସମସ୍ତ ପଦବୀଗୁଡ଼ିକୁ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯାଉ ନାହିଁ ।

ଏବେ ରାଜ୍ୟରେ ଶତାଧିକ ହୋମିଓପ୍ୟାଥିକ ଡାକ୍ତରୀ ପଦବୀ ଖାଲି ପଡିଛି । ଏହାଛଡ଼ା ଆହୁରି ଅଧିକ ଆୟୁର୍ବେଦିକ ଡାକ୍ତର ପଦବୀ ମଧ୍ୟ ଖାଲି । ପାଖାପାଖି ୪୫୦ ହୋମିଓ ଓ ଆୟୁର୍ବେଦିକ ସହାୟକ ପଦବୀ ମଧ୍ୟ ଖାଲି ରହିଛି । ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଚିକିତ୍ସା ପାଶ୍ୱର୍ ପ୍ରତିକ୍ରିୟା ବିହୀନ ହୋଇଥିବା ଏବଂ ଏଲୋପ୍ୟାଥିକ ତୁଳନାରେ ଏହା ଶସ୍ତା ହେଉଥିବାରୁ ସାଧାରଣ ଲୋକେ ଏହି ଚିକିତ୍ସା ପଦ୍ଧତିକୁ ପସନ୍ଦ କରନ୍ତି । ବଡ଼ବଡ଼ ଡାକ୍ତରମାନେ ବି ଖୋଲା ମତବ୍ୟକ୍ତ କରୁଛନ୍ତି ଯେ ଅଧିକାଂଶ ରୋଗବ୍ୟାଧିର ସହଜ ଓ ସରଳ ଚିକିତ୍ସା ହୋମିଓପ୍ୟାଥିକ ମାଧ୍ୟମରେ କରାଯାଇପାରିବ ।

ଏଥିପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆୟୁଷ ମନ୍ତ୍ରାଳୟ ଖୋଲିଥିବା ବେଳେ ରାଜ୍ୟ ସରକାର ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟ ସରକାରୀ ଡାକ୍ତରଖାନାଗୁଡ଼ିକରେ ଆୟୁଷ ଡାକ୍ତର ନିଯୁକ୍ତ କରିଥାନ୍ତି । ହୋମିଓପ୍ୟାଥିକ ଓ ଆୟୁର୍ବେଦିକ କଲେଜଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାନଗଲେ ଆୟୁଷ ଚିକିତ୍ସା ପଦ୍ଧତିକୁ ଏହା କ୍ଷତି ପହଞ୍ଚାଇବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିବା ସହିତ ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ପଦ୍ଧତିର ସମସ୍ତ ଡାକ୍ତର, ଶିକ୍ଷକ ଓ ସହାୟକ ପଦବୀ ତୁରନ୍ତ ପୂରଣ କରିବା ପାଇଁ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)