Home General ସତ୍ୟର ବାର୍ତ୍ତାବହ ହେଉ ଗଣମାଧ୍ୟମ

ସତ୍ୟର ବାର୍ତ୍ତାବହ ହେଉ ଗଣମାଧ୍ୟମ

ଭୁବନେଶ୍ବର : କିଛି କ୍ଷଣ ଲାଗି ସତ୍ୟ ଉପରେ ମିଥ୍ୟା ରାଜ୍ କରିପାରେ। ମାତ୍ର ସଦାବେଳ ଲାଗି ଏହା ସମ୍ଭବ ହୋଇ ନଥାଏ। ତେଣୁ ଗଣମାଧ୍ୟମ ସର୍ବଦା ସତ୍ୟର ବାର୍ତ୍ତାବହ ସାଜୁ ଏବଂ ସାଧାରଣ ଜନତାର ସ୍ବର ହେବାକୁ ଆହ୍ବାନ ଦେଇଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନନ୍ଦିଘୋଷ ଟିଭି ଓ ଦୈନିକ ଖବରକାଗଜ ସକାଳ ପକ୍ଷରୁ ଆୟୋଜିତ ପଞ୍ଚମ ଜାତି ନନ୍ଦିଷୋଷ କାର୍ଯ୍ୟକ୍ରମରେ ଯୋଗଦେଇ ନବୀନ କହିଛନ୍ତି ଗଣତନ୍ତ୍ରରେ ଜନତା ହିଁ ଶ୍ରେଷ୍ଠ ଏବଂ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଏକ ଶକ୍ତିଶାଳୀ ମାଧ୍ୟମ। ଗଣତନ୍ତ୍ର, ଗଣମାଧ୍ୟମ ଓ ଜନତା ପରସ୍ପରର ପରିପୂରକ। ଜନତା ଓ ସମାଜର ବିକାଶ ପାଇଁ ଗଣମାଧ୍ୟମ ନିଜର ଗୁରୁ ଦାୟିତ୍ବ ବହନକରୁ ବୋଲି ସେ କହିଛନ୍ତି । ବର୍ତ୍ତମାନ ଯୁବପିଢିଙ୍କ ମଧ୍ଯରେ ସୋସିଆଲ ମିଡିଆର ପ୍ରସାର ବ୍ଯାପକ ହେଉଛି। ମିଛ ଓ ଭୁଲ୍ ଖବର ଲୋକଙ୍କ ନିକଟରେ ପହଞ୍ଚାଇବା ଠାରୁ ଗଣମାଧ୍ୟମ ଦୂରରେ ରହୁ। ନନ୍ଦିଘୋଷ ଶବ୍ଦ ସହ ଓଡିଆ ଜାତିର ସମ୍ପର୍କ ଭାବାତ୍ମକ ବୋଲି କହିଥିଲେ ନବୀନ।

ଏହି ଅବସରରେ ଦୈନିକ ସକାଳ ଓ ନନ୍ଦିଘୋଷ ଟିଭିର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ କହିଥିଲେ ଯେ, ବିକାଶର ଶେଷଧାଡିରେ ଥିବା ଲୋକଟିର ସ୍ବର ସାଜିଛି ନନ୍ଦିଘୋଷ ଟିଭି ଓ ଦୈନିକ ସକାଳ । ଏହାସହ ସରକାର ଓ ପ୍ରଶାସନରେ ଥିବା ତ୍ରୁଟି ବିଚ୍ୟୁତିର ସକାରାତ୍ମକ ସମାଧାନ ପାଇଁ ଅଭିଯାନ ଜାରି ରଖିଛି। ପ୍ରତିଟି ଲୋକର କଥା ବିନା ସେନସରରେ ନିରୁତା ଭାବେ ପ୍ରସାର ଓ ପ୍ରକାଶ କରୁଛି। ଘାତ ପ୍ରତିଘାତ ସତ୍ତ୍ବେ ଏହି ଦୁଇ ଗଣମାଧ୍ଯମ ଓଡ଼ିଶାର ସ୍ଵର ଭାବେ ପରିଣତ ହୋଇଛି ବୋଲି ସେ କହିଛନ୍ତି।

ଜାତି ନନ୍ଦିଘୋଷ କନକ୍ଲେଭ୍ -୨୦୨୫ରେ ସ୍ବାଗତ ଭାଷଣ ରଖିଥିଲେ ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନୱର। ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଥିଲେ ରାଜ୍ୟସଭା ସାଂସଦ ମହୁଆ ମାଜି। ନନ୍ଦିଘୋଷ ଟିଭିର ମୁଖ୍ଯ ସମ୍ପାଦକ ଶିଶିର ଭଟ୍ଟମିଶ୍ର ସ୍ବାଗତ ଅଭିଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସକାଳ ଖବର କାଗଜର ସିଓଓ ସୁବ୍ରତ ଦାସ ଓ ପ୍ରକାଶକ ଅମିତ ମଲ୍ଲିକଙ୍କ ସମେତ ସମାଜର ବିଭିନ୍ନ କ୍ଷେତ୍ରରେ ଖ୍ୟାତିଲାଭ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି, ସାଂସଦ, ପୂର୍ବତନ ସାଂସଦ, ରାଜନେତା, ଅଭିନେତା, ଶିଳ୍ପୀ, କବି, ଲେଖକ ପ୍ରମୁଖ ଯୋଗଦେଇଥିଲେ।