Home News in Odia ସଡ଼କ ସୁରକ୍ଷା ନାଁରେ ଟଙ୍କା ଆଦାୟ ବେଆଇନ୍‍

ସଡ଼କ ସୁରକ୍ଷା ନାଁରେ ଟଙ୍କା ଆଦାୟ ବେଆଇନ୍‍

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲାରେ କିଛି ବ୍ୟକ୍ତି ସଡ଼କ ସୁରକ୍ଷା ବ୍ୟାନର ଲଗାଇ ଗାଡ଼ି ଚାଳକଙ୍କଠାରୁ ଅର୍ଥ ଆଦାୟ କରୁଛନ୍ତି । ପ୍ରାଧିକରଣ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ ଏହା ସଂପୂର୍ଣ୍ଣ ବେଆଇନ । ଏଭଳି କୌଣସି କାର୍ଯ୍ୟ ପାଇଁ କାହାରିକୁ କୌଣସି ଅନୁମତି ଦିଆଯାଇନାହିଁ ।

ତେଣୁ ଗାଡ଼ି ଚାଳକ କିମ୍ବା ଗାଡ଼ି ମାଲିକ ଏଭଳି ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଅର୍ଥ ଦିଅନ୍ତୁ ନାହିଁ । ଏହି ବିଷୟକୁ ଗମ୍ଭୀରତାର ସହ ନେଇ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିବାକୁ ସୁନ୍ଦରଗଡ଼ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ।

ଏହାସହ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଏସପିଙ୍କ ସହ ମଧ୍ୟ ଏସଂପର୍କରେ ସେ କଥା ହୋଇଛନ୍ତି । କେବଳ ସୁନ୍ଦରଗଡ଼ ନୁହେଁ, କୌଣସି ବି ସ୍ଥାନରେ ଏଭଳି କଥା ନଜରକୁ ଆସିଲେ ତୁରନ୍ତ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।

ପରିବହନ କମିସନର ଶ୍ରୀ ଠାକୁର କହିଛନ୍ତି, କିଛି ବ୍ୟକ୍ତି ପରିବହନ ସେବା ବିଶେଷକରି ସଡ଼କ ସୁରକ୍ଷା ନାଁରେ ଠକାମୀ କରୁଛନ୍ତି । ଯାହାକୁ ରୋକିବାକୁ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି । ଜନସାଧାରଣ ମଧ୍ୟ ଏଭଳି କୌଣସି କଥା ଦେଖିଲେ, ତୁରନ୍ତ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବାକୁ ଅନୁରୋଧ କରାଯାଉଛି ।

ଏହି ଠକମାନେ ପ୍ରାୟତଃ ରାଜ୍ୟ ବାହାରର ଏବଂ ସେମାନେ ବିଭିନ୍ନ ସୀମାବର୍ତ୍ତୀ ଜିଲ୍ଲା ଓ ଖଣି ଅଞ୍ଚଳରେ ଏଭଳି କାର୍ଯ୍ୟ କରୁଛନ୍ତି । ବାହାରରାଜ୍ୟର ଟ୍ରକ୍, ବସମାନଙ୍କୁ ଟାର୍ଗେଟ କରୁଛନ୍ତି । ଏମାନଙ୍କୁ ରୋକିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଥାନୀୟ ପ୍ରଶାସନଙ୍କୁ ଅନୁରୋଧ କରାଯାଇଛି ।