Home General ସଦ୍ୟ ସୂଚନାରେ କମିଲା ରୂପା

ସଦ୍ୟ ସୂଚନାରେ କମିଲା ରୂପା

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ମହଜୁଦ ଥିବା ଅଳଙ୍କାର ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଦାଲତରେ ଯେଉଁ ତଥ୍ୟ ଦିଆଯାଇଛି ତାହାକୁ ଆଧାର କରି ଗଣମାଧ୍ୟମରେ ପ୍ରକାଶ ପାଇଥିବା ହିସାବ ସଂକ୍ରାନ୍ତରେ ପୁଣି ଏକ ନୂଆ ବିବାଦ ସୃଷ୍ଟି ହୋଇଛି ।

ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ମୁତାବକ ୪୫ବର୍ଷ ପୂର୍ବରୁ ୧୯୭୮ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଠାକୁରଙ୍କ ଅଳଙ୍କାରର ହିସାବ କରାଯାଇଥିଲା । ଏହି ହିସାବ ଅନୁଯାୟୀ ରତ୍ନଭଣ୍ଡାରରେ ପାଖାପାଖି ଦେଢ କୁଇଣ୍ଟାଲ ସୁନା ଓ ୧୮୪ କେଜି ରୁପା ଥିବା କୁହାଯାଉଛି ।

ତେବେ ୨୦୧୮ ଏପ୍ରିଲ ୨୬ ତାରିଖରେ ଆଇନମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତରରେ ଉଲ୍ଲେଖ କରିଥିଲେ ଯେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ଦ୍ୱାରା ୧୯୭୮ ମଇ ୧୩ରୁ ଜୁଲାଇ ୨୩ ମଧ୍ୟରେ ଭିତର ଓ ବାହାର ରତ୍ନଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇଥିଲା । ସେ ସମୟରେ ରତ୍ନଭଣ୍ଡାରରେ ୧୨, ୮୩୧ ଭରି ୧ଅଣା ଓଜନର ମୂଲ୍ୟବାନ ପଥର ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଏବଂ ୨୨୧୫୩ଭରି ମୂଲ୍ୟବାନ ପଥର ସହିତ, ରୁପା ବାସନ, ପୂଜାସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ରହିଥିଲା ।

ଏହାଛଡା ୧୪ଟି ସୁନା ଓ ରୁପା ଜିନିଷ ଏଥିରେ ବିଭିନ୍ନ କାରଣରୁ ଓଜନ ହୋଇପାରିନଥିବା ଯୋଗୁ ଉପରୋକ୍ତ ପରିମାଣର ସୁନା ଓ ରୁପାରେ ଅନ୍ତର୍ଭୁକ୍ତ ନୁହେଁ ବୋଲି ସରକାର ବିଧାନସଭାରେ କହିଥିଲେ । ଏହାଛଡା ଏହି ତାଲିକା ପ୍ରସ୍ତୁତ କରାଯିବା ବେଳେ ମୂଲ୍ୟାୟନ କରାଯାଇଥିବାର ରେକର୍ଡ ଉପଲବ୍ଧ ନଥିବାରୁ ଏବେ ଏହାର ପରିମାଣ କେତେ ତାହା ଆକଳନ ହେଲେ ଜଣାପଡିବ ବୋଲି ମଧ୍ୟ ଉତ୍ତରରେ ଆଇନମନ୍ତ୍ରୀ କହିଥିଲେ ।

ଭରିକ ୧୧.୬୬ଗ୍ରାମ ହିସାବରେ ଉପରୋକ୍ତ ପଥର ସହ ସୁନା ସାମଗ୍ରୀ ପାଖାପାଖି ଦେଢ କୁଇଣ୍ଟାଲ ଓଜନର ହୋଇଥିବାବେଳେ ପଥର ସହିତ ରୁପା ସାମଗ୍ରୀର ଓଜନ ପ୍ରାୟ ୨୫୮କିଲୋ ହେବାକଥା । ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରେ ଭିତର ଓ ବାହାର ରତ୍ନଭଣ୍ଡାର କଥା ଉଲ୍ଲେଖ କରାଯାଇଥିବାବେଳେ ଚଳନ୍ତି ରତ୍ନଭଣ୍ଡାର ସମ୍ପର୍କରେ କିନ୍ତୁ କିଛି ଉଲ୍ଲେଖ ନାହିଁ । ତେଣୁ ସେତେବେଳେ ଓଜନ କରାଯାଇଥିବା ଏହି ସାମଗ୍ରୀ ସହିତ ଚଳନ୍ତି ରତ୍ନଭଣ୍ଡାରର ସାମଗ୍ରୀକୁ ମିଶାଯିବା ସଙ୍ଗେ ସଙ୍ଗେ ଯେଉଁ ୧୪ଟି ସୁନା ଓ ରୁପାର ସାମଗ୍ରୀ ବିଭିନ୍ନ କାରଣରୁ ୧୯୭୮ ମସିହାରେ ଓଜନ ହୋଇ ନଥିଲା ତାହା ବି ଯୋଗ କରାଯିବା କଥା ।

୧୯୭୮ ପରଠାରୁ ଏଯାବତ୍‍ ୪୫ବର୍ଷ ଧରି ଭିତର ରତ୍ନଭଣ୍ଡାରର କବାଟ ଖୋଲି ସାମଗ୍ରୀର ସୁମାରି କରାଯାଇନାହିଁ କିମ୍ବା ଯେଉଁ ୧୪ଟି ସାମଗ୍ରୀ ସେତେବେଳେ ଓଜନ ହୋଇ ପାରିନଥିଲା ସେଗୁଡିକର ଓଜନ ସେତେବେଳେ କିଏ କଲେ ସେ ସମ୍ପର୍କରେ ବି କାହା ନିିକଟରେ କିଛି ତଥ୍ୟ ନାହିଁ । ସେ ସମୟରେ ଭିତର ଓ ବାହାର ରତ୍ନଭଣ୍ଡାରରେ ଯେତିକି ସୁନା ସୁମାରି କରାଯାଇଥିଲା ତାହା ଦେଢ କୁଇଣ୍ଟାଲ ପାଖାପାଖି ଥିବାବେଳେ ବର୍ତ୍ତମାନର ହିସାବ ବି ପ୍ରାୟ ସମାନ ରହିଛି ।

ତେବେ ସେତେବେଳେ ଓଜନ ହୋଇ ନଥିବା ସୁନା ସାମଗ୍ରୀ, ଚଳନ୍ତି ରତ୍ନଭଣ୍ଡାରର ସାମଗ୍ରୀ ଏବଂ ଏହି ୪୫ବର୍ଷ ଭିତରେ ରତ୍ନଭଣ୍ଡାରରେ ବଢିଥିବା ରତ୍ନକୁ ଏଥିସହ ଯୋଗଗଲେ ସୁନା ଅଳଙ୍କାର ଗୁଡିକର ପରିମାଣ ଅଧିକ ହୋଇପାରେ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି । ସେହିପରି ଓଜନ ହୋଇପାରିନଥିବା ଓ ଚଳନ୍ତି ରତ୍ନଭଣ୍ଡାରକୁ ହିସାବକୁ ନନେଇ ୪୫ବର୍ଷ ତଳେ ଯେଉଁ ତଥ୍ୟ ସଂଗ୍ରହ କରାଯାଇଥିଲା ସେ ସମୟରେ ୨୫୮ କିଲୋ ରୁପା ବାସନ, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ (ମୂଲ୍ୟବାନ ପଥର ସହିତ) ୨୨ହଜାର ୧୫୩ ଭରି ବା ପ୍ରାୟ ୨୫୮ କିଲୋ ବୋଲି କୁହାଯାଉଥିବାବେଳେ ବର୍ତ୍ତମାନ ପ୍ରକାଶ ପାଇଥିବା ତଥ୍ୟ ମୁତାବକ ଶ୍ରୀମନ୍ଦିରରେ ରୁପା ସାମଗ୍ରୀ ୧୮୪ କିଲୋ ଦର୍ଶାଯାଉଥିବାରୁ ଏହା ବଢିବା ପରିବର୍ତ୍ତେ କିପରି କମିଲା ଏବଂ ଯଦି କମିଲା ତେବେ କେଉଁଥିପାଇଁ କମିଲା ସେ ସଂକ୍ରାନ୍ତରେ କିନ୍ତୁ କେହି କିଛି ସନ୍ତୋଷଜନକ ଉତ୍ତର ଦେଇପାରୁନାହାନ୍ତି । ତେବେ ମାମଲା ଆଇନଅଦାଲତରେ ବିଚାରାଧିନ ଥିବାରୁ ଶେଷ ନିଷ୍ପତ୍ତି ହିଁ ଆଇନ ଅଦାଲତ ନେଇପାରିବେ ବୋଲି ବିଧି ବିଶେଷଜ୍ଞମାନେ କହୁଛନ୍ତି । (ତଥ୍ୟ)