Home Assembly ସଡକ ସୁରକ୍ଷା ଖର୍ଚ୍ଚ ସତ୍ୱେ ବଢିଛି ଦୁର୍ଘଟଣା

ସଡକ ସୁରକ୍ଷା ଖର୍ଚ୍ଚ ସତ୍ୱେ ବଢିଛି ଦୁର୍ଘଟଣା

ଭୁବନେଶ୍ୱର : ସଡକ ସୁରକ୍ଷା ବାବଦରେ ରାଜ୍ୟ ସରକାର ଗତ ତିନି ବର୍ଷ ଅର୍ଥାତ୍‍ ୨୦୨୨ ରୁ ୨୦୨୪ ମଧ୍ୟରେ ୫୧କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରିଥିବାବେଳେ ଏହି ତିନି ବର୍ଷରେ ସଡକ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବା ସହିତ ୧୭ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ।

ଆଜି ବିଧାନସଭାରେ ବିଜେଡି ବିଧାୟକ ଅରୁଣ କୁମାର ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଦେଇଥିବା ଉତ୍ତରରୁ ଏହା ଜଣାଯାଇଛି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି ତିନି ବର୍ଷ ମଧ୍ୟରେ ସଡକ ସୁରକ୍ଷା ସଚେତନତା, ଛାପା ଓ ଇଲେକଟ୍ରୋନିକ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସଚେତନ କରିବା, ସଡକ ସୁରକ୍ଷା ନେଇ ଦକ୍ଷତା ବୃଦ୍ଧି କରିବା, ଏନଫୋର୍ସମେଣ୍ଟ ଏବଂ ସଡକ ସୁରକ୍ଷା ସାଜ ସରଞ୍ଜାମ କିଣିବା ବାବଦରେ ୫୧କୋଟି ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କେବଳ ୨୦୨୪ରେ ସାଜ ସରଞ୍ଜାମ କିଣିବା ବାବଦରେ ୧୭କୋଟି ୬୭ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ ଏନଫୋର୍ସମେଣ୍ଟ ବାବଦରେ ପ୍ରାୟ ୧୯କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏତେ ସବୁ ସତ୍ୱେ କିନ୍ତୁ ଏହି ତିନି ବର୍ଷରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ୨୦୨୨ରେ ୧୧,୬୬୩ଟି ଦୁର୍ଘଟଣା ଘଟିଥିବାବେଳେ ୨୦୨୩ରେ ୧୧,୯୯୨ ଏବଂ ୨୦୨୪ରେ ୧୨,୩୭୫ଟି ଦୁର୍ଘଟଣା ଘଟିଛି । ଆଶ୍ୱାସନାର କଥା ହେଉଛି ଯେ ଏହି ତିନିବର୍ଷରେ ପୂର୍ବବର୍ଷ ତୁଳନାରେ ଦୁର୍ଘଟଣାର ହାର ହ୍ରାସ ପାଇଛି ।

ସେହିଭଳି ୨୦୨୨ରେ ସଡକ ଦୁର୍ଘଟଣାରେ ୫୪୬୭ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ୧୦,୩୦୨ ଜଣ ଆହତ ହୋଇଥିଲେ । ୨୦୨୩ରେ ଏହି ସଂଖ୍ୟା ଯଥାକ୍ରମେ ୫୭୩୯ ଏବଂ ୧୦,୩୬୯ ରହିଥିବାବେଳେ ୨୦୨୪ରେ ମୃତ ଏବଂ ଆହତଙ୍କ ସଂଖ୍ୟାଯଥାକ୍ରମେ ୬୧୪୨ ଏବଂ ୧୦,୭୭୦ ରହିଛି । ଏହି ତିନିବର୍ଷରେ ମୋଟ୍‍ ୩୬,୦୩୦ଟି ଦୁର୍ଘଟଣାରେ ୧୭,୩୪୮ଜଣ ମୃତ୍ୟୁବରଣ କରିଥିବାବେଳେ ୩୧,୪୪୧ ଜଣ ଆହତ ହୋଇଛନ୍ତି ।

ସଡକ ସୁରକ୍ଷା ପାଇଁ ରାଜ୍ୟ ସଡକ ପରିବହନ ପ୍ରାଧିକରଣ (ଏସ୍‍ଟିଏ) ପକ୍ଷରୁ ପାଲାଡିୟମ କନସୁଲଟିଂ ଇଣ୍ଡିଆ ପ୍ରାଇଭେଟ ଲିମଟେଡକୁ ପିଏମୟୁ ଭାବେ ନିୟୋଜିତ କରାଯାଇଛି । ବିଗତ ତିନି ବର୍ଷ ମଧ୍ୟରେ ଏହି ପିଏମୟୁ ପାଇଁ ୧୦କୋଟି ୨୬ଲକ୍ଷ ୮୭ହଜାର ଟଙ୍କା ବ୍ୟୟ କରାଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରାଯାଇଛି । (ତଥ୍ୟ)