Home Administration ସତର ମାସରେ ୩୮ ହଜାର ସରକାରୀ ନିଯୁକ୍ତି

ସତର ମାସରେ ୩୮ ହଜାର ସରକାରୀ ନିଯୁକ୍ତି

ଭୁବନେଶ୍ୱର : ଓଡ଼ିଶାରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରାଯିବାର ୧୭ ମାସରେ ପ୍ରାୟ ୩୮ ହଜାର ସରକାରୀ ଚାକିରିରେ ନିଯକ୍ତି ଦିଆଯାଇଛି । ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ରାଜ୍ୟ ସରକାର ୫ବର୍ଷରେ ୧ଲକ୍ଷ ୬୫ ହଜାର ଖାଲି ପଦବୀରେ ନିଯୁକ୍ତି ଦେବେ ବୋଲି ପୂର୍ବରୁ ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା ।

ଗତ ସେପ୍ଟେମ୍ବର ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ନିଯୁକ୍ତି ମେଳା ଅବସରରେ ମୁଖ୍ୟମନ୍ତ୍ରୀ ଦେଇଥିବା ସୂଚନା ମୁତାବକ ପ୍ରଥମ ୧୫ ମାସରେ ରାଜ୍ୟ ସରକାର ସରକାରୀ ଚାକିରି କ୍ଷେତ୍ରରେ ୩୦,୦୩୨ ନିଯୁକ୍ତି ଦେଇଥିଲେ । ଏବେ ନଭେମ୍ବର ଶେଷ ପର୍ଯ୍ୟାୟରେ ହେବାକୁ ଯାଉଥିବା ନିଯୁକ୍ତି ମେଳାରେ ବିଭିନ୍ନ ବିଭାଗର ୭ ହଜରରୁ ଅଧିକ ପଦବୀରେ ନିଯୁକ୍ତି ଦିଆଯାଉଛି । ମୋଟାମୋଟି ଭାବେ ରାଜ୍ୟ ସରକାର ଚଳିତ ମାସ ଶେଷ ସୁଦ୍ଧା ପ୍ରଥମ ୧୭ ମାସରେ ପାଖାପାଖି ୩୮ ହଜାର ପଦବୀରେ ନିଯୁକ୍ତି ଦେଉଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ସୂଚନା ମୁତାବକ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ୨,୦୫,୨୨୮ ପଦବୀ ବିଭିନ୍ନ ବିଭାଗରେ ଖାଲି ପଡିଥିଲା । ୨୦୨୪ର ପ୍ରଥମ ଭାଗରେ ନିର୍ବାଚନ ହୋଇଥିବାରୁ ଆଚରଣ ବିଧି ଲାଗୁ ପରିପ୍ରେକ୍ଷୀରେ ସରକାରୀ ଚାକିରି କ୍ଷେତ୍ରରେ ନିଯୁକ୍ତି ବିଶେଷ ହୋଇନଥିଲା । ତେବେ ଗତ ୨ବର୍ଷ ମଧ୍ୟରେ ଯେତେ କର୍ମଚାରୀ ଅବସର ନେଇଛନ୍ତି ଓ ଆଉ ଯେତେ ମୃତ୍ୟୁବରଣ କରିଛନ୍ତି ଅବା ଚାକିରିରୁ ବିଦା ହୋଇଛନ୍ତି ସେମାନଙ୍କ ସଂଖ୍ୟାକୁ ହିସାବ କରାଗଲେ ଖାଲି ଥିବା ପଦବୀ ସଂଖ୍ୟା ଅଧିକ ହୋଇପାରେ ବୋଲି ବିଭିନ୍ନ କର୍ମଚାରୀ ସଂଗଠନର ନେତାମାନେ କହୁଛନ୍ତି ।

ଓଡ଼ିଶା ସରକାର ପ୍ରାୟ ୨୫ବର୍ଷ ତଳେ କେନ୍ଦ୍ର ସରକାରଙ୍କ ସହ କରିଥିବା ବୁଝାମଣା ଅନୁଯାୟୀ ମିତବ୍ୟୟିତା ଆଳରେ ବ୍ୟାପକ ପଦବୀ ଉଚ୍ଛେଦ କରାଯିବା ସଂଗେ ସଂଗେ ପଦୋନ୍ନତି ଓ ପ୍ରତ୍ୟକ୍ଷ ନିଯୁକ୍ତି ଭିତ୍ତିରେ ପଦବୀ ପୂରଣ ଉପରେ ବି କଟକଣା ଲଗାଯାଇଥିଲା । ଏହାର ପରିଣାମ ସ୍ୱରୂପ ଶିକ୍ଷାନୁଷ୍ଠାନର ଡାକ୍ତରଖାନା ଓ ଥାନା ଏବଂ ଅନ୍ୟାନ୍ୟ ଦପ୍ତରଗୁଡ଼ିକରେ ମାଳମାଳ ସରକାରୀ ଚାକିରି ଖାଲି ପଡିଛି । ଅନ୍ୟପକ୍ଷରେ ପ୍ରାୟ ୨ଲକ୍ଷ ପଦବୀ ପୂରଣ ହୋଇପାରୁନଥିବାରୁ ଚାକିରି ପ୍ରତୀକ୍ଷାରେ ଥିବା ବେକାର ଯୁବକ ଯୁବତୀମାନଙ୍କ ଦୁର୍ଦ୍ଦଶା ବଢ଼ୁଛି ।

ସରକାରୀ ଚାକିରି କ୍ଷେତ୍ରରେ ଅନୁସୂଚିତ ଜାତି ବର୍ଗଙ୍କ ଲାଗି ୧୬.୨୫, ଅନୁସୂଚିତ ଜନଜାତି ବର୍ଗଙ୍କ ଲାଗି ୨୨.୫ ଓ ଏସ୍‍ଇବିସିଙ୍କ ପାଇଁ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯାଇଛି । ଏହାଛଡ଼ା ଉଦ୍ଦିଷ୍ଟ ସଂରକ୍ଷଣ ଭିତରେ ମହିଳା, ଶାରୀରିକ ଭିନ୍ନକ୍ଷମ, କ୍ରୀଡ଼ାବିତ୍‍, ପୂର୍ବତନ ସୈନିକ ଆଦିଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ଅଛି । ୨୦୨୪ ନଭେମ୍ବର ମାସରେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଦେଇଥିବା ସୂଚନା ମୁତାବକ ଏସ୍‍ସି ଓ ଏସ୍‍ଟି ବର୍ଗରେ ସଂରକ୍ଷିତ ଚାକିରି ମଧ୍ୟରୁ ପାଖାପାଖି ଅଧା ଖାଲି ପଡିଛି ।

ନିଯୁକ୍ତ ହାର ଢେର କମ୍‍ ଥିବାବେଳେ ପ୍ରାର୍ଥୀ ଚୟନ ପାଇଁ ରହିଥିବା ସଂସ୍ଥାଗୁଡ଼ିକରେ ବି ଅନେକ ପଦପଦବୀ ଖାଲି ରହୁଛି । ଓଡ଼ିଶା ପବ୍ଲିକ୍‍ କମିଶନଠାରୁ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ, ସବ୍‍ ଅର୍ଡିନେଟ୍‍ ସିଲେକ୍ସନ କମିଶନ, ଓଡ଼ିଶା ପୁଲିସ ରିକୃଟମେଣ୍ଟ ବୋର୍ଡ ଆଦି ସରକାରୀ ପ୍ରାର୍ଥୀ ଚୟନକାରୀ ସଂସ୍ଥାଗୁଡ଼ିକରେ ବି ବ୍ୟାପକ ସଂଖ୍ୟକ ପଦପଦବୀ ଖାଲି ପଡୁଛି । ଏହି ସଂସ୍ଥାଗୁଡ଼ିକର ପଦପଦବୀ ଖାଲି ସହିତ ଦୁର୍ବଳ ଭିତ୍ତିଭୂମି ଆଳ ଦେଖାଇ ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀ ଚୟନ ଲାଗି ବେସରାକରୀ ସଂସ୍ଥାମାନଙ୍କ ସହାୟତା ନିଆଯିବାରେ ବହୁ କ୍ଷେତ୍ରରେ ବ୍ୟାପକ ବିଭ୍ରାଟ ଉପୁଜୁଛି । ରାଜ୍ୟ ସରକାର ଖାଲି ପଡିଥିବା ସମସ୍ତ ପଦପଦବୀକୁ ଏକକାଳୀନ ପୂରଣ କରିବା ସହିତ ପ୍ରତି ବର୍ଷ ଆଇନ୍‍ ଅନୁଯାୟୀ ନିଯୁକ୍ତି ଦେଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅବସରପ୍ରାପ୍ତ ପ୍ରଶାସକମାନେ କହୁଛନ୍ତି । (ତଥ୍ୟ)