ଭୁବନେଶ୍ୱର : ଜମିଜମା ପଞ୍ଜିକରଣୁ ଦୁର୍ନୀତିମୁକ୍ତ କରିବାପାଇଁ ରାଜ୍ୟ ସରକାର ଯେତେ ଯୋଜନା କଲେ ମଧ୍ୟ ସବରେଜିଷ୍ଟ୍ରର ଦପ୍ତରରେ ତାହା ଏକ ପ୍ରକାର ଫେଲ ହୋଇ ଯାଉଛି । ପଞ୍ଜିକରଣ ସଂକ୍ରାନ୍ତୀୟ ଫି ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ସୂଚନା ନଥିବାରୁ ସରକାରଙ୍କ ଯୋଜନା ସଂକ୍ରାନ୍ତରେ ଅବଗତ ଶିକ୍ଷିତ ଲୋକେ ବି ସେଠାରେ ଶୋଷଣର ଶିକାର ହେଉଛନ୍ତି ।
ଗାଁ ଠାରୁ ସହର ପର୍ଯ୍ୟନ୍ତ ଜମିଜମା ପଞ୍ଜିକରଣ ପାଇଁ ରହିଛି ସବରେଜିଷ୍ଟ୍ରର ଦପ୍ତର । ଏଠାରେ ଜମିଜମା ପଞ୍ଜିକରଣ ପାଇଁ ସରକାରୀ କର୍ମଚାରୀଙ୍କ ତୁଳନାରେ ଅଧିକ ସଂଖ୍ୟକ ମୋହରିର ରହିଥାନ୍ତି । ଜମି ଖରିଦ କରୁଥିବା ଲୋକେ ଏମାନଙ୍କ ନିକଟରେ ପହଞ୍ଚିବା ପରେ ଏମାନେ ଦଲିଲ ପ୍ରସ୍ତୁତ କରିବା ସହିତ ସମସ୍ତ ସହାୟତା କରିଥାନ୍ତି । ସବରେଜିଷ୍ଟ୍ରରଙ୍କ ଦପ୍ତରରେ କେଉଁ କେଉଁ କାର୍ଯ୍ୟ କିଭଳି ହେଉଛି କ୍ରେତା କିମ୍ବା ବିକ୍ରେତା କେହି ହେଲେ ଜାଣିବାର ଅବକାଶ ନଥାଏ ।
ସବରେଜିଷ୍ଟ୍ରାର ଦପ୍ତରର କର୍ମଚାରୀଙ୍କ ସହିତ ମୋହରିରଙ୍କ ସଲାସୁତରା ଯୋଗୁଁ ସବୁକିଛି ଏମାନେ ହିଁ କରିଥାନ୍ତି । କ୍ରେତା ଓ ବିକ୍ରେତା କେବଳ ଫଟୋ ଉଠାଇଥାନ୍ତି ଓ ଦସ୍ତଖତ କରିଥାନ୍ତି । କେଉଁଠାରେ ସରକାରୀ ଫି ବାବଦକୁ କେତେ ଅର୍ଥ ଦେବାକୁ ହୋଇଥାଏ ଓ ଜମିର ମୂଲ୍ୟ ଅନୁଯାୟୀ ସରକାରୀ ଖାତାକୁ କେତେ ଅର୍ଥ ଯାଉଛି ତାହା ମଧ୍ୟ କ୍ରେତାମାନେ ସହଜରେ ଜାଣିପାରି ନଥାନ୍ତି । ସବୁ କିଛି କାର୍ଯ୍ୟ ସରିଲାପରେ ସମ୍ପୃକ୍ତ ମୋହରିରମାନେ କ୍ରେତାଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରିଥାନ୍ତି ।
ସବୁଠାରୁ ବଡ କଥା ହେଲା ବର୍ତ୍ତମାନ ସୁଦ୍ଧା ଜମିଜମା ପଞ୍ଜିକରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଫର୍ମ (ଷ୍ଟାଣ୍ଡାର୍ଡ ଫର୍ମ) ନଥିବାରୁ ମୋହରିରମାନେ ନିଜ ଇଚ୍ଛା ଅନୁଯାୟୀ ଷ୍ଟାମ୍ପ ପେପରରେ ଜମି କିଣା ବିକାର ସୂଚନା ଲେଖିଥାନ୍ତି । ସରକାର ଯଦି ନିଜଆଡୁ ଏହି ଷ୍ଟାଣ୍ଡାର୍ଡ ଫର୍ମ ଜାରି କରନ୍ତେ ତେବେ କ୍ରେତା ଓ ବିକ୍ରେତା ଆବଶ୍ୟକ ଅନୁଯାୟୀ ଯେକୌଣସି ସ୍ଥାନରେ ହାତରେ ଲେଖିକରି କିମ୍ବା ଟାଇପ୍ କରି ସବରେଜିଷ୍ଟ୍ରର ଦପ୍ତରରେ ଦାଖଲ କରନ୍ତେ ।
ଏହାଛଡା ଜମିର ଦର ଅନୁଯାୟୀ କେତେ ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହେବ ସେ ସଂକ୍ରାନ୍ତରେ ମଧ୍ୟ ସବରେଜିଷ୍ଟ୍ରାର ଦପ୍ତରରେ କୌଣସି ସୂଚନା ଫଳକ ନାହିଁ । ଜମି ଖରିଦର ଶେଷ ପର୍ଯ୍ୟାୟରେ ଉଭୟ କ୍ରେତା, ବିକ୍ରେତା ଓ ସାକ୍ଷୀ ସର୍ବରେଜିଷ୍ଟ୍ରରଙ୍କ ସମ୍ମୁଖରେ ହାଜର ହେଉଥିଲେ ମଧ୍ୟ ସବରେଜିଷ୍ଟ୍ରର କେବଳ ବିକ୍ରେତାଙ୍କୁ ଗୋଟିଏ ଦୁଇଟି ପ୍ରଶ୍ନ ପଚାରି ତାଙ୍କ କାର୍ଯ୍ୟ ସାରି ଦେଉଛନ୍ତି । ସେଠାରେ ସମ୍ପୃକ୍ତ ଜମି କିଣା ବିକା ପାଇଁ ସରକାରୀ ତହବିଲକୁ କେତେ ଅର୍ଥ ଦେଇଛନ୍ତି ବୋଲି ଯଦି କ୍ରେତାଙ୍କୁ ପଚରାଯାଆନ୍ତା ତେବେ ଉଭୟ ପକ୍ଷ ଏ ସଂକ୍ରାନ୍ତରେ ସୂଚନା ପାଇପାରନ୍ତେ ।
ସବୁଠାରୁ ବଡକଥା ହେଲା ମୋହରିରମାନେ ବହୁ ସ୍ଥାନରେ ସବରେଜିଷ୍ଟ୍ରାର ଓ ତାଙ୍କ ଦପ୍ତରର କିରାଣୀଙ୍କ ନାଁରେ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି । ଏଥିଯୋଗୁଁ ସରକାରୀ କଳ ଖୋଲାଖୋଲି ବଦନାମ ହେଉଛି । ଏ କଥା ସମସ୍ତେ ଜାଣୁଛନ୍ତି । ହେଲେ ସମସ୍ତେ ନିଜ ନିଜର ଭାଗ ପାଉଥିବାରୁ ଏ ନେଇ କେହିହେଲେ ପାଟି ଖୋଲୁ ନାହାନ୍ତି । ଏଣେ ରାଜସ୍ୱମନ୍ତ୍ରୀ କୌଣସି ଠାରେ ଲାଞ୍ଚ କାରବାର ହେଲେ ସିଧାସଳଖ ତାଙ୍କୁ ଜଣାଇବାପାଇଁ ଆହ୍ୱାନ ଦେଉଥିବାବେଳେ ସବରେଜିଷ୍ଟ୍ରାର ଦପ୍ତରଗୁଡିକରେ କିନ୍ତୁ ସାଧାରଣ ଲୋକଙ୍କ ପାଇଁ କୌଣସି ସୂଚନା ନଥିବାରୁ ଲୋକେ ଲାଞ୍ଚ ଦେଉଥିଲେ ମଧ୍ୟ କିଛି କରିପାରୁ ନାହାନ୍ତି । (ତଥ୍ୟ)

