ଭୁବନେଶ୍ୱର : ପଡୋଶୀ ଦେଶ ଚୀନ ସମେତ ବିଶ୍ୱର ପ୍ରାୟ ୫ଟି ଦେଶରେ କରୋନା ଭୟାବହ ପରିସ୍ଥିତି ସୃଷ୍ଟି କରିଥିବାବେଳେ ତାହାକୁ ଦୃଷ୍ଟିରେ ରାଜ୍ୟରେ କୋଭିଡ ସଂକ୍ରମଣ ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତ ଆଜି ଏହି ମର୍ମରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ଯେ ଚୀନ୍, ଜାପାନ, ଆମେରିକା, କୋରିଆ ଏବଂ ବ୍ରାଜିଲରେ କୋଭିଡ-୧୯ ପୁଣି ଥରେ କାୟା ବିସ୍ତାର କରିବାରେ ଲାଗିଛି । ଏଥିପାଇଁ ଭାରତ ସରକାର ସର୍ତକତା ଅବଲମ୍ବନ ପାଇଁ ଚଳିତ ବର୍ଷ ଜୁନ୍ ମାସରେ ଜାରି କରିଥିବା ସଂଶୋଧିତ ସର୍ବେକ୍ଷଣ ନୀତି ପାଳନ ପାଇଁ ପରାମର୍ଶ ଦେଇଛନ୍ତି ।
ଉପରୋକ୍ତ ଦେଶ ଗୁଡିକର ହଟାତ୍ କୋଭିଡ ସଂକ୍ରମଣ ପରିଲକ୍ଷିତ ହେଉଥିବାରୁ ରୋଗ ସର୍ବେକ୍ଷଣ ଓ ଜେନମ ସିକ୍ୱେନ୍ସି ଆବଶ୍ୟକ ହୋଇଛି । କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କର ତୁରନ୍ତ ନମୂନା ପରୀକ୍ଷା କରିବା ସହିତ ପଜିଟିଭ ନମୂନାର ଜେନମ ସିକ୍ୱେନ୍ସି ପାଇଁ କୁହାଯାଇଛି ।
ଏହାବାଦ୍ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟିଂ, କଣ୍ଟାକ୍ଟ ଟ୍ରେସିଂ, ଟୀକାକରଣ ସହିତ କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କ ନମୂନା ପରୀକ୍ଷା ସହିତ ନୂତନ ଭୂତାଣୁ ଚିହ୍ନଟ ହେଲେ ତୁରନ୍ତ ତାଙ୍କର ଚିକିତ୍ସାଲାଗି ପଦକ୍ଷେପ ନେବାକୁ କୁହାଯାଇଛି ।
ଯେଉଁ ନମୂନା ପଜିଟିଭ ଚିହ୍ନଟ ହେବ ପ୍ରତିଦିନ ତାହାକୁ ନିକଟସ୍ଥ ଆଇଏନଏସଏସିଓଜି ପରୀକ୍ଷାଗାର କିମ୍ବା ଭୁବନେଶ୍ୱର ଠାରେ ଥିବା ଆରଏମଆରସି ଅଥବା ଆଇଏଲଏସ୍କୁ ପଠାଇବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି । ଭାରତ ସରକାରଙ୍କ ମାର୍ଗଦର୍ଶିକା ଆଧାରରେ କ୍ଲଷ୍ଟର କଣ୍ଟେନମେଣ୍ଟ ପଦକ୍ଷେପ ତୁରନ୍ତ ଆରମ୍ଭ ପାଇଁ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।