ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଅନ୍ୟାୟ ପ୍ରତିବାଦରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସଚିବାଳୟ (ଲୋକସେବା ଭବନ) ଘେରାଉ କରାଯାଇଛି । ରାଜ୍ୟର ଶତାଧିକ କଂଗ୍ରେସ କର୍ମୀ କଂଗ୍ରେସ ଭବନ ଠାରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ମହାତ୍ମାଗାନ୍ଧୀ ମାର୍ଗ ନିକଟରେ ପହଂଚିଥିଲେ ।
ସେଠାରେ ଆୟୋଜିତ ବିକ୍ଷୋଭ ସଭାରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ନିଜ ବକ୍ତବ୍ୟରେ କହିଲେ ଯେ ରାଜ୍ୟରେ ଦୀର୍ଘ ୨୪ ବର୍ଷର ଶାସନ କାଳରେ ଓଡ଼ିଶାର ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଧୋକା ଦେଇଛି ନବୀନ ସରକାର । ଦୁନୀତି ଓ ବରୋଜଗାରୀ ଆଜି ରାଜ୍ୟ ସରକାରଙ୍କ ସଫଳତା ପାଲଟିଛି । ରାଜ୍ୟର ବିକାଶ କରିବା ପରିବର୍ତେ କେବଳ ନିର୍ବାଚନ ସମୟରେ ବଡ଼ ବଡ଼ ଘୋଷଣା କରି ବିଜେଡ଼ି ସରକାର ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ଶ୍ରୀ କୁମାର ପ୍ରକାଶ କରିଥିଲେ ।
ଓଡ଼ିଶାରେ ଏବେ ପ୍ରଧାନ-ପାଣ୍ଡିଆନ କମିଶନ (ପିପିସି) ଆରମ୍ଭ ହୋଇଛି ଏବଂ ଓଡ଼ିଆ ଓ ଓଡ଼ିଶାର ଅସ୍ମିତା ଅଣଓଡ଼ିଆଙ୍କ ହାତରେ ବନ୍ଧା ପଡ଼ିଛି ବୋଲି ଶ୍ରୀ କୁମାର ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରକୁ ତୀବ୍ର ନିନ୍ଦା କରି ପ୍ରକାଶ କରିଥିଲେ କି, ରାଜ୍ୟରେ ବେରୋଜଗାରୀ ସମସ୍ୟା ଉତ୍କଟ ରୂପ ନେଇଛି ।
ଫଳରେ ଦାଦନ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କୃଷକକୁ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନରେ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ବିଫଳ ହୋଇଛନ୍ତି । ରାଜ୍ୟରେ ଚାଷୀ ଆତ୍ମହତ୍ୟା ଉଦ୍ବେଗଜନକ ସ୍ଥିତିରେ ରହିଛି । ମହିଳାଙ୍କୁ ସମ୍ମାନ ଦେବା ପରିବର୍ତେ ପ୍ରତାରଣା ଓ ଅତ୍ୟାଚାର ସୀମା ସରହଦ ଟପିଛି । ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ସହିତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ଅହେତୁକ ଭାବେ ବୃଦ୍ଧି ଘଟିବା କାରଣରୁ ସାଧାରଣ ଜନତା ତ୍ରାହି ତ୍ରାହି ଡାକ ଦେଲେଣି ।
ସରକାରଙ୍କ ଏହି ଦୁର୍ନୀତି ଓ ବିଫଳତା ପ୍ରତିବାଦ କାରଣରୁ ତମାମ ରାଜ୍ୟରେ ଜନଆକ୍ରୋଶ ବୃଦ୍ଧି ପାଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । କୃଷି କ୍ଷେତ୍ରର ଉପଯୁକ୍ତ ବିକାଶ, ଚାଷ ଜମିକୁ ଜଳସେଚନ, ଧାନର ସର୍ବନିମ୍ନ ମୂଲ୍ୟ ୨୯୩୦ ଟଙ୍କା ପ୍ରଦାନ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଓଡ଼ିଶାରେ ଓଡ଼ିଆ ଲୋକ ଏବେ ରାଜରାସ୍ତାରେ । ୩୦ ଲକ୍ଷ ଯୁବକ ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଶିକ୍ଷିତ ଯୁବକ ଯୁବତୀ ରୋଜଗାର ପାଇବା ପାଇଁ ଯୋଗାଇବାରେ ଉଭୟ ବିଜେଡ଼ି ଓ ବିଜେପିର ବିଫଳତା ଓ ଦୁର୍ନୀତି ବିରୁଦ୍ଧରେ କଂଗ୍ରେସ ରାଜ୍ୟବାସୀଙ୍କୁ ସଚେତନ କରିବା ପାଇଁ ରାଜରସ୍ତାକୁ ଓହ୍ଲାଇଛି ବୋଲି ସେ କହିଛନ୍ତି ।
ସେହିପରି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି । ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ହଜାର ହଜାର ପଦବି ଖାଲି ପଡିଛି । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ୫୦%ରୁ ଅଧିକ ଶିକ୍ଷକ ନାହାନ୍ତି । ତେଣୁ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଂଚିତ ହେଉଛନ୍ତି । ବହୁ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ନପାଇ ନିରାଶ ହେଉଛନ୍ତି । ପ୍ରତିବର୍ଷ ୨ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଥିବା ସରକାର ବର୍ଷକୁ ୧୦ ହଜାର ନିଯୁକ୍ତି ବି ଦେଇପାରୁନାହାନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ଲକ୍ଷ ୩୬ ହଜାରରୁ ଅଧିକ ପଦବି ଖାଲି ପଡିଛି ।
ସ୍ୱାସ୍ଥ୍ୟସେବା କଥା ନ କହିବା ଭଲ । ଆସନ୍ନ ପ୍ରସବା ମହିଳାମାନେ ଖଟିଆରେ ବୁହାହୋଇ ଡାକ୍ତରଖାନା ଆସୁଛନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ସଦରମହକୁମା ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ଡାକ୍ତର ପଦବି ଖାଲି ପଡିଛି । ଖାଲି ସେତିକି ନୁହେଁ, ଷ୍ଟାଫନର୍ସ, ଟେକ୍ନିସିଆନ ଓ ଫାର୍ମାସିଷ୍ଟ ମଧ୍ୟ ନାହାନ୍ତି । ଉଭୟ ବିଜେଡି ଓ ବିଜେପିର ଭାଗିଦାର ସରକାର ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭଳି କାର୍ଯ୍ୟ କରୁଛନ୍ତି । ରାଜ୍ୟର ବିକାଶ କଥା ଚିନ୍ତା ନକରି ସେମାନେ ଲୋକଙ୍କୁ ଭଣ୍ଡାଉଛନ୍ତି ବୋଲି ଉପସ୍ଥିତ ବରିଷ୍ଠ ନେତୃମଣ୍ଡଳୀ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆଜିର ବିକ୍ଷୋଭରେ ଶତାଧିକ କଂଗ୍ରେସ କର୍ମୀ ଓ ନେତା ସଚିବାଳୟକୁ ଧସାଇ ହୋଇ ପଶୁଥିବାବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇ ଗିରଫ ହୋଇଥିଲେ ।