Home News in Odia ସଞ୍ଜୀବ ପଣ୍ଡା ନୂଆ ପୁଲିସ୍‍ କମିଶନର

ସଞ୍ଜୀବ ପଣ୍ଡା ନୂଆ ପୁଲିସ୍‍ କମିଶନର

ଭୁବନେଶ୍ୱର : ସାଧାରଣ ଓ ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କ ମଧ୍ୟରେ ବଡ଼ ଧରଣର ଅଦଳବଦଳ କରି ରାଜ୍ୟ ସରକାର ୧୯୯୪ ବ୍ୟାଚ୍ ର ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ ପୁଲିସ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି।

ଶ୍ରୀ ପଣ୍ଡା ବର୍ତ୍ତମାନ ଓଡ଼ିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ସହ ଗୁଇନ୍ଦା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପୁଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ବଦଳି କରାଯାଇ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। 

୧୯୯୫ ବ୍ୟାଚ୍ ର ଆଇପିଏସ୍ ଅଫିସର ତଥା ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ଓପିଏଚଡବ୍ଲ୍ୟୁସିର ସିଏମ୍ ଡି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ସେହିପରି ବାଲେଶ୍ୱର ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ କୁମାର ଲାଇଙ୍କୁ ସମ୍ବଲପୁର ଉତ୍ତର ରେଞ୍ଜର ଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ତାଳଚେର ଉତ୍ତର କେନ୍ଦ୍ରୀୟ ରେଞ୍ଜର ନୂଆ ଆଇଜି ଦୀପକ କୁମାର ଅନୁଗୁଳ ପୁଲିସ ଟ୍ରେନିଂ କଲେଜର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇଙ୍କୁ ବାଲେଶ୍ୱର ପୂର୍ବ ରେଞ୍ଜ ଆଇଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଇଓଡବ୍ଲ୍ୟୁର ଆଇଜି ଜେଏନ୍ ପଙ୍କଜଙ୍କୁ ବଦଳି କରାଯାଇ ବ୍ରହ୍ମପୁର ଦକ୍ଷିଣ ରେଞ୍ଜର ଆଇଜି ଭାବେ ଇଓଡବ୍ଲ୍ୟୁ ଓ ଏସଟିଏଫର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ପଦୋନ୍ନତି ପରେ ପୁରୀ ଏସପି କନୱର ବିଶାଲ ସିଂହଙ୍କୁ ପୁଲିସ ଡିଆଇଜି ପାହ୍ୟାରେ କଟକର ନୂଆ ଡିସିପି ଭାବେ ନିଯୁକ୍ତି ଦିଆଯାଇଛି। କଟକ ଡିସିପି ପିନାକ ମିଶ୍ର ହେବେ ନୂଆ ପୁରୀ ଏସପି ।

ବିଭିନ୍ନ ଜିଲ୍ଲାର ନୂଆ ଏସ୍ ପିମାନେ ହେଲେ ବାନୋଥ ଯୁଗଳ କିଶୋର କୁମାର (କେନ୍ଦ୍ରାପଡ଼ା), ମାଡକର ସନ୍ଦୀପ ସମ୍ପତ (ଢେଙ୍କାନାଳ), ରାମ ପ୍ରସାଦ ସାହୁ (ଦେବଗଡ଼), ହରିଶା ବିସି (ରାୟଗଡ଼ା) ଓ ଯଶପ୍ରତାପ ଶ୍ରୀମାଲ (ସୋନପୁର)।

ବିଜ୍ଞପ୍ତି ଅନୁଯାୟୀ, ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟର ଏଆଇଜି ଭାବେ ବଦଳି କରାଯାଇଥିବା ବେଳେ ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଶାଖାକୁ ବଦଳି କରାଯାଇଛି।

ସୋନପୁର ଏସପି ଅମରେଶ କୁମାର ପଣ୍ଡାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟର ଏଆଇଜି ଭାବେ ବଦଳି କରାଯାଇଥିବା ବେଳେ ଦେବଗଡ଼ ଏସପି ପିକେ ମିଶ୍ରଙ୍କୁ ରାଉରକେଲା ଏସ୍ଆରପି ଭାବେ ବଦଳି କରାଯାଇଛି।