ଭୁବନେଶ୍ୱର : ଆସନ୍ତା ୬ ତାରିଖରୁ ଏଠାରେ ଜାତୀୟ ସଡକ କଂଗ୍ରେସର ୮୪ତମ ସଂସ୍କରଣ ଅନୁଷ୍ଠିତ ହେଉଥିବାବେଳେ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଅତିଥିମାନେ ରାଜଧାନୀ ରାସ୍ତାର ବିକଳ ଚିତ୍ର ଦେଖିବେ । କେଉଁଠି ପିଚୁ ଉଠିଯାଇଥିବା ଖାଲଖମା ତ ଆଉ କେଉଁଠି ଅସମ୍ପୂର୍ଣ୍ଣ ସଡକ କାର୍ଯ୍ୟ ।
ସଡକ କଂଗ୍ରେସ ଅଧିବେଶନରେ କେନ୍ଦ୍ର ସଡକ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ଦେଶର କୋଣ ଅନୁକୋଣରୁ ଏକାଧିକ ବୈଜ୍ଞାନିକ, ଯୋଜନାବିତ୍ ଓ ବରିଷ୍ଠ ଅଧିକାରୀମାନେ ରାଜଧାନୀକୁ ଆସିବେ । ସେମାନେ ଅନୁଷ୍ଠିତ ହେବାକୁ ଯାଉଥିବା ୫ଦିନିଆ ଜାତୀୟ ଅଧିବେଶନରେ ଯୋଗଦେବେ । ଅତିଥିମାନଙ୍କୁ ସ୍ୱାଗତ ପାଇଁ ସଡକର ପାଶ୍ୱର୍ରେ ରଙ୍ଗ ବୋଳା ହେଉଥିବାବେଳେ ସଡକ ପାଶ୍ୱର୍ରେ ଥିବା ଗଛ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜେଇ ହେଲାଣି ।
ହେଲେ ଅତିଥିମାନେ ଯେଉଁ ରାସ୍ତା ଦେଇ ଅଧିବେଶନ ସ୍ଥଳକୁ ଯିବେ ଓ ସହରର ଅନ୍ୟାନ୍ୟ ସ୍ଥାନକୁ ଗସ୍ତ କରିବେ ସେହିସବୁ ରାସ୍ତାର ଅବସ୍ଥା ଦୟନୀୟ । ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ବିଭିନ୍ନ ସ୍ଥାନରେ ଅସମ୍ପୂର୍ଣ୍ଣ ହୋଇ ରହିଛି । ପିଚୁ ଓ ଗୋଡି ବିଛାଯାଇ ତିଆରି ହେଉଥିବା ରାସ୍ତାକାର୍ଯ୍ୟ ଅଧାପନ୍ତରିଆ ଥିବାରୁ ଗାଡିଗୁଡିକ ସେହି ରାସ୍ତାରେ ଗଲାବେଳେ ଖାଲ ଢିପରେ ପଡି ଯିବାଭଳି ଯାତ୍ରୀମାନେ ଅନୁଭବ କରୁଛନ୍ତି ।
ସେହିଭଳି ସହରର ଅନ୍ୟାନ୍ୟ ମୁଖ୍ୟ ରାସ୍ତା ମଧ୍ୟ ଖାଲ ଖମାରେ ଭର୍ତ୍ତି । ଚଳିତବର୍ଷ ଦୂର୍ଗାପୂଜା ପୂର୍ବରୁ ରାସ୍ତା ମରାମତି ସରିବ ବୋଲି ବିଭାଗୀୟ ମନ୍ତ୍ରୀ ତାଗିଦା କଲାପରେ ବିଭିନ୍ନ ସ୍ଥାନରେ ରାତି ଅଧିଆ ତାଳି ପକାଯାଇଥିଲା । ପୂଜା ପରେ ଲଗାଣ ବର୍ଷରେ ଅଧିକାଂଶ ସ୍ଥାନରେ ଏହି ତାଳି ପଡିଥିବା ପିଚୁ ଉଠିଗଲାଣି । ପିଚୁ ଉଠିଯିବା ଯୋଗୁଁ ଅନେକ ସ୍ଥାନରେ ଚାରିଚକିଆ ଯାନ ବିଚିତ୍ର ଶବ୍ଦରେ ଯା ଆସ କରୁଛି ।
ସେହିଭଳି ଏହି ଜାତୀୟ ସମ୍ମିଳନୀକୁ ଆସୁଥିବା ଅତିଥିମାନେ ରାଜଦାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ବ୍ୟବସାୟିକ କେନ୍ଦ୍ରକୁ ଯିବାର ସମ୍ଭାବନା ରହିଛି । ସେହିସବୁ ସ୍ଥାନରେ ମଧ୍ୟ ରାସ୍ତାର ଅବସ୍ଥା ଭଲ ନାହିଁ । ଅଧିକାଂଶ ସ୍ଥାନରେ ସଡକରେ ତାଳି ପଡିଛି । କେତେକ ସ୍ଥାନରେ ପରସ୍ତ ପରସ୍ତ ପିଚୁ ଉଠିଗଲାଣି । ଏହିସବୁ ସଡକକୁ ଦିନେ ଦୁଇଦିନ ମଧ୍ୟରେ ମରାମତି କରିବା ଅତ୍ୟନ୍ତ କଷ୍ଟକର ।
କେବଳ ବିପର୍ଯ୍ୟସ୍ତ ସଡକ ବ୍ୟବସ୍ଥା ନୁହେଁ, ସହରରେ ବିଭିନ୍ନ ସ୍ଥାନରେ ଅନିୟନ୍ତ୍ରିତ ଭାବେ କାର୍ଯ୍ୟ କରୁଥିବା ଟ୍ରାଫିକ ସିଗ୍ନାଲ ବ୍ୟବସ୍ଥା ମଧ୍ୟ ଅତିଥିଙ୍କ ନଜରରେ ପଡିବାର ବହୁ ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ମାର୍ଟସିଟି ଦ୍ୱାରା ପରିଚାଳିତ ଏହି ଇଲେକଟ୍ରୋନିକ ସ୍ୱୟଂଚାଳିତ ଟ୍ରାଫିକ ସିଗନାଲ ବ୍ୟବସ୍ଥା ବିଭିନ୍ନ ଛକରେ ଭିନ୍ନ ଭିନ୍ନ ପ୍ରକାରରେ କାର୍ଯ୍ୟ କରୁଛି । ତେବେ ଭିଭିଆଇପିଙ୍କ ଗସ୍ତ ସମୟରେ ଟ୍ରାଫିକ ଲାଇଟ୍ଗୁଡିକୁ ବନ୍ଦ କରାଯାଉଥିବାଯୋଗୁଁ ଅତିଥିମାନଙ୍କ ନଜରରେ ଏହା ନପଡିବାର ବି ସମ୍ଭାବନା ରହିଛି ।
ଏହାଛଡା ରାଜଧାନୀରେ ଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ରାସ୍ତା ଓ ଫୁଟ୍ଫାଥ୍ ଉପରେ ପୋତା ଯାଇଥିବା ସ୍ଥାୟୀ ଲୁହା ବ୍ୟାରିକେଡ୍ ମଧ୍ୟ ସଡକ କଂଗ୍ରେସରେ ଯୋଗଦେବାକୁ ଥିବା ଅତିଥି ନଜରରେ ପଡିବାର ସମ୍ଭାବନା ରହିଛି ।
ଜାତୀୟ ସଡକ କଂଗ୍ରେସ ଓଡିଶାରେ ଆୟୋଜିତ ହେବାକୁ ଥିବାବେଳେ ରାଜ୍ୟ ସରକାର ଏଥିରୁ ବେଶ୍ ଲାଭନ୍ୱିତ ହେବେ ଏବଂ ଅଧିକ ପରିମାଣରେ ଅନୁଦାନ ପାଇବେ ବୋଲି ଆଶା ରଖିଛନ୍ତି । ଏଭଳି ସ୍ଥିତିରେ ଜାତୀୟ ସ୍ତରର ଅତିଥିମାନେ ଆସି ପହଞ୍ଚିବା ପୂର୍ବରୁ ଅନ୍ତତଃ ରାଜଧାନୀର ସଡକଗୁଡିକ ଚକାଚକ୍ କରିବାର ଆବଶ୍ୟକତା ଥିଲା ବୋଲି ମତପ୍ରକାଶ ପାଉଛି । (ତଥ୍ୟ)

