Home News in Odia ସଂସଦରେ ଉଠାଯିବ ଓଡିଶାର ଏକାଧିକ ପ୍ରସଙ୍ଗ

ସଂସଦରେ ଉଠାଯିବ ଓଡିଶାର ଏକାଧିକ ପ୍ରସଙ୍ଗ

ଭୁବନେଶ୍ଵର : ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏନେଇ ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଶ୍ରୀ ମାନସ ମଙ୍ଗରାଜ ଉପସ୍ଥିତ ରହି ବିଜୁ ଜନତା ଦଳର ସଂସଦରେ କାର୍ୟ୍ୟକାରିତା ନେଇ ମତପ୍ରକାଶ କରିଛନ୍ତି।

ସାଂସଦ ଶ୍ରୀ ମଙ୍ଗରାଜ କହିଛନ୍ତି ଯେ, ଦିଲ୍ଲୀରେ ଆୟୋଜିତ ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ଯୋଗଦାନ କରି ବିଶେଷ ଦାବି ଉପସ୍ଥାପନ ନେଇ ଆଲୋଚନା କରାଯାଇଛି। ଦକ୍ଷିଣ ଏସିଆରେ ବର୍ତ୍ତମାନ ଜାରି ଥିବା ଯୁଦ୍ଧ ପରିସ୍ଥିତି, ଅହେତୁକ ଦରଦାମ ବୃଦ୍ଧି, ପେଟ୍ରୋଲରେ ଇଥାନାଲ ମିଶାଇବା ଦ୍ଵାରା ଗାଡି ମୋଟରରେ ସୃଷ୍ଟି ହୋଇଥିବା ସମସ୍ୟା ବାବଦରେ ଦାବି ଉପସ୍ଥାପନ ନେଇ ଆଲୋଚନା କରିଥିଲେ। ଏହାସହିତ ଓଡ଼ିଶାର ମାଳ ମାଳ ସମସ୍ୟା ପ୍ରସଙ୍ଗ ନେଇ ସଂସଦରେ କେନ୍ଦ୍ର ସରକାରଙ୍କୁ ବିଜେଡି ପକ୍ଷରୁ ପ୍ରଶ୍ନ ଉପସ୍ଥାପନ କରାଯିବ ବୋଲି କହିଛନ୍ତି।

ଦୁଇ ବର୍ଷର ରାଜ୍ୟ ସରକାରଙ୍କ ବିଫଳତାକୁ ମୌସୁମୀ ଅଧିବେଶନରେ ମୁଖ୍ୟ ପ୍ରସଙ୍ଗ କରିବେ। ରାଜ୍ୟରେ ନୂତନ ଶିକ୍ଷା ନୀତି ଲାଗୁ କରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ନୂତନ ପାଠ୍ୟ ପୁସ୍ତକ ପ୍ରକାଶ ପାଇଛି। ଯେଉଁଥିରେ କି ମାଳ ମାଳ ତ୍ରୁଟି ରହିଛି। ଯାହାକି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଛି। ଉକ୍ତ ତ୍ରୁଟି ଯୋଗୁଁ ରାଜ୍ୟର ୪୦ଲକ୍ଷର ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଉକ୍ତ ଗମ୍ଭୀର ପ୍ରସଙ୍ଗକୁ ରାଜ୍ୟ ସରକାର ଅତି ହାଲୁକା ଭାବେ ନେଉଛନ୍ତି। ଯାହାକୁ ରାଜ୍ୟସଭାରେ ବିଜେଡି ପକ୍ଷରୁ ଆଲୋଚନା କରିବା ନେଇ ଉପସ୍ଥାପନ କରାଯାଇଛି।

ଓଡ଼ିଶାରୁ ସର୍ବାଧିକ ପରିମାଣର କୋଇଲା ଉତ୍ତୋଳନ ହେଉଥିବା ବେଳେ କୋଇଲା ରୟାଲଟିରୁ ଓଡ଼ିଶା ବଞ୍ଚିତ ହେଉଛି। ଏହାସହିତ ଓଡ଼ିଶାରେ ଜାରି ଥିବା ବ୍ୟାପକ କୃଷକ ଅସାମଞ୍ଜସ୍ୟ, ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସଂସଦରେ ସ୍ବତନ୍ତ୍ର ଆଲୋଚନା ନେଇ ଦାବି କରିଥିଲେ। ସାଂସଦ ମାନଙ୍କ ହାତ ପାଣ୍ଠିକୁ ୫କୋଟିରୁ ବୃଦ୍ଧି କରିବା ନେଇ ସାଂସଦ ମାନେ ଦାବି ଉପସ୍ଥାପନ କରିଥିବା ବେଳେ ବର୍ତ୍ତମାନର ୫କୋଟି ହାତ ପାଣ୍ଠିର ସଠିକ୍ ଭାବେ ବିନିଯୋଗ କରିବା ନେଇ ସାଂସଦ ଶ୍ରୀ ମଙ୍ଗରାଜ ଆଲୋଚନା ନେଇ ଉପସ୍ଥାପନ କରିଛନ୍ତି।

ଓଡିଶାରେ ବିଜେପି ସରକାର ଉକ୍ତ ପାଣ୍ଠିକୁ ସଠିକ୍ ଭାବରେ ବିନିଯୋଗ କରିବାରେ ବାଧା ସୃଷ୍ଟି କରୁଛନ୍ତି। ସାଂସଦ ମାନଙ୍କ ୫କୋଟି ଟଙ୍କାର ହାତ ପାଣ୍ଠିର ବିନିଯୋଗ କରିବାରେ ଓଡିଶାର ବିଜେପି ସରକାର ରୋକ ଲଗାଉଛନ୍ତି। ସାଂସଦ ମାନଙ୍କ ହାତ ପାଣ୍ଠିରେ ଉନ୍ନୟନମୂଳକ କାର୍ୟ୍ୟ କରିବାରେ ବିଜେପି ସରକାର ବାଧା ସୃଷ୍ଟି କରୁଛନ୍ତି। ସାଂସଦ ଶ୍ରୀ ମଙ୍ଗରାଜ କହିଛନ୍ତି ଯେ, ଗତ ୨୦୨୪ ମସିହାରୁ ଓଡ଼ିଶାରେ ସାଂସଦ ପାଣ୍ଠି ଖର୍ଚ୍ଚ କରିବାରେ ରାଜ୍ୟ ସରକାର ଅନେକ ବାଧା ସୃଷ୍ଟି ହେଉଛି। ରାଜ୍ୟ ସରକାର ବିକାଶମୂଳକ କାର୍ୟ୍ୟ କରିବାକୁ ଦେଉନାହାନ୍ତି।

ସେ ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ କରିବା ପାଇଁ ହାତ ପାଣ୍ଠିରୁ ଟଙ୍କା ଦେଉଥିବା ବେଳେ ତାହାର ସଠିକ୍ ଭାବେ ବିନିଯୋଗ ହେଉନାହିଁ। ସାଂସଦ ହାତ ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହେବ କିନ୍ତୁ ମନ୍ତ୍ରୀଙ୍କ ନାମରେ ଫଳକ ଉନ୍ମୋଚନ ହେବ। ଓଡ଼ିଶାର ବିଜେପି ସରକାର ଜାଣିଶୁଣି ବିଜେଡ଼ିର ସାଂସଦ ମାନଙ୍କ ହାତ ପାଣ୍ଠିକୁ ଖର୍ଚ୍ଚ କରିବାକୁ ଦେଉନଥିବାର ମସୁଧା ଚଳାଇଛନ୍ତି।

ରାଜ୍ୟ ସରକାର ନିର୍ଦ୍ଧେଶକ୍ରମେ ଅଧିକାରୀ ମାନେ ବିଜେଡି ସାଂସଦ ମାନଙ୍କ ହାତ ପାଣ୍ଠିକୁ ଖର୍ଚ୍ଚ କରିବାକୁ ନଦେଇ ତାହାକୁ ଗତ ଦୁଇ ବର୍ଷ ଧରି ପକାଇ ରଖିଛନ୍ତି। ଯାହା ଫଳରେ ବିଜେଡି ସାଂସଦ ମାନେ ଚାହିଁଲେ ମଧ୍ୟ ନିଜ ହାତ ପାଣ୍ଠିକୁ ବିନିଯୋଗ କରିପାରୁ ନାହାଁନ୍ତି। ଏନେଇ ସେ ପୂର୍ବରୁ ସଂସଦୀୟ ବିଭାଗୀୟ କମିଟିଙ୍କ ନିକଟରେ ନୋଟିସ ପ୍ରଦାନ କରିଥିଲେ। ସେ ବାବଦରେ ସର୍ବ ଦଳୀୟ ବୈଠକରେ ଆଲୋଚନା ହୋଇଥିବା ବେଳେ ଏନେଇ ସଂସଦରେ ପ୍ରଶ୍ନ ଉପସ୍ଥାପନ କରିବେ ବୋଲି କହିଛନ୍ତି। ଏନେଇ ସ୍ୱତନ୍ତ୍ର ଭାବେ ଆଲୋଚନା କରିବା ପାଇଁ ଶ୍ରୀ ମଙ୍ଗରାଜ ଦାବି ଉପସ୍ଥାପନ କରିଥିଲେ। ତେବେ ଏନେଇ ବିଭଗୀୟ ମନ୍ତ୍ରୀ ଓ ଅନ୍ୟ ମାନଙ୍କ ଉପସ୍ଥିତିରେ ଆଲୋଚନା କରିଥିବା ବେଳେ ଉକ୍ତ ପ୍ରସଙ୍ଗକୁ ସଂସଦରେ ଉପସ୍ଥାପିତ କରିବା ନେଇ ସେ ସହମତି ପ୍ରକାଶ କରିଛନ୍ତି। ବିଜେଡି ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧୀୟ ମାଳ ମାଳ ପ୍ରସଙ୍ଗ ଥିବାରୁ ଗୃହରେ ତାହାକୁ ଉପସ୍ଥାପନ କରିବା ନେଇ ପ୍ରସ୍ତୁତ ହୋଇଛି। ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଗୃହରେ ସହଯୋଗ କରି ବିଜେଡି ତାହାର ପ୍ରସଙ୍ଗ ନେଇ ପ୍ରଶ୍ନ ଉଠାଇବ ବୋଲି କହିଛନ୍ତି।