Home General ସଡକ ଦୁର୍ଘଟଣାରେ ବର୍ଷକୁ ୫ହଜାର ମୃତ୍ୟୁ

ସଡକ ଦୁର୍ଘଟଣାରେ ବର୍ଷକୁ ୫ହଜାର ମୃତ୍ୟୁ

ଭୁବନେଶ୍ୱର : ସଡକ ଦୁର୍ଘଟଣା କମାଇବା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି ଲାଗି ବର୍ଷକୁ କୋଟିଏ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥିବା ସଡକ ଦୁର୍ଘଟଣାରେ ବର୍ଷକୁ ୫ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଉଛି ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଜେଡି ବିଧାୟକ ପଦ୍ମିନୀ ଦିଆନଙ୍କ ଏକ ପ୍ରଶ୍ନରେ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଗତ ୫ବର୍ଷ ଭିତରେ ରାଜ୍ୟରେ ରାସ୍ତା ଦୁର୍ଘଟଣାରେ ୨୫,୯୩୪ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ୫୧,୮୭୩ ଜଣ ଆହତ ହୋଇଛନ୍ତି । ତେବେ ରାସ୍ତା ଦୁର୍ଘଟଣା କମାଇବା ଉଦ୍ଦେଶ୍ୟରେ ଜନସାଧାରଣ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସରକାର ଗତ ୫ବର୍ଷ ମଧ୍ୟରେ ମୋଟ୍‍ ୬.୫୯ କୋଟି ଟଙ୍କା ବ୍ୟୟ କରିଛନ୍ତି ।

ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ ରାଜ୍ୟର ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଇଣ୍ଟଲିଜେଣ୍ଟ ଟ୍ରାଫିକ ପରିଚାଳନା ବ୍ୟବସ୍ଥାର ପ୍ରଚଳନ କରାଇବାର ଯୋଜନା ରହିଛି । ଏଥି ସହିତ ଦୁର୍ଘଟଣାରେ ଆହତ ମାନଙ୍କୁ ଚିକିତ୍ସା ପାଇଁ ଟ୍ରାଫିକ କନେଷ୍ଟବଳ ଓ ହୋମଗାର୍ଡମାନଙ୍କୁ ତାଲିମ ପ୍ରଦାନ କରାଯିବ । ଏଥି ସହିତ ସଡକ ଦୁର୍ଘଟଣାର ତଦନ୍ତ ପାଇଁ ପୁଲିସ୍‍ ଓ ପରିବହନ ବିଭାଗର ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି ।

ସେହିଭଳି କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା ଓ ଅଧିରାଜ ପାଣିଗ୍ରାହୀଙ୍କ ଅନ୍ୟଏକ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଚାରିଚକିଆ ଯାନ ଚଳାଇବାପାଇଁ ମୋଟ୍‍ ୧୮,୬୧,୯୦୯ ଜଣ ଲାଇସେନ୍ସ ପ୍ରାପ୍ତ ହୋଇଥିବାବେଳେ ଏଥି ମଧ୍ୟରେ ଛୋଟ ଚାରିଚକିଆ ଯାନ ଚଳାଇବାପାଇଁ ସର୍ବାଧିକ ୧୭,୮୨,୫୦୦ଟି ଲାଇସେନ୍ସ ପ୍ରଦାନ କରାଯାଇଛି । ତେବେ ଭୁବନେଶ୍ୱର ଆରଟିଓ-୧ ଅଧିନରେ ସର୍ବାଧିକ ୧,୭୦,୬୪୯ଟି ଲାଇସେନ୍ସ ପ୍ରଦାନ କରାଯାଇଥିବାବେଳେ ସମ୍ବଲପୁର ଆରଟିଓ ୧,୬୪,୧୯୦, କଟକ ଆରଟିଓ ୧,୨୮,୯୬୩ଟି, ଚଣ୍ଡିଖୋଲ ଆରଟିଓ ୧,୦୯,୫୫୬ଟି ଲାଇସେନ୍ସ ପ୍ରଦାନ କରିଥିବାବେଳେ ସବୁଠାରୁ କମ୍‍ ୮୬୦୭ଟି ଲାଇସେନ୍ସ ବୌଦ ଆରଟିଓ ପ୍ରଦାନ କରିଛନ୍ତି । (ତଥ୍ୟ)