Home General ସଫଳତାର ତାଲିକା ପ୍ରସ୍ତୁତି ପାଇଁ ତନାଘନା

ସଫଳତାର ତାଲିକା ପ୍ରସ୍ତୁତି ପାଇଁ ତନାଘନା

ଭୁବନେଶ୍ୱର : ଓଡିଶାରେ ବିଜେପି ସରକାର ଗଠନର ପ୍ରଥମବର୍ଷ ପୂର୍ତ୍ତି ସହିତ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱର ୧୧ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଓଡିଶା ସରକାରଙ୍କ ସମସ୍ତ ବିଭାଗ ଏବେ ଚଳ ଚଞ୍ଚଳ । ଏଥିପାଇଁ ବିଭାଗୱାରୀ ସମୀକ୍ଷା ବୈଠକ ସହିତ ସଫଳତାର ତାଲିକ।। ପ୍ରସ୍ତୁତି ଲାଗି ତନାଘନା ଉଦ୍ୟମ ଚାଲିଛି ।

ଏଗାର ବର୍ଷରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାର ଓଡିଶା ପାଇଁ କେଉଁ କ୍ଷେତ୍ରରେ କ’ଣ କାମ କରିଛନ୍ତି ଏବଂ କେଉଁ ପ୍ରକଳ୍ପରେ କେତେ ଅର୍ଥ ମଞ୍ଜୁର କରିଛନ୍ତି ଓ ସେଥିରୁ କେତେ ସଂଖ୍ୟକ ଲୋକ ଉପକୃତ ହୋଇଛନ୍ତି ସେସବୁର ବିସ୍ତୃତ ବିବରଣୀ ସଂଗ୍ରହ ଚାଲିଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଜାରି କରାଯାଇଥିବା ମୋଦୀ ଗ୍ୟାରେଣ୍ଟି ଓଡିଶାରେ କେତେ କାର୍ଯ୍ୟକ୍ଷମ ଓ ଲୋକପ୍ରିୟ ହୋଇପାରିଛି ସେ ସଂକ୍ରାନ୍ତରେ ବି ସ୍ୱତନ୍ତ୍ର ଆଲେଖ୍ୟମାନ ପ୍ରସ୍ତୁତ ଚାଲିଛି ।

ଗତବର୍ଷ ଜୁନ୍‍ ୪ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା, ଯେଉଁଥିରେ ୨୧ଟି ଲୋକସଭା ଆସନରୁ ଓଡିଶାରେ ବିଜେପି ୨୦ଟି ହାସଲ କରି ବିଜେଡିକୁ ର୍ନିମୂଳ କରିଥିବାବେଳେ କଂଗ୍ରେସ କେବଳ ତାହାର ଗୋଟିଏ ଆସନ ବଜାୟ ରଖିଥିଲା । ସେଦିନ ପ୍ରକାଶିତ ବିଧାନସଭା ଫଳାଫଳ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରକୁ ଶକ୍ତି ଧକ୍କା ଦେଇ ଓଡିଶାରେ ବିଜେପି ଏକାକୀ ସରକାର ଗଢିବାପାଇଁ ବାଟ ଫିଟାଇଥିଲା । ଏଥର ବିଜେପି ୭୮ଟି ଆସନ ପାଇଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୩ଜଣ ସ୍ୱାଧୀନ ବିଧାୟକ ଏହି ଦଳକୁ ସମର୍ଥନ ଦେଇଥିଲେ । ତଦନୁଯାୟୀ ୨୦୨୪ ଜୁନ୍‍ ୧୨ତାରିଖରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶାରେ ବିଜେପି ସରକାର ଗଠନ କରାଯାଇଥିଲା ।

ଓଡିଶା ପାଇଁ କ’ଣ ସବୁ କାମ କରିବ ତାହା ନିର୍ବାଚନବେଳେ ବିଜେପି ସଙ୍କଳ୍ପପତ୍ର ଆକାରରେ ଜାରି କରିଥିଲା । ବର୍ଷକ ଭିତରେ ଏହି ସଙ୍କଳ୍ପପତ୍ରରୁ କ’ଣ ସବୁ କାର୍ଯ୍ୟକାରୀ ହୋଇଛି, ଆଉ କେଉଁ କାର୍ଯ୍ୟକ୍ରମ ଅଧାପନ୍ତରିଆ ଥିବାବେଳେ କେଉଁ ସଙ୍କଳ୍ପ ସବୁ ଆଦୌ ଆରମ୍ଭ ହୋଇନାହିଁ ତାହାର ବିଭାଗୱାରୀ ତଥ୍ୟ ସଂଗ୍ରହ ଚାଲିଛି ।

ପ୍ରଧାନମନ୍ତ୍ରୀଙ୍କ ୧୧ବର୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ୧ବର୍ଷ ପୂର୍ତ୍ତି ପାଇଁ ବହୁ ଦିବସୀୟ କାର୍ଯ୍ୟକ୍ରମମାନ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଜନସମାବେଶ, ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ବ୍ୟାପକ ଆୟୋଜନ କରାଯାଉଛି । ଏଥିଲାଗି ସୂଚନା ଲୋକସମ୍ପର୍କ ବିଭାଗ ଏବଂ ସଂସ୍କୃତି ବିଭାଗ ପୂରା ଦମରେ ଲାଗି ପଡିଛନ୍ତି ।

ବିଜେପି ନେତାମାନେ କହୁଛନ୍ତି ସଙ୍କଳ୍ପପତ୍ରରେ ଯାହାସବୁ ରହିଥିଲା ସେସବୁକୁ କାର୍ଯ୍ୟକାରୀ କରିବା ସହିତ ବିଜେପି ସରକାର ଆହୁରି ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଅନ୍ୟ ପକ୍ଷରେ ଏହି ଅବସରରେ ରାଜ୍ୟ ସରକାରଙ୍କ ବିଫଳତାର ଗାଥା ଗାଇବାପାଇଁ ବି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।

ବିଜେପି ସରକାରର ଉତ୍ସବ ପାଳନକୁ ଅଧିକ ଆକର୍ଷଣୀୟ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ଦିନରେ ଓଡିଶା ଗସ୍ତରେ ଆସିବାର ଶୁଣାଯାଉଛି । ଏମାନଙ୍କ ନିରାପତ୍ତା ଲାଗି ଏବେଠାରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସରକାରୀ ସ୍ତରରେ କାର୍ଯ୍ୟକ୍ରମ ବାହାରେ ବିଜେପିର କର୍ମକର୍ତ୍ତାମାନେ ମଧ୍ୟ ପଞ୍ଚାୟତ, ବ୍ଲକ, ପୌରସଂସ୍ଥା, ଜିଲ୍ଲା ଓ ରାଜ୍ୟସ୍ତରରେ ମଧ୍ୟ ବ୍ୟାପକ ଗଣଜାଗରଣ କାର୍ଯ୍ୟକ୍ରମ କରିବେ । ତେବେ ଏହି ଉତ୍ସବ ଶେଷ ପୂର୍ବରୁ ମନ୍ତ୍ରୀମଣ୍ଡର ସମ୍ପ୍ରସାରଣ ଓ ଅଦଳ ବଦଳ ଏବଂ ବିଭିନ୍ନ ନିଗମ, ବୋର୍ଡ ଆଦିରେ ରାଜନୈତିକ ନେତାଙ୍କ ନିଯୁକ୍ତି ସମ୍ଭାବନା କ୍ଷୀଣ । (ତଥ୍ୟ)