Home Administration ସତର୍କ କଲେ ଏସଆରସି

ସତର୍କ କଲେ ଏସଆରସି

ଭୁବନେଶ୍ବର : ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ଉପରେ ରହିଥିବା ବେଳେ ଏହାର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଓ ସ୍ବତନ୍ତ୍ର ରିଲିଫ୍ କମିସନର ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ଜିଲ୍ଲାପାଳ, ଏସଆରସିଙ୍କୁ ଚିଠି ଲେଖି ଶ୍ରୀ ସାହୁ କହିଛନ୍ତି ଯେ ଆଭ୍ୟନ୍ତରୀଣ ଜିଲ୍ଲାର ଅନେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିବ।

ଚଳିତ ସପ୍ତାହରେ ଉପକୂଳ ଓଡ଼ିଶାରେ ପ୍ରବଳ ଆର୍ଦ୍ରତା ଲାଗି ରହିଥିବାରୁ ଗ୍ରୀଷ୍ମଜନିତ ସମସ୍ୟାର ମୁକାବିଲା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୌଳିକ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିବାକୁ ଏସଆରସି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତୃଣମୂଳ ସ୍ତରରେ କାର୍ଯ୍ୟରତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ନିୟୋଜନ ର ସମୀକ୍ଷା କରିବାକୁ ଏସିଏସ୍ ଶ୍ରୀ ସାହୁ ସ୍ବାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛନ୍ତି।

ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୨.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୨.୨, ହୀରାକୁଦରେ ୪୨, ରାଉରକେଲାରେ ୪୦.୮ ଓ କେନ୍ଦୁଝରରେ ୪୦.୫ ଡିଗ୍ରି ରେକର୍ଡ କରାଯାଇଛି। ମଙ୍ଗଳବାର ଓଡ଼ିଶାର ୩ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ରୁ ଅଧିକ ରେକର୍ଡ କରାଯାଇଛି। ସେଗୁଡ଼ିକ ହେଲା ବୌଦ୍ଧ (୪୫.୯ ଡିଗ୍ରୀ), ସୋନପୁର (୪୫.୩ ଡିଗ୍ରୀ) ଓ ଟିଟିଲାଗଡ଼ (୪୫ ଡିଗ୍ରି)।