Home General ସଚେତନତା ସତ୍ୱେ ବଢୁଛି ସମୁଦ୍ର ବୁଡି ମୃତ୍ୟୁ

ସଚେତନତା ସତ୍ୱେ ବଢୁଛି ସମୁଦ୍ର ବୁଡି ମୃତ୍ୟୁ

ଭୁବନେଶ୍ୱର : ସମସ୍ତ ପ୍ରକାର ସଚେତନତା ସତ୍ୱେ ପୁରୀ ସମୁଦ୍ରରେ ଜଳ ବୁଡି ମୃତ୍ୟୁ ସଂଖ୍ୟା ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୨୦୨୨ ମସିହାରେ ପୁରୀ ଜିଲ୍ଲାରେ ସମୁଦ୍ରରେ ମାତ୍ର ୭ଜଣ ବୁଡି ମରିଥିବାବେଳେ ୨୦୨୫ରେ ଏହି ସଂଖ୍ୟା ୨୩ରେ ପହଞ୍ଚିଛି ।

ଅନ୍ୟ ପକ୍ଷରେ ସମଗ୍ର ରାଜ୍ୟରେ ୨୦୨୨ ରୁ ୨୦୨୫ ମଧ୍ୟରେ ମାତ୍ର ୮୨ଜଣ ସମୁଦ୍ରରେ ବୁଡି ମୃତ୍ୟୁବରଣ କରିଥିବାବେଳେ ପୁରୀ ଜିଲ୍ଲାରେ ଏହି ସଂଖ୍ୟା ୬୨ ରହିଛି । ଏହା ପଛକୁ ଗଞ୍ଜାମରେ ୧୩ଜଣ ସମୁଦ୍ରରେ ବୁଡି ମରିଥିବାବେଳେ ଜଗତ୍‍ସିଂହପୁରରେ ୬ଜଣ ଓ ବାଲେଶ୍ୱରରେ ମାତ୍ର ଜଣେ ବୁଡି ପ୍ରାଣ ହରାଇଛନ୍ତି ।

ତେବେ ପୁରୀ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାବେଳେ ପର୍ଯ୍ୟଟକମାନଙ୍କର ମୁଖ୍ୟ ଆକର୍ଷଣ ସମୁଦ୍ର ହୋଇଥିବାରୁ ଏଠାରେ ଯେଭଳି ଅଘଟଣ ନଘଟିବ ସେଥିପ୍ରତି ରାଜ୍ୟ ସରକାର ନଜର ରଖିବା ସହିତ ପର୍ଯ୍ୟଟକମାନଙ୍କୁ ସଚେତନ କରିଥାନ୍ତି । ଅଘଟଣ ରୋକିବାପାଇଁ ସମୁଦ୍ର କୂଳରେ ଲାଇଫ୍‍ଗାର୍ଡ ମୁତୟନ ସହିତ ଜଳବୁଡିରୁ ରକ୍ଷା କରିବାପାଇଁ ଆନୁଷଙ୍ଗିକ ସାଜ ସରଞ୍ଜାମ ଯୋଗାଇ ଦେଇଥାନ୍ତି । ସମୁଦ୍ରର ଗତିବିଧି ଉପରେ ନଜର ରଖିବା ସହିତ ନିୟମିତ ଭାବେ ପର୍ଯ୍ୟଟକମାନଙ୍କୁ ଅବଗତ କରାଯାଇଥାଏ ।

ସମସ୍ତ ପ୍ରକାର ପଦକ୍ଷେପ ସତ୍ୱେ କେବଳ ପୁରୀ ସମୁଦ୍ରରେ ୨୦୨୨ରେ ୭ଜଣଙ୍କ ଜୀବନ ଯାଇଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୧୩, ୨୦୨୪ରେ ୧୯ ଓ ୨୦୨୫ରେ ୨୩ରେ ପହଞ୍ଚିଯାଇଛି । ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ପର୍ଯ୍ୟଟକ । ପ୍ରଶାସନର କଟକଣାକୁ ଅମାନ୍ୟ କରିବା ସହିତ ସମୁଦ୍ରରେ ପହଁରିବାର ଅଭିଜ୍ଞତା ନଥିବାରୁ ଅନେକ ପର୍ଯ୍ୟଟକ ପ୍ରାଣ ହରାଉଥିବା କୁହାଯାଉଛି ।

ଅନ୍ୟ ପକ୍ଷରେ ରାଜ୍ୟରେ ଗତ୪ବର୍ଷରେ ୧୭୫୦ଜଣ ବ୍ୟକ୍ତି ନଦୀରେ ବୁଡି ପ୍ରାଣ ହରାଇଥିବା ରେକର୍ଡ କରାଯାଇଛି । ଏହି ମୃତ୍ୟୁ କ୍ଷେତ୍ରରେ କଟକ ଜିଲ୍ଲା ସବୁଠାରୁ ଆଗରେ ରହିଛି । ନଦୀ ନାଳ ଘେରା ଏହି ଜିଲ୍ଲାରେ ଚାରିବର୍ଷରେ ମୋଟ୍‍ ୧୭୯ଜଣ ପାଣିରେ ବୁଡି ମରିଥିବାବେଳେ ଏହା ପଛକୁ କେନ୍ଦୁଝର ଜିଲ୍ଲା ରହିଛି । ଏହି ଜିଲ୍ଲାରେ ୪ବର୍ଷରେ ୧୬୦ଜଣ ଜଳବୁଡି ମୃତ୍ୟୁବରଣ କରିଛନ୍ତି ।

ସେହିଭଳି ମୟୁରଭଞ୍ଜ ଜିଲ୍ଲାରେ ନଦୀରେ ବୁଡି ୧୫୪ଜଣ ପ୍ରାଣ ହରାଇଥିବାବେଳେ ସୁନ୍ଦରଗଡରେ ଏହି ସଂଖ୍ୟା ୧୪୦ ଓ ସମ୍ବଲପୁରରେ ୧୦୭ ରହିଛି । ବୌଦ୍ଦ ଜିଲ୍ଲାରେ ଗତ ଚାରିବର୍ଷରେ ସବୁଠାରୁ କମ୍‍ ମାତ୍ର ୯ଜଣ ଜଳବୁଡି ମୃତ୍ୟୁବରଣ କରିଛନ୍ତି ।

ତେବେ ସନ୍ତରଣକାରୀମାନଙ୍କ କହିବାକଥା ଯେ ଆଜିକାଲି ପିଲାମାନେ ଆଉ ପୂର୍ବଭଳି ପହଁରା ଶିଖୁ ନାହାନ୍ତି । ଅଭିଭାବକମାନେ ସେମାନଙ୍କୁ ପାଣିଠାରୁ ଦୂରରେ ରଖୁଛନ୍ତି । ଫଳରେ ଯେତେବେଳେ ସାଙ୍ଗସାଥିମାନଙ୍କ ସହିତ ନଦୀକୁ ଯାଉଛନ୍ତି ସେତେବେଳେ ଖୁସିହୋଇ ଗଭୀର ଜଳକୁ ଯାଇ ଆଉ ଫେରିପାରୁ ନାହାନ୍ତି । କେତେକ ସ୍ଥଳରେ ନିଶାଗ୍ରସ୍ତ ଯୁବକମାନେ ଗଭୀର ନଦୀରେ ଭାସିଯାଇ ପ୍ରାଣ ହରାଉଛନ୍ତି । (ତଥ୍ୟ)