Home Administration ସଂଶୋଧନ ହେଉନି ସଂରକ୍ଷଣ ଆଇନ୍‍

ସଂଶୋଧନ ହେଉନି ସଂରକ୍ଷଣ ଆଇନ୍‍

ଭୁବନେଶ୍ୱର : ସରକାରୀ ଚାକିରି କ୍ଷେତ୍ରରେ ପଦବୀ ଭିତ୍ତିକ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ସଠିକ ଭାବେ ଲାଗୁ କରିବାପାଇଁ ରାଜ୍ୟ ସରକାର ସଂରକ୍ଷଣ ଆଇନ୍‍ରେ ବିଧିବଦ୍ଧ ସଂଶୋଧନ ଆଣୁନଥିବାରୁ ନିଯୁକ୍ତି ଓ ପଦୋନ୍ନତିବେଳେ ବ୍ୟାପକ ବିଭ୍ରାଟ ଉପୁଜୁଛି । ଏଥିଯୋଗୁଁ ଆଇନ୍‍ ଅଦାଲତରେ ମାଳ ମାଳ ମାମଲା ରୁଜୁ ହେଉଥିବାବେଳେ ବିଭିନ୍ନ ଦପ୍ତରରେ ସଂରକ୍ଷିତ ଓ ଅଣସଂରକ୍ଷିତ କର୍ମଚାରୀଙ୍କ ଭିତରେ ଅଯଥାରେ ତିକ୍ତତା ବୃଦ୍ଧି ପାଉଛି ।

ସାମ୍ବିଧାନିକ ବ୍ୟବସ୍ଥାନୁଯାୟୀ ରାଜ୍ୟର ଜନସଂଖ୍ୟାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅନୁପାତକୁ ନେଇ ଯଥାକ୍ରମେ ୧୬.୨୫ ଓ ୨୨.୫ ପ୍ରତିଶତ ଆସନ ସଂରକ୍ଷଣ ଚାକିରି କ୍ଷେତ୍ରରେ ରହିଛି । ଏହାଛଡା ପଛୁଆର୍ଗଙ୍କପାଇଁ ମଧ୍ୟ ୧୧.୨୫ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ଚାଲୁଛି । ପଛୁଆବର୍ଗଙ୍କ ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍‍ ଆଣି ଚାକିରି କ୍ଷେତ୍ରରେ ସଂରକ୍ଷଣସୀମା ୨୭ ପ୍ରତିଶତକୁ ବୃଦ୍ଧି କରିଥିବାବେଳେ ଅମର ଛାଟୋଇ ମାମଲାରେ ଏହା ଧକ୍କା ପାଇବାରୁ ରାଜ୍ୟ ସରକାର ବାଧ୍ୟହୋଇ ଏହାକୁ ପୁଣି ୧୧.୨୫ ପ୍ରତିଶତକୁ କମାଇଛନ୍ତି ।

ଇନ୍ଦ୍ରା ସାହାଣି ମାମଲା ଏବଂ ଓଡିଶା ସରକାର ବସାଇଥିବା ଜଷ୍ଟିସ ନବକୁମାର ଦାସ କମିଶନଙ୍କ ସୁପାରିଶ୍‍ ଆଧାରରେ ସଂରକ୍ଷଣର ସୀମା ଚାକିରି କ୍ଷେତ୍ରରେ ୫୦ ପ୍ରତିଶତ ରଖାଯାଇଛି । ଇତି ମଧ୍ୟରେ ସରକାରୀ ଚାକିରିରେ ଥିବା ୧୦୦ ପଏଣ୍ଟ ରୋଷ୍ଟର ବ୍ୟବସ୍ଥାର ଉଚ୍ଛେଦ କରାଯାଇ ୮୦ ପଏଣ୍ଟ ରୋଷ୍ଟର ବ୍ୟବସ୍ଥାକୁ ଲାଗୁ କରାଯାଇଛି । ଆର କେ ସଭରୱାଲ ମାମଲାରେ ସୁପ୍ରିମ୍‍କୋର୍ଟ ସ୍ପଷ୍ଟ କରିଦେଇଥିଲେ ଯେ ରୋଷ୍ଟର ପଏଣ୍ଟ ଆଧାରରେ ଏସସି ଓ ଏସଟି ବର୍ଗରେ ସମ୍ପୃକ୍ତ ବର୍ଗର କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବ ଏବଂ ଅଣସଂରକ୍ଷିତ ଆସନଗୁଡିକରେ ସମସ୍ତେ ଯୋଗ୍ୟତା, ଦକ୍ଷତା ଓ ବରିଷ୍ଠତା ଆଧାରରେ ପଦୋନ୍ନତି ପାଇପାରିବେ । ସୁପ୍ରିମକୋର୍ଟଙ୍କ ରାୟ ମୁତାବକ ଅଣସଂରକ୍ଷିତ ଆସନପାଇଁ ଏସ୍‍ସି ଓ ଏସ୍‍ଟିବର୍ଗର ପ୍ରାର୍ଥୀଙ୍କୁ ମଧ୍ୟ ବିଚାରକୁ ନିଆଯିବ ।

ନାଗରାଜ, ଅଜିତ ସିଂ, ଜର୍ଣ୍ଣାଲ ସିଂ ଆଦି ମାମଲାରେ ଏକଥା ସ୍ପଷ୍ଟ ଉଲ୍ଲେଖ ରହିଛି । ତେବେ କ୍ୱାଣ୍ଟିଫିଏବୁଲ୍‍ ଡାଟା ସଂଗ୍ରହ କରିବା, ସଂରକ୍ଷଣ ସୀମା ବଢାଇବା ଲାଗି ଏକାନ୍ତ ପ୍ରୟୋଜନ ବୋଲି ସୁପ୍ରିମକୋର୍ଟ ବାରମ୍ବାର କହି ଆସୁଛନ୍ତି । ଇତି ମଧ୍ୟରେ ସଂରକ୍ଷିତବର୍ଗର କ୍ରିମିଲେୟାରମାନଙ୍କୁ ଆଉ ସଂରକ୍ଷଣ ସୁବିଧା ନଦେବାପାଇଁ ମଧ୍ୟ ସୁପ୍ରିମକୋର୍ଟ ମତ ରଖିଛନ୍ତି । ତେବେ ଏସବୁ ରାୟର ଆଧାରରେ ରାଜ୍ୟ ସରକାର ୭୦ଦଶକରେ ପ୍ରଣୟନ କରିଥିବା ସଂରକ୍ଷଣ ଆଇନ୍‍ରେ ସଂଶୋଧନ ନଆଣି କେବଳ ବାରମ୍ବାର ମାର୍ଗଦର୍ଶିକା ଓ ସ୍ପଷ୍ଟିକରଣ ଜାରି କରିବା ଫଳରେ ନିଯୁକ୍ତି ଓ ପଦୋନ୍ନତିବେଳେ ବ୍ୟାପକ ବିଭ୍ରାଟ ଉପୁଜୁଛି ।

ଇତି ମଧ୍ୟରେ ଅଣସଂରକ୍ଷିତବର୍ଗର କେତେକ କର୍ମଚାରୀ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ସରକାରୀ ସ୍ପଷ୍ଟିକରଣର ବିରୋଧ କରିବା ସହ ଅଣସଂରକ୍ଷଣ ଆସନରେ ସଂରକ୍ଷିତବର୍ଗଙ୍କୁ ପଦୋନ୍ନତି ଓ ନିଯୁକ୍ତି ଦେବା ପ୍ରସଙ୍ଗକୁ ବିରୋଧ କରିଛନ୍ତି । ଏହାର ପ୍ରତିବାଦ ଜଣାଇ ସଂରକ୍ଷିତବର୍ଗର ସଂଗଠନ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରାୟ ୫୦୦ ପୃଷ୍ଠାର ତଥ୍ୟ ସମ୍ବଳିତ ଏକ ବିସ୍ତୃତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିରେ ସେମାନେ ଯୁକ୍ତି ବାଢିଛନ୍ତି ଯେ ସାମ୍ବିଧାନିକ ବିଧିବ୍ୟବସ୍ଥା ଓ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଅଣସଂରକ୍ଷିତ ଆସନଗୁଡିକ ସମସ୍ତଙ୍କ ପାଇଁ ମୁକ୍ତ ଥିବାରୁ ଏଥିରେ ଯୋଗ୍ୟତା, ବରିଷ୍ଠତା ଓ ଦକ୍ଷତା ଆଧାରରେ ସଂରକ୍ଷିତବର୍ଗର ପ୍ରାର୍ଥୀମାନେ ବି ନିଯୁକ୍ତି ଓ ପଦୋନ୍ନତି ପାଇପାରିବେ । ଏହି ପ୍ରସଙ୍ଗକୁ କେନ୍ଦ୍ରକରି ଏବେ ଓଡିଶା ହାଇକୋର୍ଟରେ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବର୍ଗର ବହୁ କର୍ମଚାରୀଙ୍କ ଭିତରେ ଅଦାଲତି ଲଢେଇ ଜୋରଦାର ହୋଇଥିବାବେଳେ ସରକାରଙ୍କ ଉପରେ ଚାପ ବଢୁଛି । (ତଥ୍ୟ)