ଭୁବନେଶ୍ୱର : ରାଜ୍ୟରେ ସଡକ ଦୁର୍ଘଟଣା ରୋକିବାପାଇଁ ସରକାର ନାମୀ ଦାମୀ ସଂସ୍ଥାର ସହାୟତା ଲୋଡୁଥିବାବେଳେ ପାଣିଭଳି ପଇସା ଖର୍ଚ୍ଚ କରୁଛନ୍ତି । ହେଲେ ସଡକ ଦୁର୍ଘଟଣା କମିବା ପରିବର୍ତ୍ତେ ବଢିବାରେ ଲାଗିଥିବାବେଳେ ପ୍ରତିଦିନ ରାଜ୍ୟରେ କେଉଁଠି ନାଁ କେଉଁଠି ସଡକ ଦୁର୍ଘଟଣାରେ ଲୋକେ ମୃତ୍ୟୁବରଣ କରୁଛନ୍ତି । ଏପରିକି ମନ୍ତ୍ରୀ, ବିଧାୟକଙ୍କ ଗାଡି ମଧ୍ୟ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।
ବିଗତ ୫ବର୍ଷ ଅର୍ଥାତ୍ ୨୦୨୦ ରୁ ୨୦୨୪ ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ ରାଜ୍ୟରେ ୨୭ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବାବେଳେ ଚଳିତବର୍ଷ ଯେଉଁ ହାରରେ ଦୁର୍ଘଟଣା ଘଟୁଛି ତାହା ଅନ୍ୟବର୍ଷଗୁଡିକୁ ଟପିଯିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ସେହିଭଳି ଏହି ସମୟ ମଧ୍ୟରେ ସଡକ ଦୁର୍ଘଟଣାରେ ୫୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ସବୁଦିନ ପାଇଁ ଭିନ୍ନକ୍ଷମ ବି ପାଲଟି ଯାଇଛନ୍ତି ।
ସଡକ ଦୁର୍ଘଟଣା ରୋକିାବପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଆଇଆଇଟି ଭଳି ଶିକ୍ଷାନୁଷ୍ଠାନର ବୈଷୟିକ ସହାୟତା ନିଆଯାଉଛି । ବିଭିନ୍ନ ବେସରକାରୀ ସଂସ୍ଥାଙ୍କୁ ସଚେତନ ବାବଦରେ ଲକ୍ଷାଧିକ ଟଙ୍କା ପ୍ରଦାନ କରାଯାଉଛି । ସ୍ଥିତି ସମ୍ଭାଳିବାପାଇଁ ପରିବହନ ବିଭାଗ ପକ୍ଷରୁ ଡ୍ରାଇଭରମାନଙ୍କ ପାଇଁ ରାତି ସାରା ମାଗଣା ଚା’ ଯୋଗାଇ ଦିଆଯାଉଛି । ଏହା ସତ୍ୱେ ବି ରାଜ୍ୟରେ ସଡକ ଦୁର୍ଘଟଣା ବେକାକୁ ହେବାରେ ଲାଗିଛି । ୨୦୨୦ ମସିହାରେ ରାଜ୍ୟରେ ୯୮୧୭ଟି ସଡକ ଦୁର୍ଘଟଣା ଘଟିଥିବାବେଳେ ୨୦୨୪ରେ ତାହା ୧୨ ହଜାରକୁ ଟପିଯାଇଛି । ସେହିଭଳି ସଡକ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଏହି ସମୟ ମଧ୍ୟରେ ୪୭୩୮ ରୁ ବୃଦ୍ଧି ପାଇଁ ୬୧୪୨ରେ ପହଞ୍ଚିଛି ।
ସଡକ ଦୁର୍ଘଟଣା ଏଭଳି ସ୍ଥିତିରେ ପହଞ୍ଚିଛି ଯେ ଭିଆଇପି ଓ ଭିଭିଆଇପି ମାନେ ଏଥିରୁ ବାଦ୍ ପଡୁ ନାହାନ୍ତି । ନିକଟରେ ରାଜ୍ୟର ଜଣେ ମନ୍ତ୍ରୀଙ୍କ ଗାଡି କଟକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ରାଜ୍ୟର ଅନ୍ୟ କୌଣସି ସ୍ଥାନ ତ ଦୂରରକଥା ରାଜଧାନୀ ଓ ଏହାର ଆଖପାଖରେ ପ୍ରତିଦିନ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ସହିତ ଲୋକେ ମରୁଛନ୍ତି । ଉଭୟ ଦୁଇ ଚକିଆ ଓ ଚାରିଚକିଆ ଯାନ ଦୁର୍ଘଟଣାରେ ଭାଙ୍ଗି ଚୁରମାର୍ ହେବା ସହିତ ଚାଳକମାନେ ମୃତ୍ୟୁବରଣ କରୁଛନ୍ତି । କେତେକ ସ୍ଥାନରେ ଦ୍ରୁତଗାମୀ ଦୁଇ ଚକିଆ ଆରୋହୀ ଦୁର୍ଘଟଣାରେ ଗାଡି ସହିତ ଜଳି ଯାଉଥିବାର ନଜିର ବି ରହିଛି ।
ଅଳ୍ପଦିନ ତଳେ ରାଜ୍ୟରେ ସଡକ ଦୁର୍ଘଟଣା ବୃଦ୍ଧିକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କ୍ଷୋଭ ପ୍ରକାର କରିବାପରେ ରାଜ୍ୟ ସରକାର ଦୁର୍ଘଟଣା ରୋକିବାକୁ ତତ୍ପର ହୋଇ ଉଠିଥିଲେ । ବିଭିନ୍ନ ସ୍ଥାନରେ ଦ୍ରୁତଗାମୀ ଗାଡି ଗୁଡିକ ଉପରେ ନଜର ରଖାଯାଇଥିଲା । କେତେକ ସ୍ଥାନରେ ଅତର୍କିତ ଚଢଉ ବି ହୋଇଥିଲା । ହେଲେ ଏହିସବୁ କାର୍ଯ୍ୟାନୁଷ୍ଠାନ ଅଳ୍ପଦିନ ପରେ ଶିଥିଳ ପଡିବାରୁ ସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇଛି ।
ରାଜ୍ୟରେ ସଡକ ଦୁର୍ଘଟଣାର ଅନ୍ୟତମ ମୁଖ୍ୟ କାରଣ ନିଶା ସେବନ ହୋଇଥିବାବେଳେ ସେ ଦିଗରେ ଯେଭଳି ପଦକ୍ଷେପ ନିଆଯିବା କଥା ତାହା ହୋଇପାରୁ ନାହିଁ । ୨୦୨୦ ରୁ ୨୦୨୩ ମଧ୍ୟରେ ମଦୁଆ ଚାଳକଙ୍କ ଦ୍ୱାରା ରାଜ୍ୟରେ ୨୧୯୭ଟି ଦୁର୍ଘଟଣା ଘଟିଥିବା ସରକାରୀ ଭାବେ ଦର୍ଶାଯାଉଛି । ଏହି ସମୟରେ ୨୨ହଜାରରୁ ଅଧିକ ମଦ୍ୟପ ଗାଡି ଚାଳକଙ୍କୁ ଧରାଯାଇଥିବାବେଳେ ୧୧ ହଜାରରୁ ଅଧିକ ଲାଇସେନ୍ସ ବାତିଲ କରାଯାଇଛି । ତେବେ ସଡକ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି ଯେ ମଦୁଆ ଗାଡିଚାଳକମାନଙ୍କ ଦ୍ୱାରା ଏହାଠାରୁ ଢେର ଅଧିକ ଦୁର୍ଘଟଣା ଘଟୁଛି । ଏମାନଙ୍କୁ ଜବତ କରିବାପାଇଁ ମଝିରେ ମଝିରେ ଯେଉଁ ଧରପଗଡ ହେଉଛି ତାହା ଫାଇନ୍ ଆଦାୟରେ ସୀମିତ ରହିଯାଉଥିବାରୁ ମଦୁଆ ଚାଳକମାନଙ୍କର ଭୟ ରହୁନାହିଁ । (ତଥ୍ୟ)