Home Assembly ସଡକ ସୁରକ୍ଷା ମାସରେ ଆହତଙ୍କ ଠାରୁ ମୃତ ଅଧିକ

ସଡକ ସୁରକ୍ଷା ମାସରେ ଆହତଙ୍କ ଠାରୁ ମୃତ ଅଧିକ

ଭୁବନେଶ୍ୱର : ରାଜ୍ୟରେ ସଡକ ସୁରକ୍ଷା ମାସ ପାଳନ ସମୟରେ ସଡକ ଦୁର୍ଘଟଣାରେ ୫ଶହରୁ ଅଧିକ ମୁଣ୍ଡ ଗଡିଛି । ଏହି ସମୟରେ ଯେତିକି ଲୋକ ଦୁର୍ଘଟଣାରେ ଆହତ ହୋଇଛନ୍ତି ତାହାଠାରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ।

ସଡକ ସୁରକ୍ଷା ପାଳନ ସମୟରେ ଦୁର୍ଘଟଣା ସଂକ୍ରାନ୍ତରେ ବିଜେଡି ବିଧାୟକ ଅରୁଣ କୁମାର ସାହୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ୨୦୨୫ ଜାନୁଆରୀ ପହିଲାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସଡକ ସୁରକ୍ଷା ମାସ ପାଳନ ହୋଇଥିଲା । ଏହି ସମୟରେ ୮୪୮ଟି ସଡକ ଦୁର୍ଘଟଣା ଘଟିଥିଲା । ଏଥିରେ ୪୭୨ ଜଣ ଗୁରୁତର ଆହତ ହୋଇଥିବାବେଳେ ୫୦୫ ଜଣ ମୃତ୍ୟୁବରଣ କରିଥିଲେ ।

ଘଟିଥିବା ଦୁର୍ଘଟଣା ମଧ୍ୟରେ କେନ୍ଦୁଝର ସର୍ବାଧିକ ୫୬ଟି ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୩୫ଜଣ ମୃତ୍ୟୁବରଣ କରିଥିବାବେଳେ ୨୮ଜଣ ଗୁରୁତର ଆହତ ହୋଇଥିଲା । ଏହା ପଛକୁ ବାଲେଶ୍ୱରରେ ୪୪ଟି ଦୁର୍ଘଟଣା ଘଟି ୨୫ଜଣ ମୃତ୍ୟୁବରଣ କରିଥିବାବେଳେ ଯାଜପୁରରେ ଘଟିଥିବା ୪୦ଟି ଦୁର୍ଘଟଣାରେ ୨୨ଜଣ ମୃତ୍ୟୁବରଣ କରିଥିଲେ ।

ଚଳିତ ବର୍ଷ ଏହି ସଡକ ସୁରକ୍ଷା ମାସ ପାଳନରେ ୧,୮୯,୬୬,୬୯୪ ଟଙ୍କା ବ୍ୟୟ କରାଯାଇଛି । ଏଥି ମଧ୍ୟରେ ୧୮ଟି ଜିଲ୍ଲା ୬ଲକ୍ଷ ୧୦ହଜାର ଟଙ୍କା କରି ପ୍ରଦାନ କରାଯାଇଥିବାବେଳେ ୧୬ଟି ଜିଲ୍ଲାକୁ ୪ଲକ୍ଷ ୧୦ହଜାର କରି ଟଙ୍କା ଦିଆଯାଇଥିଲା । ତେବେ କେନ୍ଦୁଝର ଜିଲ୍ଲାକୁ ଏହି ମାସ ପାଳନ ପାଇଁ ୧୨,୪୬,୬୯୪ ଟଙ୍କା ପ୍ରଦାନ କରାଯାଇଥିବାବେଳେ କେନ୍ଦୁଝର ଏସ୍‍ପିଙ୍କୁ ୧ଲକ୍ଷ ୮୦ହଜାର ପ୍ରଦାନ କରାଯାଇଥିଲା ।

ଏହାବାଦ୍‍ ୨୦୨୪-୨୫ ବର୍ଷରେ କଳାହାଣ୍ଡି ଏସ୍‍ପି ଓ ଆରଟିଓଙ୍କୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ଦେବଗଡକୁ ୩ଲକ୍ଷ, କଟକକୁ ୭ଲକ୍ଷ ଏବଂ ଗଞ୍ଜାମକୁ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଏହିଭଳି ଭାବେ ମୋଟ୍‍ ୧୩ଲକ୍ଷ ଟଙ୍କା ସଡକ ସୁରକ୍ଷା ସଚେତନତା ପାଇଁ ମିଳିଥିଲା ।

ତେବେ ସଡକ ସୁରକ୍ଷା ମାସ ପାଳନ ସମୟରେ ଘଟିଥିବା ଦୁର୍ଘଟଣାରେ ହାରାହାରି ଭାବେ ୭୦ପ୍ରତିଶତ ଏଫ୍‍ଆଇଆର ହୋଇଛି । କେନ୍ଦୁଝରରେ ସର୍ବାଧିକ ୫୬ଟି ଦୁର୍ଘଟଣା ହୋଇଥିବାବେଳେ ୪୦ଟି ମାମଲା ରୁଜୁ ହୋଇଛି । ସେହିଭଳି ବାଲେଶ୍ୱରରେ ଘଟିଥିବା ୪୪ଟି ଦୁର୍ଘଟଣାରେ ୨୫ଟି ମାମଲା ରୁଜୁ କରାଯାଇଛି । ମୋଟାମୋଟି ଭାବେ ୮୪୮ଟି ଦୁର୍ଘଟଣାରେ ମୋଟ୍‍ ୬୦୦ଟି ମାମଲା ରୁଜୁ ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)