ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସତ୍ୟବିହାର ଅଞ୍ଚଳରେ ଥିବା ଏକ ବାର କମ ରେଷ୍ଟୁରାଣ୍ଟରେ ଶୁକ୍ରବାର ସକାଳେ ଅଚାନକ ନିଆଁ ଲାଗିଯାଇଥିବା ଯୋଗୁ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଏହିପରି ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ରାଜ୍ୟରେ ଥିବା ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଗୁଡିକ କେତେଦୂର ସୁରକ୍ଷିତ, ସେନେଇ ବିଜୁ ଜନତା ଦଳ ପ୍ରଶ୍ନ ଉଠାଇଛି ।
ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଆଜି ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ ଏହି ବିଲଡିଂରେ ଅଗ୍ନିଶମ ବିଭାଗର ଅନୁମତି ନଥିଲା । ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଗୁଡିକରେ କିଭଳି ଅଗ୍ନିକାଣ୍ଡ ଘଟଣାକୁ ରୋକା ଯାଇ ପାରିବ, ସେ ଦାୟିତ୍ୱ ରାଜ୍ୟର ଅଗ୍ନିଶମ ସେବା ବିଭାଗର ।
କିନ୍ତୁ, ଏଇଭଳି ଏକାଧିକ ଘଟଣାମାନ ନିୟମିତ ବ୍ୟବଧାନରେ ସାମ୍ନାକୁ ଆସୁଥିବା ବେଳେ ଅଗ୍ନିଶମ ବିଭାଗ ତାର ଦାୟିତ୍ୱ ସଠିକ ଭାବେ ନିର୍ବାହ କରୁଛି କି ନାହିଁ, ସେନେଇ ଜନସାଧାରଣଙ୍କ ମନରେ ସନ୍ଦେହ ପ୍ରକାଶ ପାଉଛି । ଏହି ସ୍ଥାନ ଗୁଡିକରେ, ଅଗ୍ନିଶମ ବିଭାଗର ଅନୁମତି ଅନୁଯାୟୀ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିବା କଥା ଓ ନିୟମିତ ବ୍ୟବଧାନରେ ଏଗୁଡିକ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି କି ନାହିଁ ତାର ଅଡିଟ ହେବାର ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ, ଦୁର୍ଘଟଣା ଘଟି ଯିବା ପରେ ଅଧିକାଂଶ ଘଟଣାରେ, ଅଗ୍ନିଶମ ବିଭାଗର ନିୟମ ଅନୁଯାୟୀ ଆବଶ୍ୟକୀୟ ଉପକରଣ ଗୁଡିକ କାର୍ଯ୍ୟରତ ଅବସ୍ଥାରେ ନଥିଲା ବୋଲି ଜଣା ପଡୁଛି ।
ଡ. ମହାନ୍ତି କହିଛନ୍ତି, ଯେହେତୁ ଏହା ଜନସାଧାରଣଙ୍କ ସୁରକ୍ଷା ସହିତ ସିଧାସଳଖ ଜଡିତ ଅଛି, ଏଥିରେ ଖିଲାପ ହେଲେ, କୌଣସି ମୁହୂର୍ତ୍ତରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଘଟିବାର ସମ୍ଭାବନା ରହିଛି, ରାଜ୍ୟ ସରକାର ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକତା ରହିଛି । ଅଗ୍ନିଶମ ବିଭାଗର ରହିଥିବା ଏସଓପି ସଠିକ ଭାବେ ପାଳନ ହେଉଛି କି ନାହିଁ, ତାର ତର୍ଜମା ହେବା ଆବଶ୍ୟକ । ତେଣୁ, ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ।

